ବନ ବିଭାଗରେ କୁବେର ଇଏ! କୋଟି କୋଟି ଟଙ୍କାର ମାଲିକ; ଘରୁ ୮ ଲକ୍ଷ ଟଙ୍କା, ୧ କିଲୋ ସୁନା ଜବତ

ଅଭୟକାନ୍ତ ପାଠକ ଲକଡାଉନ୍ ସମୟରେ ଚାଟାର୍ଡ଼ ଫ୍ଲାଇଟରେ ଦେଶର ବିଭିନ୍ନ ସ୍ଥାନକୁ ପରିବାର ସହ ଯାତ୍ରା କରିଥିବା ଜାଣି ଏକ କେନ୍ଦ୍ରୀୟ ସଂସ୍ଥା ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲା । ଚାଟାର୍ଡ଼ ଫ୍ଲାଇଟରେ ଥରକେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ପଡ଼େ ।

ଏକ ଚାଟାର୍ଡ଼ ପ୍ଲେନକୁ ଚଢ଼ୁଛନ୍ତି ଅଭୟକାନ୍ତ ପାଠକ; (ଡାହାଣ) ପାଠକ

ଏକ ଚାଟାର୍ଡ଼ ପ୍ଲେନକୁ ଚଢ଼ୁଛନ୍ତି ଅଭୟକାନ୍ତ ପାଠକ; (ଡାହାଣ) ପାଠକ

  • Share this:
News18 Odia Digital

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଆଇଏଫଏସ (IFS) ଅଫିସର ଅଭୟକାନ୍ତ ପାଠକ । ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନରୁ ଜବତ ହୋଇଛି ଆଠ ଲକ୍ଷ ଟଙ୍କା ଓ ଏକ କିଲୋ ସୁନା । ତାଙ୍କ ଡ୍ରାଇଭର୍‌ ଠାରୁ ଜବତ ହୋଇଛି ୨୦ ଲକ୍ଷ ଟଙ୍କା ।ବର୍ତ୍ତମାନ ଅତିରିକ୍ତ ପିସିସିଏଫ ଭାବେ କାର୍ଯ୍ୟ କରୁଥିବା ଏହି ଅଫିସରଙ୍କ ଦେଶ ସାରା ଥିବା ୧୨ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ  ରେଡ୍‌ ହୋଇ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି ।

୧୯୮୭ ବ୍ୟାଚର ଏହି ଆଇଏଫଏସ ଅଧିକାରୀ ବନ ବିଭାଗରେ ପ୍ଲାନ୍‌, ପ୍ରୋଗ୍ରାମ ଓ ବନୀକରଣ ଦାୟିତ୍ଵ ତୁଲାଉଛନ୍ତି । ତାଙ୍କର ଦାମୀ ଗାଡ଼ି ଚଢ଼ିବା ଓ ବିଦେଶ ଯାତ୍ରା କରିବାର ପ୍ରବଳ ସଉକ ସାମନାକୁ ଆସିଛି । ବୁଧବାର ଦିନ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ସରକାରୀ ବାସଭବନ, ମହାରାଷ୍ଟ୍ର ପୁନେ, ବିହାର, ଉଦୟପୁର ଓ ରାଜସ୍ଥାନ ସମେତ ମୋଟ ୧୨ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଏହା ବି ପଢ଼ନ୍ତୁ | Google Payରେ ଆଉ ମାଗଣାରେ ଟଙ୍କା ଟ୍ରାନ୍ସଫର୍ ହେବ ନାହିଁ; ଚାର୍ଜ ଦେବାକୁ ପଡ଼ିବ

ଏହି ବିଶାଳ ରେଡ୍‌ ଅଭିଯାନରେ ରାଜ୍ୟ ଭିଜିଲାନ୍ସ ସେଲର ପ୍ରାୟ ୧୫୦ଜଣ ଅଧିକାରୀ ସାମିଲ ଥିଲେ । ଏହି ରେଡ୍‌ ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବବୃହତ ଥିଲା ବୋଲି କହିଛନ୍ତି ଜଣେ ଅଧିକାରୀ । ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ୟୁନିଟ୍‌ ୯ ନମ୍ବର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ରେଡ୍‌ ବେଳେ ସେଠାରେ ତାଙ୍କର କେତେକ ନାମୀ ଓ ଦାମୀ ଗାଡ଼ି ଥୁଆ ହୋଇଥିବା ଦେଖିଥିଲେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ । ନିଜ ବ୍ୟକ୍ତିଗତ ଗାଡ଼ିରେ ବି ସେ ଜଙ୍ଗଲ ଓ ପରିବେଶ ବିଭାଗର ବୋର୍ଡ଼ ଲଗାଇଥିବା ଦେଖାଯାଇଥିଲା ।

