ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ହେବ କଷ୍ଟକର: ନୂଆ ଆପ୍ ସବୁ ସୂଚ଼ନା ସଂଗ୍ରହ କରିବ

ଏହି ଆପ୍‌ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଖବର ସଂଗ୍ରହ କରାଯିବ । ଯେ କେହି ଲୋକ ଏହି ଆପ୍ ଦ୍ବାରା ନିୟମ ଖିଲାଫକାରୀଙ୍କ ବିରୋଧରେ ସୂଚନା, ଫଟୋ କିମ୍ବା ଭିଡିଓ ପ୍ରଦାନ କରିପାରିବେ । ପ୍ରଦାନକାରୀଙ୍କ ତଥ୍ୟ ଗୋପନ ରଖାଯିବ ।

ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ହେବ କଷ୍ଟକର: ନୂଆ ଆପ୍ ସବୁ ସୂଚ଼ନା ସଂଗ୍ରହ କରିବ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 20, 2020, 10:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ଏଣିକି ଏକ ଆପ୍‌ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଖବର ସଂଗ୍ରହ କରାଯିବ । ଟ୍ରାଫିକ ନିୟମ ଖିଲାଫକାରୀଙ୍କ ବିରୋଧରେ ସବୁଠି ସୂଚନା ମିଳିପାରୁ ନ ଥିବା ଯୋଗୁଁ ରାଜ୍ୟ ପରିବହନ ବିଭାଗ ଏହି ଆପ୍‌ ଉପଯୋଗ କରିବ ।

ଯେ କେହି ଲୋକ ଏହି ଆପ ଦ୍ବାରା ନିୟମ ଖିଲାଫକାରୀଙ୍କ ବିରୋଧରେ ସୂଚନା, ଫଟୋ କିମ୍ବା ଭିଡିଓ ପ୍ରଦାନ କରିପାରିବେ । ପ୍ରଦାନକାରୀଙ୍କ ତଥ୍ୟ ଗୋପନ ରଖାଯିବ  ।

‘‘ସବୁଠି ଲୋକଙ୍କୁ ଜଗିବା ପାଇଁ ପରିବହନ ବିଭାଗ ପାଖରେ ସାଧନ ନାହିଁ । ରାଜ୍ୟରେ ଯେଭଳି କ୍ରମାଗତଭାବେ ଦୁର୍ଘଟଣା ହାର ବଢିବାରେ ଲାଗିଛି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ଉଦ୍ୟମ କରୁଛି । ଏହି କ୍ରମରେ ‘ସିଟିଜେନ୍‌ ଆପ୍ଲିକେସନ’ ଏବେ ଜଗିବ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ,’’ କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା ।

ଏହି ଆପଟି ଖୁବ୍‌ ଶୀଘ୍ର ନୀତିଗତଭାବେ ଆରମ୍ଭ କରିବ ବିଭାଗ । ଏ ନେଇ ସୂଚନା ମଧ୍ୟ ଜାରୀ କରାଯିବ ।  ‘‘ଆଜିକାଲି ସବୁ ଲୋକଙ୍କ ହାତରେ ସ୍ମାର୍ଟ ଫୋନ୍‌ । ତେଣୁ ସେମାନେ ଚାହିଁଲେ ଟ୍ରାଫିକ ନିୟମ ଖିଲାଫକାରୀଙ୍କ ତଥ୍ୟ ମୋବାଇଲରେ ଅପଲୋଡ୍‌ କରିପାରିବେ । ବିଭାଗର ସ୍ବତନ୍ତ୍ର ଟିମ୍‌ ଏହାର ସତ୍ୟାସତ୍ୟ ଯାଞ୍ଚ୍‌ କରି ଇ-ଚାଲାଣ ଜରିଆରେ ଖିଲାଫକାରୀଙ୍କ ଘରକୁ ତଥ୍ୟ ଓ ନୋଟିସ ପଠେଇବ,’’ କହିଛନ୍ତି ପଣ୍ଡା ।

କେବଳ ‘ସିଟିଜେନ୍‌ ଆପ୍ଲିକେସନ’ ନୁହେଁ, ଜାତୀୟ ରାଜପଥରେ ଦ୍ରୁତ ଗାଡି ଚାଳନା ଉପରେ ରୋକ୍‌ ଲଗାଯିବା ପାଇଁ ଚଣ୍ଡିଖୋଲରୁ ରାମେଶ୍ବର ପର୍ଯ୍ୟନ୍ତ ଜାତୀୟ ରାଜପଥରେ କ୍ୟାମେରା ଟ୍ରାକିଂ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହେବ । ପରିବହନ କମିଶନର କହିଛନ୍ତି ଯେ ଏହି ବ୍ୟବସ୍ଥା ଜରିଆରେ ଦ୍ରୁତ ଗାଡି ଚାଳନା ଉପରେ ରହିବ ନଜର । କେହି ବି ଏହି ଜୋନ୍‌ରେ ଦ୍ରୁତ ଗତିରେ ଗାଡି ଚାଳନା କଲେ ସିଧା ତାଙ୍କ ଠିକଣାରେ ଯିବ ଜୋରିମାନା ଚିଠି  । ତେଣୁ ଲୋକେ ସତର୍କ ହେବେ । ପ୍ରଥମେ ରାଜପଥ ଓ ପରେ ଅନ୍ୟ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯିବ ।

୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ସମାରୋହ ଅବସରରେ ଏ ସମସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଆରମ୍ଭ ହୋଇଥିଲା ଇ-ଚେକ୍‌ପୋଷ୍ଟ୍‌ ବ୍ୟବସ୍ଥା ।  ଏ ବ୍ୟବସ୍ଥା ଅନୁସାରେ ଏଣକି  ଓଡ଼ିଶା ଭିତରକୁ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡି ସିଧା ଅନଲାଇନ ଜରିଆରେ ଦେୟ ପୈଠ କରି  ରାଜ୍ୟ ସୀମା ଭିତରକୁ ପ୍ରବେଶ କରି ପାରିବେ ।   ରାଜ୍ୟ ସୀମା ଭିତରକୁ ଆସିବା ପରେ ଆଉ ସେମାନଙ୍କୁ ନିକଟତମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଜିବାକୁ ପଡିବ ନାହିଁ ।

‘‘ବର୍ଷକ ତଳେ ରାଜ୍ୟ ସୀମାରେ ବିଭିନ୍ନ ଚେକ୍‌ ଗେଟ୍‌ ବ୍ୟବସ୍ଥା ସରକାରୀଭାବେ ଉଚ୍ଛେଦ ପରେ ଏଭଳି ବ୍ୟବସ୍ଥାକୁ ଆମେ ଗୁରୁତ୍ବ ଦେଉଛୁ । ଏହି ବ୍ୟବସ୍ଥା ଦ୍ବାରା ରାଜସ୍ବ ଆୟ ବଢିବ । ସବୁ ବର୍ଗର ଲୋକେ ଉପକୃତ ହେବେ । ଦେୟ ଆଦାୟ ବ୍ୟବସ୍ଥା ମଧ୍ୟ ସ୍ବଚ୍ଛ ହେବ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ଜନସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବିଭାଗୀୟ ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏଥି ସହ ସଡକ ସୁରକ୍ଷା ସପ୍ତାହ ନେଇ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।
First published: January 20, 2020, 10:59 PM IST
corona virus btn
corona virus btn
Loading