News18 Odia Digital
ଭୁବନେଶ୍ବର: ଓଡ଼ିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ରେ ଷ୍ଟ୍ରିମିଂ ହେବାକୁ ଯାଉଛି। ବହୁ ପ୍ରତିକ୍ଷୀତ ୱେବ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ ଆସନ୍ତା ୨୪ ତାରିଖରୁ ଏହି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ। ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ ଏହି ଶୀର୍ଷକ ହିଁ କହି ଦେଉଛି କାହାଣୀଟି ପୁରୀ ସହର ଉପରେ ଆଧାରିତ। ପୁରୀ, ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ଏକ ପବିତ୍ର ସହର ଭାବେ ବେଶ୍ ପରିଚିତ।
ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଥାନ୍ତି, ଯେଉଁଥି ପାଇଁ ଗଡିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହି ସିରିଜରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ ଅଧର୍ମ ପରି ପରସ୍ପର ପରିପୂରକ ସତ୍ୟକୁ ପ୍ରାଞ୍ଜଳ ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି।
କ୍ରାଇମ୍ ଓ ଆକ୍ସନ୍ ଭରା ଏହି ୱେବ ସିରିଜରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟାରମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି, ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତାମାନେ ନୀରବ ହୋଇ ପଛପଟେ ଗୋଟି ଚଲଉଥିବା ଖଳନାୟକମାନଙ୍କ ପରି ଚରିତ୍ର ଖୁବ୍ ସକ୍ରିୟ।
ହେଲେ ସମ୍ପୂର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା, ସଂସ୍କୃତି, ପ୍ରଥା ପମ୍ପପରା ଓ ବେଳାଭୂମିର ନିସ୍ଥକ ଚିତ୍ର ସିରିଜ୍କୁ ଅଧିକ ଜୀବନ୍ତ କରି ଦେଇଛି। କାହାଣୀ ଆରମ୍ଭ ହୁଏ ଜନୈକ ବଙ୍ଗାଳୀ ହୋଟେଲ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼େ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜୀବୀମାନଙ୍କ ବସ୍ତି ଉପରେ। ମତ୍ସ୍ୟଜୀବୀମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ ନିର୍ମାଣ କରିବା ପାଇଁ ସେ ଲୋଡ଼ନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ। ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା। ବସ୍ତିବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡ଼ା ହେଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗଷ୍ଟାରମାନେ। ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର।
ପବିତ୍ର କ୍ଷେତ୍ର ପୁରୀ ପରିଣତ ହୁଏ ଏକ ରକ୍ତାକ୍ତ ଯୁଦ୍ଧ କ୍ଷେତ୍ରରେ। ଏହି ଯୁଦ୍ଧରେ କିଏ ଜିତେ କିଏ ହାରେ ଜଣା ପଡ଼ିବ କଞ୍ଚାଲଙ୍କାରେ ଷ୍ଟ୍ରିମିଂ ହେବାକୁ ଥିବା ‘ଗ୍ୟାଙ୍ଗସ ଅଫ ପୁରୀ’ର ପୂରା ଏପିସୋଡରେ।
କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ ଓ ଭୁବନେଶ୍ୱରରେ ସୁଟିଂ କରାଯାଇଛି ପୂରା ସିରିଜକୁ। ଭୂମିକାରେ ଅଛନ୍ତି କ୍ରିଷ୍ଣା କର, ଅମନ୍ ଚୌଧୁରୀ, ଜୟ ପ୍ରକାଶ ଦାସ୍, ହର ରଥ, ରବି ମିଶ୍ର, ଅଙ୍କିତା ମହାନ୍ତି, ଭକ୍ତି ପ୍ରଣବ ରଥ, ଉଦିତ୍ ଗୁରୁ ଓ ଆହୁରି ଅନେକ କଳାକାରମାନେ।
ଚିତ୍ରୋତ୍ତଳନ କରିଛନ୍ତି ଦୀପକ କୁମାର, ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦିଶ୍ ମିଶ୍ର। ସେହିପରି କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ ଦାସ ଓ ଜଗଦିଶ୍ ମିଶ୍ର। ସାଉଣ୍ଡ ଡିଜାଇନ୍ କରିଛନ୍ତି ଶକ୍ତି ସ୍ୱରୁପ ଓ ସଂପାଦନା କରିଛନ୍ତି ରଶ୍ମିରଜନ ଦାସ୍।
ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ ସିରିଜରେ ପ୍ରଯୋଜକ ଅଛନ୍ତି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ, କ୍ରିଏଟିଭ ଦେଖିଛନ୍ତି ଭାଗ୍ୟଧର ପାଣି।
ଏହି ୱେବ ସିରିଜକୁ ନେଇ ‘କଞ୍ଚାଲଙ୍କା’ର ସହ ପ୍ରତିଷ୍ଠାତା ଓ ଚେୟାରମ୍ୟାନ ଅକ୍ଷୟ କୁମାର ପରିଜା କୁହନ୍ତି, ‘‘କ୍ରାଇମ ଓ ଆକ୍ସନ ଉପରେ ଆଧାରିତ ଏହି ୱେବ ସିରିଜଟି ଓଡ଼ିଆ ଦର୍ଶକମାନଙ୍କ ପାଇଁ କିଛି ନୂତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା। ‘କଞ୍ଚାଲଙ୍କା’ ଦର୍ଶକମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡ଼ିଶାର ମୂଳ କାହାଣୀକୁ ନେଇ ଆମେ ଭେଟି ଦେବୁ ଆମ ଦର୍ଶକମାନଙ୍କ ପାଖରେ, ଯୋଉଟା ଏବେ ଠାରୁ ଆରମ୍ଭ ହେଲା ‘‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’। ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।