ପୁରୀରେ ଧାନ ବିଲ ବେଉଷଣ ସମୟରେ ବାହାରିଲା ଶିବ ଲିଙ୍ଗ; ଭକ୍ତିମୟ ହେଲେ ଅନେକ ଗାଁ

ମିଳିଥିବା ଶିବ ଲିଙ୍ଗଟି ଅତି ପୁରାତନ ଲାଗୁଥିବାରୁ ତୁରନ୍ତ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଧିକାରୀମାନେ ଆସି ଅନୁସନ୍ଧାନ କରନ୍ତୁ ବୋଲି ସ୍ଥାନୀୟ ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ଦାବି କରିଛନ୍ତି । ଲୋକେ ସେଠାରେ ଏକ ମନ୍ଦିର ତୋଳିବା ପାଇଁ ବି ପ୍ରୟାସ ଆରମ୍ଭ କରିଛନ୍ତି ।

ପୁରୀରେ ଧାନ ବିଲ ବେଉଷଣ ସମୟରେ ବାହାରିଲା ଶିବ ଲିଙ୍ଗ; ଭକ୍ତିମୟ ହେଲେ ଅନେକ ଗାଁ
ସାହୁପଡ଼ା ପଞ୍ଚାୟତର ଟଣମଣ ଗ୍ରାମରେ ମିଳିଛି ଏହି ଶିବ ଲିଙ୍ଗ ।
  • News18 Odia
  • Last Updated: August 1, 2020, 10:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜଣେ ଚାଷୀ ନିଜ ଧାନ ବିଲକୁ ବେଉଷଣ କରୁଥିବା ସମୟରେ ତାଙ୍କ ଲଙ୍ଗଳ କିଛି କଠିନ ପଦାର୍ଥରେ ବାଜିବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେହି ସ୍ଥାନକୁ ଗଡ଼ା କରି ପାଣି ଶୁଖେଇବା ପରେ ସେ ଏକ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କୁ ଡାକି ବିଲ ଶୁଖାଇ ପଙ୍କ ବାହାର କରିବା ପରେ ପଥରରେ ତିଆରି ଏକ ବଡ଼ ଶିବ ଲିଙ୍ଗ ବାହାରିଥିଲା । ଏହି ଘଟଣା ପରେ ପୁରୀ ଜିଲ୍ଲା କଣାସ ବ୍ଲକ ସାହୁପଡ଼ା ପଞ୍ଚାୟତର ଟଣମଣ ଗ୍ରାମରେ ପରିବେଶ ଭକ୍ତିମୟ ହୋଇଉଠିଛି ।

ଧାନ ବିଲ ବେଉଷଣ କରୁଥିବା କାଳୁ ପରିଡ଼ା ଏହି ଆବିଷ୍କାରକୁ ନେଇ ଅତ୍ୟନ୍ତ ଖୁସି । ତାଙ୍କୁ ଲାଗୁଛି ଯେମିତି ପୂର୍ବ ଜନ୍ମର କୌଣସି ମହା ପୂଣ୍ୟର ଫଳ ତାଙ୍କୁ ମିଳିଛି । ତାଙ୍କରି ବିଲରୁ ଏହି ଶିବ ଲିଙ୍ଗ ବାହାରିଛି । ପ୍ରଥମେ ସେ ନିଶ୍ଚିତ ନ ଥିଲେ ଯେ ତାହା ଏକ ଶିବ ଲିଙ୍ଗ । ହେଲେ କେତେକ ପୂଜକ ଆସି ସ୍ପଷ୍ଟ କରିଥିଲେ ଯେ ତାହା ଏକ ଶିବ ଲିଙ୍ଗ ।

‘‘ଗତ ବର୍ଷ ବିଲରେ ଟ୍ରାକ୍ଟରରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଲଙ୍ଗଳରେ ଏହି ଶିବ ଲିଙ୍ଗ ବାଜିବା ଫଳରେ ଲଙ୍ଗଳ ବଙ୍କା ହୋଇଯାଇଥିଲା । ତେଣୁ ଏ ବର୍ଷ ବେଉଷଣ ପାଇଁ ଟ୍ରାକ୍ଟର ଆଣିବାକୁ ଯିବା ସମୟରେ ଚାଳକ ମନା କରିଥିଲେ । ତେଣୁ ହଳ ନେଇ ମୁଁ ନିଜେ ଯାଇଥିଲି ବିଲକୁ । ବିଲର ବେଉଷଣ ସମୟରେ ଶିବ ଲିଙ୍ଗରେ ଚାଷ ଲୁହା ବାଜି ବଙ୍କା ହୋଇଯିବା ଯୋଗୁ ସେ ସ୍ଥାନକୁ ଶୁଖାଇ ଖୋଳିବା ପରେ ଜଣା ପଡିଥିଲା ଯେ ଏ ହେଉଛି ଏକ ଶିବ ଲିଙ୍ଗ । ତେଣୁ ମୁଁ ମନସ୍ଥ କରିଛି ସେ ବିଲରେ ଗୋଟିଏ ମନ୍ଦିର ତୋଳିବା ପାଇଁ,’’ କହିଛନ୍ତି କାଳୁ ପରିଡ଼ା । ମନ୍ଦିର ତୋଳିବାକୁ ତାଙ୍କ ପାଖରେ ଅର୍ଥ ନ  ଥିବା ଯୋଗୁଁ ସେ ଭକ୍ତମାନଙ୍କ ଦାନ ଉପରେ ନିର୍ଭର କରିବେ ବୋଲି କହିଛନ୍ତି ।

