ଜେଲରୁ ବାହାରିଲେ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ IAS ଅଫିସର ବିଜୟ କେତନ ଉପାଧ୍ୟାୟ

ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଜାଲରେ ଛନ୍ଦି ଯାଇଥିଲେ ବିଜୟ କେତନ ଉପାଧ୍ୟାୟ । ବିଲ୍‌ ପାସ୍‌ କରାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ । ଭିଜିଲାନ୍‌ସ ଜାଲରେ ଜଣେ IAS ଅଫିସର ଗିରଫ ହେବାର ଏ ଘଟଣା ଥିଲା ଓଡ଼ିଶାରେ ପ୍ରଥମ ।

ଜେଲରୁ ବାହାରିଲେ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ IAS ଅଫିସର ବିଜୟ କେତନ ଉପାଧ୍ୟାୟ
ଜେଲ୍‌ରୁ ବାହାରି ଗାଡ଼ିରେ ବସି ଯାଉଛନ୍ତି ବିଜୟ କେତନ ଉପାଧ୍ୟାୟ ।
  • News18 Odia
  • Last Updated: February 4, 2020, 7:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କୋର୍ଟରୁ ବେଲ୍‌ ପାଇବାର ଦିନକ ପରେ ରାଜଧାନୀର ଝାରପଡା ଜେଲରୁ ଆଜି ବାହାରିଛନ୍ତି ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ।

ଗତ କାଲି ବିଜୟ କେତନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ଓଡ଼ିଶା ହାଇ କୋର୍ଟ । ରାଜ୍ୟ କୃଷି ଏବଂ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗତ ଡିସେମ୍ବର ୩୦ ରେ ଗିରଫ କରାଯାଇଥିଲା । ଏହି ଘଟଣାରେ ତାଙ୍କ ସହିତ ୟେସ୍‌ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ସନ୍ତୋଷ ପଟ୍ଟନାୟକଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି ହାଇ କୋର୍ଟ ।

ମାସକରୁ ଅଧିକ ସମୟ ଜେଲରେ ରହିବା ପରେ ଜାମିନ ବାହାରକୁ ଆସିଛନ୍ତି ୨୦୦୯ ବ୍ୟାଚ଼ର ଆଇଏଏସ୍‌ ଅଫିସର ବିଜୟ କେତନ । ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ଦ୍ୱାରା ଗିରଫ ହେବା ପରେ ସେ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଫସେଇ ଦିଆଯାଇଛି । ଏମିତି କି ତାଙ୍କ ପତ୍ନୀ ମଧ୍ୟ ଏକ ପ୍ରେସ୍‌ କନଫେରେନ୍ସ କରି ସମାନ ଅଭିଯୋଗ ଆଣିଥିଲେ ଓ ସେ ନିର୍ଦୋଷ ବୋଲି କହିଥିଲେ ।

ଜେଲରୁ ବାହାରିବା ପରେ ବିଜୟ କେତନ ଏହି ମାମଲା ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ‘‘କେସଟି ବିଚାରଧୀନ ଅଛି । ମାନ୍ୟବର ନ୍ୟାୟାଳୟ ଯାହା ବିଚାର କରିବେ ତାକୁ ମୁଁ ଗ୍ରହଣ କରିବି,’’ ସେ କେବଳ ଏତିକି କହିଥିଲେ ।

ନିଜ ଅଫିସରେ ବିଜୟ କେତନ ଉପାଧ୍ୟାୟ (ଫାଇଲ୍‌ ଫଟୋ)


ଗିରଫ ହେବା ପର ଦିନ, ଅର୍ଥାତ ଡିସେମ୍ବର ୩୧ରେ, ପ୍ରଥମ ଥର ପାଇଁ ବିଜୟ କେତନ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ପୁଣି ଥରେ ଜାନୁୟାରୀ ୫ ତାରିଖରେ ସେହି କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିଥିଲେ, ମାତ୍ର ପୁଣି ବିଫଳ ହୋଇଥିଲେ ।

ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଜାଲରେ ଛନ୍ଦି ଯାଇଥିଲେ ବିଜୟ କେତନ ଉପାଧ୍ୟାୟ । ବିଲ୍‌ ପାସ୍‌ କରାଇବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ । ନିଜ ଅଫିସରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ହିଁ ବିଜୟ କେତନଙ୍କୁ ଗିରଫ କରାଯାଇଥିଲା ।

ଭିଜିଲାନ୍‌ସ ଜାଲରେ ପଡ଼ି ଜଣେ ଆଇଏଏସ୍‌ ଅଫିସର ଗିରଫ ହେବାର ଏହି ଘଟଣା ଓଡ଼ିଶାରେ ପ୍ରଥମ । ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଦେଇଥିଲେ ।
First published: February 4, 2020, 7:49 PM IST
corona virus btn
corona virus btn
Loading