ୟୁକ୍ରେନରେ ଫସିଛନ୍ତି ଓଡ଼ିଶାର ୧୫୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ; ଚିନ୍ତାରେ ବାପା-ମା'

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ତେବେ ୟୁକ୍ରେନରେ ଥିବା ପ୍ରତ୍ୟେକଟି ଭାରତୀୟ ତଥା ଓଡ଼ିଶାବାସୀଙ୍କ ପରିବାର ଏବେ ଭୟ ଓ ଚିନ୍ତାରେ ଅଛନ୍ତି।

ୟୁକ୍ରେନରେ ଫସି ରହିଛନ୍ତି ଭାରତୀୟ ଛାତ୍ର (ପ୍ରତୀକାତ୍ମକ ଛବି)

ୟୁକ୍ରେନରେ ଫସି ରହିଛନ୍ତି ଭାରତୀୟ ଛାତ୍ର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କିବ: ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଯୁଦ୍ଧ ପ୍ରଭାବିତ ଦେଶରେ ଫସି ରହିଛନ୍ତି। ଖବର ଅନୁଯାୟୀ, ଓଡ଼ିଶାର ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଅଟକି ରହିଛନ୍ତି ଓ ନିଜ ସହରକୁ ସ୍ଥାନାନ୍ତରିତ ହେବାକୁ ଅପେକ୍ଷା କରିଛନ୍ତି। ଚିନ୍ତିତ ପରିବାର ସଦସ୍ୟ କେନ୍ଦ୍ର ତଥା ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସହାୟତା ତଥା ନିରାପଦ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ।

ୟୁକ୍ରେନର ବିନିସ୍ତା ସହରରେ ଫସି ରହିଛନ୍ତି ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ଢେଙ୍କାନାଳ ଗୋବିନ୍ଦପୁର ଗାଁର ୨୦ ବର୍ଷୀୟ ଯୁବକ ସୁପ୍ରିତ ସ୍ୱାଇଁ। ପୁଅକୁ ଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସୁପ୍ରିତଙ୍କ ମା'।

ଋଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଘମାଘୋଟ ଯୁଦ୍ଧ। ଉଭୟ ଦେଶଙ୍କ ଭିତରେ ଗୁଳିଗୋଳା ବର୍ଷା ଜାରି ରହିଥିବା ବେଳେ ୟୁକ୍ରେନ ଦେଶରେ କିଛି ଓଡ଼ିଆ ଛାତ୍ରଛାତ୍ରୀ ମେଡିକାଲ ପଢ଼ିବାକୁ ଯାଇ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କ ଭିତରେ ଢେଙ୍କାନାଳର କିଛି ଛାତ୍ରଛାତ୍ରୀ ମଧ୍ୟ ରହିଥିବା ଜଣାପଡ଼ିଛି।

ଢେଙ୍କାନାଳ ଗୋବିନ୍ଦପୁର ଗାଁର ବାପା ସନ୍ତୋଷ କୁମାର ସ୍ୱାଇଁ ଓ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଏକମାତ୍ର ପୁଅ ସୁପ୍ରିତ ସ୍ୱାଇଁ ଗତ ଡିସେମ୍ବର ୧୧ ତାରିଖରେ ମେଡିକାଲ ପଢ଼ିବାକୁ ଯାଇଥିଲେ। ସେଠାରେ ବିନିସ୍ତା ନ୍ୟାସନାଲ ମେଡିକାଲ ୟୁନିଭରସିଟି କଲେଜରେ ସେ ନାମ ଲେଖା କରିବା ପରେ ସେଠିକାର କଲେଜ ହଷ୍ଟେଲରେ ଅନ୍ୟ କିଛି ଓଡ଼ିଆ ଯୁବକଙ୍କ ସହ ଏକାଠି ରହୁଛନ୍ତି। ସେ ପଢୁଥିବା ମେଡିକାଲ ପାଠ୍ୟକ୍ରମ ପାଞ୍ଚ ବର୍ଷ ଆଠ ମାସର ବୋଲି କହିଛନ୍ତି ତାଙ୍କ ମା' ସନ୍ଧ୍ୟାରାଣୀ।