ଲୋକେ ଏହାକୁ ‘‘ପାତାଳି ଫିଟା ଶିବ ଲିଙ୍ଗ’’ ବୋଲି କହୁଛନ୍ତି ।


ମିଳିଥିବା ଶିବ ଲିଙ୍ଗଟି ଅତି ପୁରାତନ ଲାଗୁଥିବାରୁ ତୁରନ୍ତ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଧିକାରୀମାନେ ଆସି ଅନୁସନ୍ଧାନ କରନ୍ତୁ ବୋଲି ସ୍ଥାନୀୟ ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ଦାବି କରିଛନ୍ତି । ସ୍ଥାନୀୟ ଷୋଡ଼ରପୁର, ଗଡନ୍ତିଆ ହୁଡା, ବାସିଦେଇପୁର ଓ ନନ୍ଦପୁର ଗ୍ରାମର ଲୋକେ ମିଶି ଏବେ ସେଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କରିଛନ୍ତି ।

ଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ

ଏହା ବି ପଢ଼ନ୍ତୁ:  ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଟଣମଣ ଗ୍ରାମର କାଳୁ ପରିଡାଙ୍କ ସେହି ବିଲଟି ଗଡ଼ନ୍ତିଆ ହୁଡ଼ା ନିକଟରେ ଥିବା ମଶାଣି ପାଖରେ। ଗଡ଼ନ୍ତିଆ ହୁଡ଼ାକୁ ଲାଗିକି ଯଦିଓ ରାସ୍ତା ନାହିଁ, ଲୋକେ ମଶାଣିକୁ ଯିବା ପାଇଁ ହିଡ଼ ରହିଛି । ପ୍ରତି ଦିନ ଲୋକେ ମଧ୍ୟ ପୋଖରୀକୁ ଯିବା ସମୟରେ ସେହି ହିଡ଼ ଦେଇ ଯାଆନ୍ତି । ଏବେ ଶିବ ଲିଙ୍ଗ ବାହାରିବା ପରେ ଲୋକେ ସେଠାରେ ଏକ ରାସ୍ତା ହେବା ନେଇ ଆଶାବାଦୀ ହୋଇଛନ୍ତି ।



‘‘ଏ ହେଉଛି ପାତାଳି ଫିଟା ଶିବ ଲିଙ୍ଗ। ଆମ ହେତୁ ପାଇବା ଠାରୁ ପାତାଳି ଫିଟା ଦେଖି ନ ଥିଲୁ । ବହୁ ବର୍ଷ ପରେ ଏ ସବୁ ଦେଖିବାକୁ ମିଳିଛି । ଏବେ ଠୁ ପୂଜାର୍ଚ୍ଚନା ହେଉଛି । ବର୍ଷା ଦିନ ଯାଇ ଶୀତ ଦିନରେ ଆସିବା ପରେ ଏଠାରେ ଏକ ମନ୍ଦିର ନିର୍ମାଣ ହେଲେ ବହୁ ଲୋକଙ୍କ ସମାଗମ ହେବ । ସ୍ଥାନୀୟ ଲୋକଙ୍କ ଭିତରେ ମଧ୍ୟ ଭକ୍ତି ଭାବର ପରିବେଶ ଦେଖିବାକୁ ମିଳିଛି,’’ କହିଛନ୍ତି ପୂଜକ ଶଶୀଭୂଷଣ ସାମନ୍ତରାୟ।

ସ୍ଥାନୀୟ ବାସିନ୍ଦା ତଥା ବ୍ୟବସାୟୀ ପୀତବାସ ନାଥ କହିଛନ୍ତି, ‘‘ଶିବ ଲିଙ୍ଗଟି ମିଳିବା ପରେ ସବୁ ଲୋକଙ୍କ ଭିତରେ ଏବେ ଭକ୍ତି ଭାବ ଜାଗ୍ରତ ହୋଇଛି । ପୂଜକ ପୂଜିବା ପରେ ମଧ୍ୟ ପାଞ୍ଚ ଖଣ୍ଡ ଗ୍ରାମର କିଛି ମହିଳା ଯାଇ ସକାଳୁ ପୂଜା ଆରମ୍ଭ କରିଛନ୍ତି । ବିଶେଷ କରି ସାହୁପଡ଼ା ଓ ବକୁ ପଞ୍ଚାୟତର ଲୋକେ ମନ୍ଦିର ନିର୍ମାଣ ପାଇଁ ଦାବି କରୁଛନ୍ତି ।’’
Published by: Anand Shankar Thankur Das
First published: August 1, 2020, 10:34 PM IST
corona virus btn
corona virus btn
Loading