ଏକ ଚାଟାର୍ଡ଼ ଫ୍ଲାଇଟରେ ଅଭୟକାନ୍ତଙ୍କ ପୁଅ


‘‘ଅଭୟକାନ୍ତ ପାଠକଙ୍କର ଆକାଶରେ ଉଡ଼ିବା ଥିଲା ଏକ ବଡ଼ ସଉକ। ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ସେ ଚାଟାର୍ଡ ଫ୍ଲାଇଟରେ ଯାଇଥିଲେ । ଭୁବନେଶ୍ବରରୁ ପୁଣେ, ଦିଲ୍ଲୀ ଓ ପାଟନା ଯାଇଥିଲେ ସେ । ତାଙ୍କ ଉପରେ ଚାଲିଥିବା ଚଢ଼ାଉ ଜାରି ରହିଛି,’’ କହିଛନ୍ତି ଭିଜିଲାନ୍ସ ଏସ୍‌.ପି. ବେଣୁଗୋପାଳ ଆଚାର୍ଯ୍ୟ ।

ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିରଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

ଥରେ ଚାଟାର୍ଡ଼ ଫ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ । ଅଭୟକାନ୍ତ ନିଜ କାର୍ଯ୍ୟାଳୟରେ ଥିବା ବ୍ୟକ୍ତିଗତ ସହାୟକଙ୍କୁ ବି ବିଶ୍ୱାସକୁ ନେଉ ନ ଥିଲେ । ସେ ନିଜେ ହିଁ ‘‘ଦେବା ନେବା କଥା’’ ବୁଝୁଥିଲେ ବୋଲି ଜଣାପଡ଼ିଛି ।

ଅଭୟକାନ୍ତ ଦୁର୍ନୀତି ଉପାୟ ଅବଲମ୍ବନ କରି ଏତେ ସମ୍ପତ୍ତିର ମାଲିକ ହୋଇଥିବା ଓ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ତାଙ୍କ ଠିକଣାଗୁଡ଼ିକ ଉପରେ ରେଡରେ ସାମିଲ୍‌ ଥିବା ଭିଜିଲାନ୍ସ ଅଧିକାରୀମାନେ । ତେବେ ସେ ମୋଟ କେତେ ରୋଜଗାର କରିଛନ୍ତି ତା’ର ପୂରା ରାଶି ଏବେ ଗଣାଚାଲିଛି ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

ହେଲେ ଅଭୟକାନ୍ତ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ‘‘ମୋ’ ବିରୋଧରେ ଆସିଥିବା ଅଭିଯୋଗ ସବୁ ପ୍ରୟୋଜିତ। ସେଥିରେ କୌଣସି ସତ୍ୟତା ନାହିଁ । ମୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିନି ।’’

ପାଠକ ନିଜ ପାଇଁ ଓ ନିଜ ପୁଅ ପାଇଁ ଚାରି ଜଣ ଘରୋଇ ବଡିଗାର୍ଡ଼ (ବାଉନ୍ସର୍‌) ବି ରଖିଥିଲେ ବୋଲି ଭଜିଲାନ୍ସ ଅଫିସରମାନେ ଜାଣିବାକୁ ପାଇଛନ୍ତି । ସେମାନଙ୍କୁ ପ୍ରତି ମାସ ୫୦,୦୦୦ ଟଙ୍କା ଲେଖାଏଁ ଦରମା ମିଳୁଥିଲା । ତା’ଛଡ଼ା ପୁଣେରେ ଅଭୟକାନ୍ତ ଓ ତାଙ୍କ ପୁଅ ମାସିକ ୫ ଲକ୍ଷ ଟଙ୍କା ଭଡ଼ା ଦେଇ ଏକ ଫାର୍ମହାଉସ୍‌ ବି ନେଇଥିବା ପ୍ରକାଶକୁ ଆସିଛି ।



ସୂତ୍ରଙ୍କ ଅନୁସାରେ ଅଭୟକାନ୍ତ ପାଠକ ଲକଡାଉନ୍‌ ସମୟରେ ଚାଟାର୍ଡ଼ ଫ୍ଲାଇଟରେ ଭାରତର ବିଭିନ୍ନ ସ୍ଥାନକୁ ପରିବାର ସହ ଯାତ୍ରା କରୁଥିବା ଜାଣି ଏକ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନଙ୍କୁ ସୂଚନା ଦେଇଥିଲା । ତା’ପର ଠାରୁ ଭିଜିଲାନ୍ସ ଅଧିକାରୀମାନେ ପାଠକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ ଓ ତାଙ୍କ ସମ୍ପତ୍ତି ବିଷୟରେ ବିବରଣୀ ସଂଗ୍ରହ କରିବା ଆରମ୍ଭ କରିଥିଲେ ।
Published by:Anand Shankar Thankur Das
First published: