ଗଞ୍ଜାମରେ ଦୁଇ ପୁଅ ଓ ଦୁଇ ବୋହୂଙ୍କ ପ୍ରରୋଚନାରେ ସାମାଜିକ ବାସନ୍ଦ ସହୁଛନ୍ତି ବୃଦ୍ଧ ଦମ୍ପତି

ଗ୍ରାମବାସୀମାନେ ଏକ ବୈଠକ କରି ପ୍ରଭାକର ସ୍ବାଇଁ ଓ ତାଙ୍କ ପତ୍ନୀ ଟୁନୀଙ୍କୁ ତିନି ମାସ ପାଇଁ ସାମାଜିକ ବାସନ୍ଦ ରାୟ ଶୁଣାଇଥିଲେ ଓ ୫,୦୦୧ ଟଙ୍କା ଜୋରିମାନା ପକାଇଥିଲେ । ସେମାନେ ଜୋରିମାନା ଦେଇ ରସିଦ୍ ମାଗିବାରୁ ତାଙ୍କୁ ମାରିବାକୁ ଧମକ ମିଳିଥିଲା ।

ଗଞ୍ଜାମରେ ଦୁଇ ପୁଅ ଓ ଦୁଇ ବୋହୂଙ୍କ ପ୍ରରୋଚନାରେ ସାମାଜିକ ବାସନ୍ଦ ସହୁଛନ୍ତି ବୃଦ୍ଧ ଦମ୍ପତି
ପ୍ରଭାକର ସ୍ବାଇଁ ଓ ତାଙ୍କ ପତ୍ନୀ ଟୁନୀ
  • News18 Odia
  • Last Updated: July 22, 2021, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କେତେ କଷ୍ଟରେ ନିଜ ପିଲାମାନଙ୍କୁ ବଡ଼ କରିବା ପରେ ସେମାନେ ବଡ଼ ହୋଇ ବାପା-ମାଙ୍କ ଦୁଃଖରେ ଭାଗିଦାର ହେବେ ବୋଲି ସବୁ ବାପା-ମା’ ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ଦିଗପହଣ୍ଡିର ଏହି ବୃଦ୍ଧ ଦମ୍ପତିଙ୍କ ପରି ସମସ୍ତଙ୍କର ସେହି ସ୍ୱପ୍ନ ପୂରା ହୁଏ ନାହିଁ ।

ବ୍ରହ୍ମପୁରରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଦିଗପହଣ୍ଡି ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁରେ ନିଜର ଦୁଇ ବୋହୂ ଓ ବଡ଼ ପୁଅ ଯୋଗୁଁ ଗ୍ରାମରୁ ସାମାଜିକ ବାସନ୍ଦ ହୋଇଛନ୍ତି ବୃଦ୍ଧ ଦମ୍ପତି । ବରପଲ୍ଲୀର ପ୍ରଭାକର ସ୍ବାଇଁ ଓ ଟୁନୀ ସ୍ବାଇଁଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ପ୍ରଥମେ ଦୁଇ ବୋହୂ ଓ ବଡ଼ ପୁଅ ଦ୍ବାରା ତିନି ମାସ ଧରି ସାମାଜିକ ବାସନ୍ଦ ହେବା ସହିତ ୫,୦୦୧ ଟଙ୍କା ଜୋରିମାନା ଦେବା ପରେ ପୁଣି ଜୁଲାଇ ୧୬ ତାରିଖରୁ ଗ୍ରାମବାସୀମାନେ ସେମାନଙ୍କୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ କରିଛନ୍ତି ଏହି ଦମ୍ପତି । ସେମାନେ ନ୍ୟାୟ ପାଇଁ ବ୍ରହ୍ମପୁର ଏସ୍‌.ପି.ଙ୍କ ଅଫିସକୁ ଆସି ଗୁହାରି କରିଛନ୍ତି ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

ଟୁନୀ ସ୍ବାଇଁ ଓ ପ୍ରଭାକର ସ୍ବାଇଁଙ୍କୁ ତାଙ୍କ ଦୁଇ ବୋହୂ ଓ ବଡ଼ ପୁଅଙ୍କ ପ୍ରରୋଚନାରେ ଗ୍ରାମବାସୀମାନେ ସାମାଜିକ ବାସନ୍ଦ କରିଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ସ୍ବାଇଁଙ୍କ ବଡ଼ ପୁଅ ଓ ଦୁଇ ବୋହୂ ମିଶି ଦୁହିଁଙ୍କୁ ଘରେ ଖାଇବାକୁ ଦେଉନାହାନ୍ତି ଓ ଟୁନୀଙ୍କୁ ତାଙ୍କ ଦୁଇ ବୋହୁ ମିଶି ସବୁବେଳେ ଗଣ୍ଡଗୋଳ କରିବା ସହିତ ମାରିପିଟ୍‌ କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁର ଏସ୍.ପି. ପୀନାକ ମିଶ୍ରଙ୍କୁ ଭେଟୁଛନ୍ତି ପ୍ରଭାକର ସ୍ବାଇଁ ଓ ଟୁନୀ


