News18 Odia Digital
ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନ ପାଇବା ପ୍ରତିବାଦରେ ଆଜି ଓଡ଼ିଶା ପାଇକ ଏକାଡ଼େମୀ, ସମରକଳା ଏକାଡ଼େମୀ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଏକ ପ୍ରତିବାଦ ଧାରଣା, ଶୋଭାଯାତ୍ରା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଛି ।
ଏନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଏହି ଅବସରରେ ପାଇକ ଆଖଡ଼ା ଦଳମାନେ ସେମାନଙ୍କର ସମରକଳା ପ୍ରଦର୍ଶନ କରି ପ୍ରଜ୍ଞାପନ ମେଢକୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ସ୍ଥାନ ଦେବା ପାଇଁ ଦାବି କରିଛନ୍ତି।
ଓଡିଶା ପାଇକ କଳା ଏକାଡେମୀ ରାଜ୍ୟ ସଭାପତି ଦିଲ୍ଲୀପ ଶ୍ରୀ ଚନ୍ଦନ କହିଛନ୍ତି," ଓଡ଼ିଶାର କଳା, ସଂସ୍କୃତି ଓ ସାମାରିକ ପରମ୍ପରା ସମଗ୍ର ଭାରତ କେବଳ ନୁହେଁ ବିଶ୍ବରେ ପରିଚିତ । ତେଣୁ ଦିଲ୍ଲୀର ସାଧାରଣତନ୍ତ୍ର ମେଢ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦେଖିବାକୁ ଦେଶ ବିଦେଶରେ ଥିବା ଓଡ଼ିଆମାନେ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ ଯେ ରାଜ୍ୟର ସ୍ବାଭିମାନ ଓ ଅସ୍ଥିତା ପ୍ରତି କୁଠାରଘାତ ହୋଇଛି । ତେଣୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ସରକାର ସ୍ଥାନ ଦେବା ପାଇଁ ପୁନର୍ବିଚାର କରନ୍ତୁ"।
ଲଗାତାର ୨ବର୍ଷ ହେଲା ଓଡ଼ିଶା ଏହି ସୁଯୋଗରୁ ବଞ୍ଚିତ ହେଉଛି । ତେବେ କୌଣସି ସ୍ପଷ୍ଟ କାରଣ ନ ଦର୍ଶାଇ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦିଆଯିବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
"ଓଡ଼ିଶାର ‘ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ’ ମଡେଲ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିଲା ମାତ୍ର କୌଣସି କାରଣ ଦର୍ଶନ ଯାଇ ତୃତୀୟ ବୈଠକରେ ଏହି ମଡେଲକୁ ବାଦ୍ ଦିଆଯାଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶିତ କରିବାର ସୁଯୋଗ ନ ମିଳିବା ଦୁଃଖର କଥା। ଏହାର ପ୍ରତିବାଦ ଉପଯୁକ୍ତ ଫୋରମ୍ରେ କରାଯିବ," କହିଛନ୍ତି ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି।
ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୧୭, ଜୟୀ ରାଜଗୁରୁ ଓ ଚାଖ୍ ଖୁଣ୍ଟିଆଙ୍କ ଜୀବନୀ, ଓଡ଼ିଶାରେ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଓ ହକି ଖେଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଓ ଗତ ୨୦ବର୍ଷରେ ଓଡ଼ିଶାରେ ହୋଇଥିବା ବ୍ୟାପକ ବିକାଶ ଏଥିରେ ଅନ୍ତର୍ଭୁକ୍ତ ଥିଲା। ବିଶେଷକରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିପରି ସଫଳ ହେବା ସହ ଉଦାହରଣ ସୃଷ୍ଟି କରିପାରିଛି, ତାହା ଉପରେ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ପ୍ରସ୍ତାବ ଦିଆଯାଇଥିଲା।
ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ଏହି ସମ୍ପର୍କିତ ଓଡ଼ିଶାରୁ ଯାଇଥିବା ମଡେଲ ତୃତୀୟ ରାଉଣ୍ଡରୁ କଟିଯାଇଛି। ମଡେଲକୁ କେନ୍ଦ୍ର ପକ୍ଷରୁ କାହିଁକି କଟିଲା ତାହାର କାରଣ ବି ଜଣାଗଲା ନାହିଁ । ୨୦୨୦ ଶେଷଥର ପାଇଁ ଦିଲ୍ଲୀ ରାଜପଥରେ ଓଡ଼ିଶାର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ପ୍ରଜ୍ଞାପନ ମେଢ଼ ଗଡ଼ିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।