ରାଜ୍ୟ ବିଜେପିକୁ ଏ ଥର ମିଳିପାରେ ମହିଳା ସଭାପତି; ବିଜେଡିର ମହିଳା କାର୍ଡ଼କୁ ଭାଙ୍ଗିବାକୁ ଉଦ୍ୟମ

ବିଜେପି ପକ୍ଷରୁ କୁହାଯାଉଛି ଯେ ସମସ୍ତଙ୍କୁ ସାଥିରେ ନେଇ ଦଳକୁ ନେତୃତ୍ବ ଦେବାର କ୍ଷମତା ରଖୁଥିବା ଚ଼େହେରାଙ୍କୁ ହିଁ ମିଳିବ ରାଜ୍ୟର ଏ ଗୁରୁ ଦାୟିତ୍ବ । କିନ୍ତୁ ଏ କଥା ସ୍ପଷ୍ଟ ହୋଇଯାଇଛି ଯେ ସମ୍ଭାବିତ ରାଜ୍ୟ ସଭାପତି ତାଲିକାରେ ବିଜେପିର ପୁରୁଷ ନେତାଙ୍କ ତୁଳନାରେ ମହିଳା ନେତ୍ରୀମାନେ ଆଦୌ ପଛରେ ନାହାନ୍ତି ।

ରାଜ୍ୟ ବିଜେପିକୁ ଏ ଥର ମିଳିପାରେ ମହିଳା ସଭାପତି; ବିଜେଡିର ମହିଳା କାର୍ଡ଼କୁ ଭାଙ୍ଗିବାକୁ ଉଦ୍ୟମ
ବିଜେପିର ଏକ ସଭାରେ ଭାଗ ନେଉଥିବା ମହିଳା ସଦସ୍ୟାମାନେ
  • News18 Odia
  • Last Updated: January 13, 2020, 9:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚ଼ନ ପ୍ରକ୍ରିୟା ଯେତେ ଯେତେ ବିଳମ୍ବ ହେଉଛି, ସଭାପତି ଦୌଡରେ ଥିବା ନାଁଗୁଡ଼ିକୁ ନେଇ ଚ଼ର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ଏବେ ଚ଼ର୍ଚ୍ଚା ହେଉଛି ହୁଏତ ଏ ଥର ପ୍ରଥମ କରି ବଦଳିପାରେ ରାଜ୍ୟ ସଭାପତି ନିର୍ବାଚନର ଇତିହାସ । ପ୍ରଥମ ଥର ରାଜ୍ୟ ବିଜେପି ପାଇଁ କେନ୍ଦ୍ରୀୟ ନେତୃତୃ ଜଣେ ମହିଳାଙ୍କୁ ସଭାପତିଭାବେ ଭରସା କରିପାରନ୍ତି ।

ଦଳର ଏହି ଚ଼ର୍ଚ୍ଚାରେ ଆଗରେ ଅଛନ୍ତି ଚ଼ାରି ଜଣ ପ୍ରମୁଖ ନେତ୍ରୀ – ବରିଷ୍ଠ ନେତ୍ରୀ ସୁରମା ପାଢୀ, ବର୍ତ୍ତମାନର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ବଲାଙ୍ଗୀର ସାଂସଦ ତଥା ବରିଷ୍ଠ ନେତ୍ରୀ ସଂଗୀତା ସିଂହଦେଓ ଓ ପୂର୍ବତନ ପ୍ରଶାସିକା ତଥା ବର୍ତ୍ତମାନର ଭୁବନେଶ୍ବର  ସାଂସଦ ଅପରାଜିତା ଷଡଙ୍ଗୀ ।

କୁହାଯାଉଛି ସମସ୍ତଙ୍କୁ ସାଥିରେ ନେଇ ଦଳକୁ ନେତୃତ୍ବ ଦେବାର କ୍ଷମତା ରଖୁଥିବା ଚେହେରାଙ୍କୁ ହିଁ ମିଳିବ ଏ  ଗୁରୁ ଦାୟିତ୍ବ ।  କିନ୍ତୁ ଗୋଟେ କଥା ସ୍ପଷ୍ଟ ଯେ ଭାବୀ ରାଜ୍ୟ ସଭାପତି ତାଲିକାରେ ଦଳର ପୁରୁଷ ନେତାଙ୍କ ତୁଳନାରେ ମହିଳା ନେତ୍ରୀମାନେ ଆଦୌ ପଛରେ ନାହାନ୍ତି ।