‘‘କିଛି ମାସ ପୂର୍ବରୁ ହଠାତ୍‌ ଗ୍ରାମବାସୀଙ୍କ ତରଫରୁ ଗାଁ ମଝିରେ ବୈଠକ ଡକାଇ ଆମ ଦି’ଜଣଙ୍କୁ ତିନି ମାସ ପର୍ଯ୍ୟନ୍ତ ସାମାଜିକ ବାସନ୍ଦ କରାଯିବା ସହିତ ୫,୦୦୧ ଟଙ୍କା ଜୋରିମାନା ପକାଯାଇଥିଲା । ଆମେ ଜୋରିମାନା ଦେବା ପରେ ରସିଦ୍‌ ମାଗିବାରୁ ଆମକୁ ମାରିବାକୁ ଧମକ ଦିଆଯାଇଥିଲା । କିଛି ଦିନ ପରେ ପୁଣି ଗାଁରେ ବୈଠକ କରି ତିନି ମାସ ପାଇଁ ହୋଇଥିବା ବାସନ୍ଦକୁ ଉଠାଇ ଦିଆଯାଇଥିଲା । ଏବେ ପୁଣି ୧୬ ତାରିଖରେ ଆମକୁ ଗାଁରୁ ସାମାଜିକ ବାସନ୍ଦ କରାଯାଇଛି । ଆମେ ବ୍ରହ୍ମପୁର ଆସି ଜଣଙ୍କ ଘରେ ଆଶ୍ରୟ ନେଇଛୁ,’’ କହିଛନ୍ତି ପ୍ରଭାକର ସ୍ବାଇଁ ।

ଏହା ବି ପଢ଼ନ୍ତୁ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି

ପୂର୍ବରୁ ତିନି ମାସ ବାସନ୍ଦ ହୋଇଥିବା ସମୟରେ ପ୍ରଭାକର ଓ ଟୁନୀ ଘର ବାରଣ୍ଡାରେ ତିନି ମାସ ଧରି ରହିଥିଲେ । ବର୍ତ୍ତମାନ ସାମାଜିକ ବାସନ୍ଦ ହେବା ପରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଭାକର । ଗାଁରେ ପ୍ରାୟ ୨୦ ଭରଣ ଜମିକୁ ବି ଚାଷ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଦୁହେଁ ଗପରୁବାର ଦିନ ବ୍ରହ୍ମପୁର ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ।

ଏହା ବି ପଢ଼ନ୍ତୁ | ମିତାଲି ରାଜ୍ ବିଶ୍ୱ ODI ରାଙ୍କିଙ୍ଗରେ ଟପ୍ରେ ଅଛନ୍ତି; ସ୍ମୃତି ମନ୍ଧାନା T20ରେ କରିଅର୍ ବେଷ୍ଟ୍ତୃତୀୟ

‘‘ବର୍ତ୍ତମାନର ଆଧୁନିକ ଯୁଗରେ ବି ଏ ଭଳ ସାମାଜିକ ବାସନ୍ଦ ବଞ୍ଚି ରହିଥିବା ଏକ ଅତି ଦୁଃଖଦ ବିଷୟ । ଜିଲ୍ଲା ପ୍ରଶାସନ ଓ ଆଇନର ସହାୟତା ନେଇ ଗ୍ରାମବାସୀଙ୍କ ଦ୍ବାରା କରାଯାଇଥିବା ଏଭଳି ସାମାଜିକ ବାସନ୍ଦର ସମାଧାନ ପାଇଁ ପୋଲିସ ପଦକ୍ଷେପ ନେବା ଆବଶ୍ୟକ । ଗ୍ରାମର ଭଦ୍ରଲୋକ ଓ ପରିବାର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇ ଏହି ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯିବା ଉଚିତ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ ବେହେରା ।



ବ୍ରହ୍ମପୁର ଏସ୍‌.ପି. ପୀନାକ ମିଶ୍ର କହିଛନ୍ତି, ‘‘ଘଟଣା ସମ୍ପର୍କରେ ପ୍ରଭାକର ଓ ଟୁନୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଚିକିଟି ଏସ୍‌.ଡି.ପି.ଓ.ଙ୍କୁ ଘଟଣାର ତଦନ୍ତ ପାଇଁ ମୁଁ ନିର୍ଦ୍ଦେଶ ଦେଇଛି । ଖୁବ୍‌ ଶୀଘ୍ର ଘଟଣାର ତଦନ୍ତ କରି ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ।’’
Published by: Anand ST Das
First published: July 22, 2021, 11:41 PM IST