News 18 Odia Digital
ଭୁବନେଶ୍ୱର; ଜାତୀୟ ରାଜନୈତିକ ଦଳ ( National political party ) ଗୁଡିକ ଏବେ ଓଡ଼ିଶାକୁ ଫୋକସ କରିଛନ୍ତି। ଓଡ଼ିଶାକୁ ଟାର୍ଗେଟ କରିଛନ୍ତି ବିଭିନ୍ନ ଜାତୀୟ ଦଳର କେନ୍ଦ୍ର ନେତୃତ୍ୱ । ଆଗାମୀ ଫେବୃଆରୀରେ ପଲିଟିକାଲ ହଟସ୍ପଟ ହେବ ଓଡ଼ିଶା । ଆସନ୍ତା ମାସରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ୍ଗଗେ ( Mallikarjun kharge ) ଓ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ( Priyanka gandhi ) । ରାଜ୍ୟ କଂଗ୍ରେସର ହାଥ ସେ ହାଥ ଜୋଡୋ କାର୍ଯ୍ୟକ୍ରମରେ ଯୋଗ ଦେବେ କଂଗ୍ରେସର ଏହି ଦୁଇ ହେଭିୱେଟ ।
ପିସିସି ସଭାପତି ଶରତ ପଟ୍ଟନାୟକ (Sarat pattnaik ) କହିଛନ୍ତି ଦ୍ଵିତୀୟ ପର୍ଯ୍ୟାୟରେ ଚାଲିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି। ବୁଥ ସ୍ତର ସଂଗଠନକୁ ସୁଦୃଢ କରିବାକୁ ଆସନ୍ତା ୨୬ ତାରିଖରେ ହାଥ ସେ ହାଥ ଜୋଡୋ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଆଣି ସ୍ଥିତି ଜାହିର କରିବାକୁ କଂଗ୍ରେସ ଯୋଜନା କରିଛି। ବିଶେଷ କରି ପ୍ରିୟଙ୍କା ଏକ ମହିଳା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଲଗାତାର ଭାବେ କଂଗ୍ରେସର ପ୍ରଦର୍ଶନ ନିମ୍ନଗାମୀ ହେଉଥିବା ବେଳେ କଂଗ୍ରେସର ଏହି ଦୁଇ ଚେହେରା ସଂଜୀବନୀ ଦେବେ ବୋଲି ଆଶା ରଖିଛି କଂଗ୍ରେସ ( Congress )।
ସେହିପରି ପ୍ରବାସ କାର୍ଯ୍ୟକ୍ରମରେ ଲୋକସଭା କ୍ଷେତ୍ରକୁ ଫୋକାସ କରିଛି ବିଜେପି ( BJP ) । ୨୦୧୯ରେ ହାରିଥିବା ୧୨ ସିଟ ପାଇଁ ବିଜେପିର ରହିଛି ସ୍ୱତନ୍ତ୍ର ପ୍ଲାନ୍। ବିଜେପିର କେନ୍ଦ୍ର ନେତାଙ୍କ ତୁହାକୁ ତୁହା ଗସ୍ତ ଜାରି ରହିଥିବା ବେଳେ ଫେବୃଆରୀରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀ ରାଜ ହରିଚନ୍ଦନ କହିଛନ୍ତି " ଗତ ଥର ଯେଉଁ ୧୨ଟି ସିଟରେ ଦଳ ହାରିଥିଲା ସେହି ସବୁ ସିଟରେ ଦଳ କିପରି ଜିତିବ ସେଭଳି ଏକ ସ୍ଥିତି ତିଆରି କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ ଯାହା ଆବଶ୍ୟକ ସେହିଭଳି ରାଜନୈତିକ କାର୍ଯ୍ୟକ୍ରମ କରାଯିବ।
ଗୋଟେ ପଟେ ଦୁଇ ଜାତୀୟ ରାଜନୈତିକ ଦଳ ସକ୍ରିୟ ହୋଇଥିବା ବେଳେ ଆମ ଆଦମୀ ପାର୍ଟି ବି ଓଡ଼ିଶା ଉପରେ ନଜର ପକାଇଛି। ଦିଲ୍ଲୀ ଓ ପଞ୍ଜାବର ସଫଳତା ପରେ ଓଡ଼ିଶାରେ ସଙ୍ଗଠନ ବିସ୍ତାର ପାଇଁ ଉଦ୍ୟମ କରୁଛି। କଂଗ୍ରେସର ଦୁର୍ବଳ ସ୍ଥିତିରୁ ଫାଇଦା ଉଠାଇବାକୁ ଲକ୍ଷ ରଖିଛି ଆପ। ଏହି କ୍ରମରେ ଫେବୃଆରୀରେ ଓଡ଼ିଶା ଗସ୍ତରେ ଆସି ୫ ଜୋନରେ ବୈଠକ କରିବେ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରି ସନ୍ଦୀପ ପାଠକ। ଆଗାମୀ ଦିନରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମର ଯୋଜନା ଚାଲିଛି ।
ବିଜେଡି( BJD ) ବି ମାରାଥନ କାର୍ଯ୍ୟକ୍ରମ ଜାରି ରଖିଛି। ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ତୁଫାନି ଗସ୍ତ ଜାରି ରହିଥିବା ବେଳେ ଫେବୃଆରୀରେ ବି ରହିଛି ବହୁ କାର୍ଯ୍ୟକ୍ରମ। ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ପାଞ୍ଚ ବର୍ଷ ହେବ ଦେଖା ନଥିଲା। ନିର୍ବାଚନ ଆସିଲେ କେନ୍ଦ୍ର ନେତାଙ୍କ ଦେଖା ମିଳୁଛି। ଏବେବି ଯେଉଁମାନେ ଆସୁଛନ୍ତି ଲୋକଙ୍କ ପାଇଁ ନୁହେଁ କେବଳ ରାଜନୈତିକ କାର୍ଯ୍ୟକ୍ରମରେ ଆସୁଛନ୍ତି । ବିଜେଡି ସବୁବେଳେ ଲୋକଙ୍କ ସହ ଥିବାରୁ କେନ୍ଦ୍ର ନେତାଙ୍କ କିଛି ପ୍ରଭାବ ରହିବ ନାହିଁ।
୨୦୨୪ ପାଇଁ ଏବେଠୁ ଆରମ୍ଭ ହୋଇଛି ସମର ସଜ୍ଜା। ଆଗୁଆ ନିର୍ବାଚନକୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ହେଭିୱେଟଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ଉଷ୍ନ କରିଛି।
https://odia.news18.com/news/odisha/senior-actor-prasanta-nanda-reaction-on-sesha-sraban-film-tv-4srm-150123-srm-amp-148315.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।