ରଣଜୀ କ୍ରିକେଟରେ ରୋମାଞ୍ଚ: ଆସନ୍ତା ୨୦ରେ ଓଡିଶା-ବେଙ୍ଗଲ୍ ମୁକାବିଲା; ପୁରସ୍କାର ରାଶି ଘୋଷିତ

ଓଡ଼ିଶା ଖେଳାଳିଙ୍କ ମନୋବଳ ବଢ଼େଇବା ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛି ଓସିଏ । ସେମିଫାଇନାଲକୁ ଗଲେ ପ୍ରତି ଖେଳାଳିଙ୍କୁ ₹୭୫,୦୦୦ ଓ ଫାଇନାଲକୁ ଗଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।

ରଣଜୀ କ୍ରିକେଟରେ ରୋମାଞ୍ଚ: ଆସନ୍ତା ୨୦ରେ ଓଡିଶା-ବେଙ୍ଗଲ୍ ମୁକାବିଲା; ପୁରସ୍କାର ରାଶି ଘୋଷିତ
ଆକ୍ସନ୍‌ରେ ଓଡ଼ିଶା ବ୍ୟାଟ୍ସମ୍ୟାନ୍‌ ଦେବାଶିଷ ସାମନ୍ତରାୟ
  • News18 Odia
  • Last Updated: February 17, 2020, 7:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରଣଜୀ ଟ୍ରଫିର କ୍ବାଟରଫାଇନାଲରେ ପଶ୍ଚିମ ବଙ୍ଗକୁ ଭେଟିବ ଓଡିଶା । ଆସନ୍ତା ୨୦ ତାରିଖ ଦିନ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ହେବାକୁ ଥିବା ଏହି କ୍ବାଟରଫାଇନାଲ ମ୍ୟାଚ଼ ଓଡିଶା ପାଇଁ ଫାଇନାଲ ମ୍ୟାଚ଼ ଠାରୁ କମ ନୁହେଁ । ଉଭୟ ଦଳ ପାଇଁ ଏହି ମ୍ୟାଚ଼ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ନିଜ ହୋମ୍‌ ଗ୍ରାଉଣ୍ଡରେ ହେଉଥିବାରୁ ମ୍ୟାଚ଼ର ଫଳାଫଳ ଓଡିଶା ସପକ୍ଷରେ ଢଳିବାର ଅନେକ ସମ୍ଭାବନା ରହିଛି ।

ପଶ୍ଚିମ ବଙ୍ଗ ଟିମରେ ଅଧିନାୟକ ମନୋଜ ତିୱାରୀ ଓ ସେହବାଜ ଅହମ୍ମଦଙ୍କ ପ୍ରଦର୍ଶନ ଚ଼ଳିତ ସିଜନରେ ବେଶ ଭଲ ରହିଛି । ମନୋଜ ତିୱାରୀ ଟିମ୍‌ ଇଣ୍ଡିଆ ପାଇଁ ମୋଟ ୧୨ଟି ଏକଦିବସୀୟ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି । ସେ ଆଇ.ପି.ଏଲ.ରେ ମଧ୍ୟ ଜଣେ ନିୟମିତ ଖେଳାଳି ।

“କେବଳ ମନୋଜ ତିୱାରୀ ଓ ସେହବାଜ ଅହମ୍ମଦଙ୍କୁ ଛାଡି ଦେଲେ ବେଙ୍ଗଲ ଟିମରେ ସେମିତି କେହି ପ୍ରଭାବଶାଳୀ ଖେଳାଳି ନାହାନ୍ତି । ଏହି ଦୁଇ ଖେଳାଳିଙ୍କ ଦୁର୍ବଳତାକୁ ଚ଼ିହ୍ନଟ କରି ଗେମ୍ ପ୍ଲାନ୍ ପ୍ରସ୍ତୁତ କଲେ ବେଙ୍ଗଲକୁ ହରାଇବା ସହଜ ହେବ,” କହିଛନ୍ତି ଓଡିଶାର ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।

ଓଡିଶା ଟିମର ବୋଲରମାନେ ଚ଼ଳିତ ରଣଜୀ ସିଜନରେ ଅତି ଉଚ୍ଚ କୋଟିର ପ୍ରଦର୍ଶନ ଜାରି ରଖିଛନ୍ତି । ବିଶେଷ କରି ଭେଟରାନ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପେସ୍ ଆଟାକରେ ପ୍ରତିପକ୍ଷ ଟିମ ଧରାଶାୟୀ ହୋଇଛି । ସେହି ଭଳି ଦେବାଶିଷ ସାମନ୍ତରାୟ ଓ ବିପ୍ଳବ ସାମନ୍ତରାୟଙ୍କ ଭଳି ବ୍ୟାଟ୍ସମ୍ୟାନ ପୂରା ଫର୍ମରେ ଥିବା ବେଳେ ଏବେ ନିଜ ଫର୍ମ ଫେରି ପାଇଛନ୍ତି ଅଧିନାୟକ ଶୁଭ୍ରାଶୁଂ ସେନାପତି ।

ବେଙ୍ଗଲ୍‌ ସହିତ ଏହି ମ୍ୟାଚ୍‌ ଯେ ଅତି ରୋମାଞ୍ଚକର ହେବ ତାହା ଏବେ ଠାରୁ ନିଶ୍ଚିତ ହୋଇ ସାରିଛି । ତେବେ ଏହାରି ଭିତରେ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଁ କ୍ବାଟରଫାଇନାଲ ଓ ସେମିଫାଇନାଲ ମ୍ୟାଚ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓ.ସି.ଏ.) ।

“ଆମ ଖେଳାଳିମାନେ ସେମିତି କୌଣସି ସ୍ବତନ୍ତ୍ର ପ୍ରସ୍ତୁତି ନ କରି ଅତି ଚମତ୍କାର ପ୍ରଦର୍ଶନ କରି ଟିମକୁ କ୍ବାଟର ଫାଇନାଲକୁ ନେଇଛନ୍ତି । ଏହା ଖେଳାଳିମାନଙ୍କ ମଜବୁତ ମନୋବଳକୁ ଦର୍ଶାଉଛି । ଏହାକୁ ଆହୁରି ବଢ଼େଇବା ପାଇଁ ଟିମ ସେମିଫାଇନାଲକୁ ଗଲେ ପ୍ରତି ଖେଳାଳିଙ୍କୁ ୭୫ ହାଜର ଓ ଫାଇନାଲକୁ ଗଲେ ଏକ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ହୋଇଛି,’’ କହିଛନ୍ତି ଓ.ସି.ଏ. ସମ୍ପାଦକ ସଞ୍ଜୟ ବେହେରା ।

ଓଡିଶା ଟିମର ପ୍ରଦର୍ଶନ ଚଳିତ ସିଜନରେ ଭଲ ଥିଲେ ମଧ୍ୟ ଏଥିରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସିଜନ ଲାଗି ଟିମ ପାଇଁ ଜଣେ ସ୍ବତନ୍ତ୍ର ବୋଲିଂ ଓ ବ୍ୟାଟିଂ କୋଚ ନିଯୁକ୍ତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ ।
First published: February 17, 2020, 7:06 PM IST