ସେହିପରି ଗୁରୁବାର ସକାଳୁ ସୁପ୍ରିତଙ୍କ ମା' ଗଣମାଧ୍ୟମରେ ୟୁକ୍ରେନ ଓ ଋଷ ଭିତରେ ଯୁଦ୍ଧ ଆରମ୍ଭ ହୋଇଥିବା ଖବର ଦେଖିବା ପରେ ପୁଅଙ୍କ ସହ ଯୋଗାଯୋଗ କରିଥିଲେ। ପୁଅଙ୍କ ସହ କଥା ହେବା ପରେ ସେ ରହୁଥିବା ବିନିସ୍ତା ସହରରେ ପରିସ୍ଥିତି ବେଳକୁ ବେଳ ବିଗୁଡୁଥିବା କହିଛନ୍ତି ସୁପ୍ରିତ। ଭାରତକୁ ୟୁକ୍ରେନର ସମସ୍ତ ବିମାନ ଚଳାଚଳ ବନ୍ଦ କରି ଦିଆ ଯାଇଥିବାରୁ ସ୍ୱଦେଶ ଫେରି ନପାରି କଲେଜ ହଷ୍ଟେଲରେ ରହିଥିବା ଜଣାପଡ଼ିଛି।

ଏହି ମାମଲାରେ ସୁପ୍ରିତ କହିଛନ୍ତି, ‘‘ ଆମେ ରହୁଥିବା କଲେଜ ହଷ୍ଟେଲ ଅଞ୍ଚଳରେ ପଦାକୁ ନବାହାରିବାକୁ ୟୁକ୍ରେନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ବାରଣ କରାଯାଇଛି। ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ଠାରୁ ପାସପୋର୍ଟ ସେଠାରେ ରହୁଥିବା ଜଣେ ଏଜେଣ୍ଟ ନେଇ ଯାଇଥିବା ବେଳେ ପ୍ରସ୍ତୁତ ହୋଇ ରହିବାକୁ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ଆମଙ୍କୁ ସ୍ୱଦେଶ ପଠାଇବାର ବନ୍ଦୋବସ୍ତ କରିବା ପାଇଁ ପ୍ରତିଶୃତି ଦିଆଯାଇଛି।’’

ୟୁକ୍ରେନର ରାଜଧାନୀ କିବ ଠାରୁ ୨୭୧ କିଲୋମିଟର ଦୂରରେ ଅଛନ୍ତି ସୁପ୍ରିତ। ସେଠାରେ ପରିସ୍ଥିତି ଧିରେ ଧିରେ ବିଗୁଡୁଥିବାର ପୁଅ ଠାରୁ ଖବର ପାଇବା ପରେ ମା' ସନ୍ଧ୍ୟାରାଣୀ ଅଧିକ ବିଚଳିତ ହୋଇ ପଡ଼ିଥିବା କହିଛନ୍ତି। କେବଳ ତାଙ୍କ ପୁଅ ନୁହେଁ ସେଠାରେ ଫସି ରହିଥିବା ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସରକାର ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ସୁପ୍ରିତଙ୍କ ମା' ସନ୍ଧ୍ୟାରାଣୀ।

ମେଡିକାଲ ପାଠ ପଢ଼ିବା ପାଇଁ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସୁପ୍ରିତଙ୍କ ସହ ଶ୍ୟାମାଚରଣପୁରର ଆଶାଦୀପ ମହାପାତ୍ର ଭାଗିରଥି ବିହାର ଓ କାମାକ୍ଷାନଗରର ଦୁଇଜଣ ଛାତ୍ରୀ ମଧ୍ୟ ୟୁକ୍ରେନରେ ଫସି ରହିଥିବା ସୂଚନା ମିଳିଛି। ସ୍ୱଦେଶ ଫେରି ଆସିବା ପାଇଁ ଚାତକ ଭଳି ସରକାରଙ୍କ ପଦକ୍ଷେପକୁ ଅନାଇ ବସିଛନ୍ତି ସମସ୍ତେ। ଏପଟେ ଏ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରୁଥିବା କହିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ।
Published by:Lipina Das
First published: