କାଲି ଓଡିଶା ବନାମ ଜାମ୍ମୁ ଓ କଶ୍ମୀର ରଣଜୀ କ୍ରିକେଟ ମୁକାବିଲା: କିଏ ମାରିବ ବାଜି?

ଓଡିଶା ଭଳି ଜାମ୍ମୁ ଓ କାଶ୍ମୀର ଟିମ୍ ମଧ୍ୟ ଚଳିତ ସିଜନରେ ଏ ପର୍ଯ୍ୟନ୍ତ ଅପରାଜିତ ରହିଛି । ପରସ୍ପରକୁ ମାତ୍‌ ଦେବା ପାଇଁ ଉଭୟ ଦଳ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନିତି ।

କାଲି ଓଡିଶା ବନାମ ଜାମ୍ମୁ ଓ କଶ୍ମୀର ରଣଜୀ କ୍ରିକେଟ ମୁକାବିଲା: କିଏ ମାରିବ ବାଜି?
ଜାମ୍ମୁ ଓ କାଶ୍ମୀର ଟିମ୍‌ର ସଦସ୍ୟମାନେ ନେଟ୍‌ ପ୍ରାକ୍ଟିସ୍‌ କରୁଛନ୍ତି ।
  • News18 Odia
  • Last Updated: January 18, 2020, 4:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କାଲି (୧୯ ତାରିଖ, ରବିବାର) ଟାଙ୍ଗୀ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯିବ ଚ଼ଳିତ ରଣଜୀ ସିଜିନର ଆଉ ଏକ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଓଡିଶା ଏବଂ ଜାମ୍ମୁ ଓ କାଶ୍ବୀର । ପଏଣ୍ଟ ଟେବୁଲରେ ଓଡିଶା ଜାମ୍ମୁ ଓ କାଶ୍ମୀର ଠାରୁ ଆଗରେ ରହିଥିଲେ ମଧ୍ୟ ନେଟ୍ ରନ୍ ରେଟ୍‌ରେ ଜାମ୍ମୁ ଓ କାଶ୍ମୀରର ସ୍ଥିତି ଓଡିଶା ଅପେକ୍ଷା ଭଲ ରହିଛି ।

ଏହି ମ୍ୟାଚ ପାଇଁ କଟକ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ଦୁଇ ଦଳ। ଚଳିତ ସିଜନରେ ଓଡିଶା ଭଳି ଜାମ୍ମୁ ଓ କାଶ୍ମୀର ଟିମ ମଧ୍ୟ ୫ଟି ଲେଖାଏଁ ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିବା ସହ ଗୋଟିଏ ଗୋଟିଏ ମ୍ୟାଚ ଡ୍ର କରିଛି ।

ଚଳିତ ସିଜନରେ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି ଜାମ୍ମୁ ଓ କାଶ୍ମୀର ଦଳ। ଟିମରେ ମହମ୍ମଦ୍ ମୁଦାସିର୍ ଓ ଉମର୍ ନଜିର୍ ମିର୍ ଙ୍କ ଭଳି ବୋଲର ଥିବା ବେଳେ ଅବଦୁଲ ସମାଦ୍, ସୁରୟାଂଶ୍ ରାଇନା ଓ ଶୁଭମ୍ ଖଜୁରିଆଙ୍କ ଭଳି ଆକ୍ରାମକ ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି ।

‘‘ଆମର ଟିମ ପୁରା ସିଜନରେ ଭଲ ପ୍ରଦର୍ଶନ କରି ଆସୁଛି । ତେଣୁ ଆମେ କାହା ଠାରୁ ନିଜକୁ ବଞ୍ଚାଇକି ନୁହେଁ ବରଂ ନିଜ ଦମମ୍‌ରେ ଖେଳିବୁ,’’ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଟିମର ଖେଳାଳି ଶୁଭମ୍ ପୁଣ୍ଡିର ।

ସେପଟେ ଏହି ସଜନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଲଗାତାର ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଚାଲିଥିବା ଓଡିଶା ଦଳର ମନୋବଳ ମଧ୍ୟ ବେଶ ଉଚ୍ଚା ରହିଛି । ଓଡିଶାର ବୋଲର ମାନେ ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷ ଟିମର ବ୍ୟାଟ୍ସମ୍ୟାନଙ୍କ ଭିତରେ ଭୟ ସଞ୍ଚାର କରିବାରେ ସଫଳ ହୋଇଛନ୍ତି ।

ବିଶେଷ କରି ତିନି ବୋଲର ବସନ୍ତ ମହାନ୍ତି, ରାକେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନାଁରେ ଏହି ସିଜନରେ ପ୍ରତିଟି ମ୍ୟାଚରେ ୫ ବା ୫ରୁ ଅଧିକ ୱିକେଟ ନେବାର ରେକର୍ଡ ମଧ୍ୟ ରହିଛି । ଏହା ବ୍ୟତୀତ ବ୍ୟାଟିଂରେ ବିପ୍ଳବ ସାମନ୍ତରାୟ, ଦେବାଶିଷ ସାମନ୍ତରାୟ ଓ ସାନ୍ତନୁ ମିଶ୍ର ମଧ୍ୟ ପୂରା ଫର୍ମରେ ଅଛନ୍ତି ।

‘‘ବ୍ୟାଟ୍ସମ୍ୟାନ ଫର୍ମକୁ ଆସିବାକୁ ଗୋଟିଏ ଇନିଙ୍ଗ୍ସ୍ ହିଁ ଯଥେଷ୍ଟ । ତେଣୁ କିଛି ବ୍ୟାଟ୍ସମ୍ୟାନ ବଡ ସ୍କୋର ରନ ନ କରି ପାରିବା କୌଣସି ବଡ ସମସ୍ୟା ନୁହେଁ,’’ କହିଛନ୍ତି ଓଡିଶା ଟିମର କ୍ୟାପଟେନ ଶୁଭ୍ରାଶୁଂ ସେନାପତି ।

‘‘ଜାମ୍ମୁ ଓ କାଶ୍ମୀର ଟିମ ଭଲ ପ୍ରଦର୍ଶନ କରିଚାଲିଛି । ତେଣୁ ତାଙ୍କର ଖେଳାଳିମାନଙ୍କ ଦକ୍ଷତା ଓ ଦୁର୍ବଳତାକୁ ଆମେ ଅନୁଧ୍ୟାନ କରି ଏକ ରଣନିତି ପ୍ରସ୍ତୁତ କରୁଛୁ,’’ କହିଛନ୍ତି ଓଡିଶା ରଜଣୀ କ୍ରିକେଟ ଟିମର କୋଚ୍ ରଶ୍ମୀରଞ୍ଜନ ପରିଡା ।

ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଉଭୟ ଟିମ ଲାଗି ଏହି ମ୍ୟାଚ ଏକ ପ୍ରକାର ନିର୍ଣ୍ଣାୟକ ହୋଇଥିବାରୁ ମୁକାବିଲା ଅତି ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।
First published: January 18, 2020, 4:10 PM IST