ବରିଷ୍ଠ ବିଜେପି ନେତ୍ରୀ ସୁରମା ପାଢୀ  ହେଉଛନ୍ତି ଜଣେ ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ । ସେ ଦଳର ଜଣେ ଅନ୍ୟତମ ଆଗ ଧାଡିର ନେତ୍ରୀ ଓ ଗ୍ରହଣୀୟ ବ୍ୟକ୍ତିତ୍ବ । ସେ ୨୦୦୪ରେ ରଣପୁର ବିଧାନସଭାରୁ ନିର୍ବାଚିତ ହୋଇଥିଲେ ଓ ସେ ସମୟରେ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ।  ଦଳୀୟ ସଂଗଠନରେ ତାଙ୍କର ବେଶ୍‌ ଗ୍ରହଣୀୟତା ଅଛି ।  ବିଶେଷ କରି ଦଳର ରାଜ୍ୟ ଓ କେନ୍ଦ୍ର ନେତୃତ୍ବ ସହ ପାଢୀଙ୍କ ସମ୍ପର୍କ ବେଶ୍‌ ଭଲ । ସଂଗଠନକୁ କ୍ରିୟାଶୀଳ କରିବାରେ ତାଙ୍କର ଦକ୍ଷତା ବାରମ୍ବାର ପ୍ରମାଣିତ ହୋଇଛି । ଦଳୀୟ ଆନୁଗତ୍ୟ କଥା ବିଚ଼ାର କଲେ, ଏଥର ଯଦି ଦଳର କେନ୍ଦ୍ରୀୟ ନେତୃତ୍ୱ ମହିଳା ସଭାପତି କଥା ଚିନ୍ତା କରନ୍ତି ତେବେ ହୁଏତ ସୁରମା ପାଢୀ ହୋଇପାରନ୍ତି ପ୍ରଥମ ପସନ୍ଦ  ।

ପ୍ରଭାତୀ ପରିଡା ବର୍ତ୍ତମାନ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ  । ୨୦୦୯ରେ ସ୍ବାଧୀନଭାବେ ଓ ୨୦୧୪ ତଥା ୨୦୧୯ରେ ଦୁଇଥର ବିଜେପି ଦଳୀୟ ଟିକଟରେ ନିମାପଡା ବିଧାନସଭା ଆସନରୁ ଲଢି ସେ ଅବଶ୍ୟ ସଫଳତା ପାଇନାହାନ୍ତି । ହେଲେ ଦଳ ତାଙ୍କର ଗୁରୁତ୍ବ ବୁଝିଛି  । ଦଳର ଏକାଧିକ ମେଗା କ୍ୟାମ୍ପେନକୁ ଦିଗ ଦେବା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକେଇବାର ଦକ୍ଷତା ପ୍ରଭାତୀଙ୍କର ଅଛି । ଯଦି ମହିଳା ନେତୃତ୍ବ ଓ ସାଂଗଠନିକ ଦକ୍ଷତା କଥା ଦଳ ବିଚାର କରେ, ତେବେ ହୁଏତ  ପରିଡା ସଭାପତି ପଦପାଇଁ ଦଳୀୟ ପସନ୍ଦ ଭିତରକୁ ଆସିପାରନ୍ତି  ।

ପୂର୍ବତନ ପ୍ରଶାସିକା ତଥା ଏବେକାର ଭୁବନେଶ୍ବର ସାଂସଦ  ଅପରାଜିତା ଷଡଙ୍ଗୀ ଦଳରେ ନୂଆ ହୋଇଥିଲେ ବି ଦଳୀୟ ଗ୍ରହଣୀୟତା ତାଙ୍କର ଅଛି । ବିଶେଷତଃ ଦଳର ତୁଙ୍ଗ ନେତା ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ସେ ଖୁବ୍‌ ନିକଟ ଭାବେ ଜଣାଶୁଣା । ଖୁବ୍‌ କମ୍‌ ଦିନ ଭିତରେ ଦଳରେ ସେ ପ୍ରଭାବ ଦେଖାଇପାରିଛନ୍ତି । ମହିଳା ସଶକ୍ତୀକରଣ, ଯୁବ ନେତୃତ୍ବ ତଥା ସ୍ଥାନୀୟ ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରବୀଣା । ଯଦି ଦୃଢ ମହିଳା ନେତୃତ୍ବ କଥା ବିଚ଼ାରକୁ ନିଆଯାଏ, ତେବେ ଷଡଙ୍ଗୀଙ୍କୁ ରାଜ୍ୟ ସଭାପତି କରିବାକୁ ଦଳ ନିଷ୍ପତ୍ତି ନେଇପାରେ ।

