ପଣ୍ୟାଗାର ନିଗମ ଅଧ୍ୟକ୍ଷ ଓ ବିଜେଡି ନେତା ଅନୁପ ସାଏଙ୍କୁ ଝାରସୁଗୁଡ଼ାରୁ ଉଠେଇ ନେଲା ଛତିଶଗଡ଼ ପୋଲିସ

୨୦୧୬ରେ ଛତିଶଗଡ଼ରେ ହୋଇଥିବା ଦୁଇ ମହିଳାଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କ ସମ୍ପୃକ୍ତି ଉଜାଗର ହେଇଥିଲା । ସାଏ କଂଗ୍ରେସରୁ ତିନି ଥର ବ୍ରଜରାଜନଗରରୁ ବିଧାୟକ ନିର୍ବାଚ଼ିତ ହୋଇଥିଲେ ଓ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଦୁଇ ମୃତ ମହିଳା କଳ୍ପନା ଦାସ୍ ଓ ତାଙ୍କ ଝିଅ ବ୍ରଜରାଜନଗରର ବାସିନ୍ଦା ଥିଲେ ।

ପଣ୍ୟାଗାର ନିଗମ ଅଧ୍ୟକ୍ଷ ଓ ବିଜେଡି ନେତା ଅନୁପ ସାଏଙ୍କୁ ଝାରସୁଗୁଡ଼ାରୁ ଉଠେଇ ନେଲା ଛତିଶଗଡ଼ ପୋଲିସ
ବିଜେଡି ନେତା ଅନୁପ କୁମାର ସାଏ
  • News18 Odia
  • Last Updated: February 13, 2020, 1:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଓ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ଗତ କାଲି (ବୁଧବାର) ରାତିରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ପୋଲିସ ଝାରସୁଗୁଡ଼ାରୁ ଉଠାଇନେଇ ରାୟଗଡ ଜିଲ୍ଲାରେ ଅଟକ ରଖିଛି । ଏହି ଅତର୍କିତ ଛାପା ଓ ସମ୍ଭାବିତ ଗିରଫଦାରୀ ୨୦୧୬ରେ ହୋଇଥିବା ଏକ ଡବଲ୍‌ ମର୍ଡର୍‌ ମାମଲାରେ ଏହି ପୂର୍ବ ବିଧାୟକଙ୍କ ସମ୍ପୃକ୍ତି ବିଷୟରେ ତଥ୍ୟ ଉଜାଗର ହେବା ପରେ କରାଯାଇଛି ବୋଲି ଜଣାପଡ଼ିଛି ।

ଅନୁପ କୁମାର ସାଏ କଂଗ୍ରେରେ ଥିବା ବେଳେ ତିନି ଥର ବ୍ରଜରାଜନଗରରୁ ବିଧାୟକ ନିର୍ବାଚ଼ିତ ହୋଇଥିଲେ । ସେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।

ସାଏଙ୍କୁ ଉଠାଇ ନେବା ପରେ ଛତିଶଗଡ଼ର ରାୟଗଡ ଜିଲ୍ଲାର ଚ଼କ୍ରଧରନଗର ଥାନାରେ ରଖି ପଚ଼ରାଉଚ଼ରା କରାଯାଉଛି । ସୂତ୍ରଙ୍କ ଅନୁସାରେ ତାଙ୍କୁ ଆଜି (ଗୁରୁବାର) ବିଧିବଦ୍ଧଭାବେ ଏହି ଡବଲ୍‌ ମର୍ଡର୍‌ ମାମଲାରେ ଗିରଫ କରାଯାଇଛି ।

୨୦୧୬ରେ ଛତିଶଗଡ଼ର ଚ଼କ୍ରଧରନଗର ଥାନା ଅଞ୍ଚଳରେ ଦୁଇ ଜଣ ମହିଳାଙ୍କ ହତ୍ୟା ହୋଇଥିଲା । କଳ୍ପନା ଦାସ୍‌ ଓ ତାଙ୍କ ଝିଅଙ୍କ ମୃତ ଦେହ ମିଳିଥିଲା । ଚ଼କ୍ରଧରନଗର ପୋଲିସ ବହୁ କଷ୍ଟରେ ଦୀର୍ଘ ଦିନ ପରେ ଦୁଇ ମହିଳାଙ୍କ ପରିଚ଼ୟ ଖୋଜି ବାହାର କରିଥିଲା । ସେ ଦୁହେଁ ବ୍ରଜରାଜନଗର ଅଞ୍ଚଳର ବାସିନ୍ଦା ଥିଲେ ।

ଏ ମାମଲା ଛତିଶଗଡ଼ର କ୍ରାଇମ୍‌ ବ୍ରାଞ୍ଚକୁ ତଦନ୍ତ ପାଇଁ ଦିଆଯାଇଥିଲା । ତଦନ୍ତ ସମୟରେ ଏଥିରେ ଅନୁପ ସାଏଙ୍କ ସମ୍ପୃକ୍ତି କଥା ଉଜାଗର ହେବା ପରେ ଅନେକ ଥର ଛତିଶଗଡ଼ ପୋଲିସ ତରଫରୁ ତାଙ୍କୁ ଆସିବାକୁ ଓ ତଦନ୍ତରେ ସହଯୋଗ କରିବାକୁ କୁହାଯିବା ସତ୍ୱେ ସେ ତାହା କରି ନ ଥିଲେ ।

ତାଙ୍କୁ ଉଠାଇ ନେବା ପୂର୍ବରୁ ଛତିଶଗଡ଼ ପୋଲିସ ଝାରସୁଗୁଡ଼ା ଏସ୍‌.ପି.ଙ୍କୁ ବିଧିବଦ୍ଧ ସୂଚ଼ନା ଦେଇଥିଲା ଓ ଏ ସଂକ୍ରାନ୍ତରେ ଏକ ଷ୍ଟେସନ୍‌ ଡାଏରୀ ବି ରୁଜୁ ହୋଇଥିବା ଜଣା ପଡ଼ିଛି । ସାଏଙ୍କ ପରିବାରକୁ ବି ତାଙ୍କୁ ଉଠାଇ ନିଆଯିବା ଓ ଚ଼କ୍ରଧରନଗର ଥାନାରେ ରଖିଥିବା ବିଷୟରେ ଜଣେଇ ଦିଆଯାଇଥିଲା । ତେବେ ଉଭୟ ରାୟଗଡ଼ ଓ ଝାରସୁଗୁଡ଼ା ପୋଲିସ ଏ ବାବଦରେ ମୁହଁ ଖୋଲି କିଛି କହିବାକୁ ଚ଼ାହୁଁ ନାହାନ୍ତି ।

ଉଭୟ ରାଜ୍ୟର ପୋଲିସ ତରଫରୁ ଏ ବିଷୟରେ ପରବର୍ତ୍ତୀ ଓ ଆଧିକାରିକ ସୂଚ଼ନାକୁ ଅପେକ୍ଷା କରାଯାଉଛି ।
First published: February 13, 2020, 1:41 PM IST