ବଲାଙ୍ଗୀର ସାଂସଦ ତଥା ରାଜ ପରିବାରର ସଦସ୍ୟା ସଂଗୀତା ସିଂହଦେଓ ତିନି ତିନି ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ସେ ଏବେ ବଲାଙ୍ଗୀରର ସାଂସଦ । ଦଳରେ ତାଙ୍କର ପ୍ରଚ଼ୁର ଗ୍ରହଣୀୟତା ଅଛି । ବିଶେଷତଃ ପଶ୍ଚିମ ଓଡ଼ିଶାରେ ବିଜେପିର ଦୃଢ ସାଂଗଠନିକ ନେତୃତ୍ବ ଉପରେ ସିଂହଦେଓ ପରିବାରର ପ୍ରଭାବ ଥିବାରୁ ହୁଏତ ସଂଗୀତାଙ୍କୁ ରାଜ୍ୟ ସଭାପତି ଭାବେ ନିର୍ବାଚ଼ିତ କରିବା ଉପରେ ଦଳ ବିଚ଼ାର କରିପାରେ ।

ନିକଟରେ ଦୁଇ ବିଜେପି କେନ୍ଦ୍ରୀୟ ନେତା, ଯଥା ରାଷ୍ଟ୍ରୀୟ ଉପସଭାପତି ବିନୟ ସହସ୍ରବୁଦ୍ଧେ ଓ ବିଜେପିର କେନ୍ଦ୍ରୀୟ ସମ୍ପାଦକ ଆର ପି ସିଂ, ଓଡ଼ିଶା ଓଡ଼ିଶା ଗସ୍ତ କରି ଫେରିଛନ୍ତି  । ସେମାନେ ଦଳର କେନ୍ଦ୍ରୀୟ କମିଟି ପାଖରେ ରିପୋର୍ଟ ମଧ୍ୟ ଦାଖଲ କରି ସାରିଛନ୍ତି ।  ଏ ଭଳି ସମୟରେ ମହିଳା ସଭାପତିକୁ ନେଇ ଚ଼ର୍ଚ୍ଚା ଦଳୀୟ ରାଜନୀତିକୁ ରୋଚକ କରିଛି ।

‘‘ବିଜେପିକୁ ଓଡ଼ିଶାରେ ନେତୃତ୍ବ ଦେବାର କ୍ଷମତା ଓ ଦଳୀୟ ଗ୍ରହଣୀୟତା ଆଧାରରେ ହିଁ ନିର୍ବାଚିତ ହେବେ ରାଜ୍ୟ ବିଜେପି ସଭାପତି, ସେ ପୁରୁଷ ହୁଅନ୍ତୁ ବା ମହିଳା । ତେବେ ପୂର୍ବରୁ ରାଜ୍ୟରେ କୌଣସି ମହିଳା ବିଜେପି ସଭାପତି ଦାୟିତ୍ବରେ ନ ଥିବା ଯୋଗୁଁ ଏଥର ହୁଏତ ଶାସକ ବିଜେଡିର ମହିଳା କାର୍ଡକୁ ପ୍ରତିହତ କରିବା ପାଇଁ ବିଜେପି ମହିଳା ସଭାପତି କାର୍ଡ ଖେଳିପାରେ,’’ କହିଛନ୍ତି ରାଜନୈତିକ ସମୀକ୍ଷକ ଅକ୍ଷୟ କୁମାର ସାହୁ ।

ଅନ୍ୟ ପକ୍ଷେ ଦଳର ରାଜ୍ୟ ସହ-ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ କହିଛନ୍ତି: ‘‘ସହମତି ଭିତ୍ତିରେ ଓ ସାମଗ୍ରିକ ଯୋଗ୍ୟତା ତଥା ଦକ୍ଷତା ଆଧାରରେ ସଭାପତି ନିର୍ବାଚନ ଚୂଡ଼ାନ୍ତ ହେବ । ଦଳରେ ପୋଷ୍ଟର ମାରୁଥିବା ସାଧାରଣ କର୍ମୀଟିଏ ମଧ୍ୟ ଉଚ୍ଚ ଦଳୀୟ ପଦପଦବୀକୁ ଯିବାର ଉଦାହରଣ ଅଛି । ତେଣୁ ଯାହା ନିଷ୍ପତ୍ତି ହେବ ତାହା ଦଳ ପାଇଁ ନୂଆ ହେବ ନାହିଁ ।’’

ସମ୍ଭାବିତ ମହିଳା ସଭାପତି ପ୍ରସଙ୍ଗରେ ରାୟ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ମଧ୍ୟ ସଭାପତି ଦାୟିତ୍ବରେ ଅଛନ୍ତି ମହିଳା, ‘‘ଯାହା ହୁଏତ ଓଡ଼ିଶାରେ ବି ପ୍ରତିଫଳିତ ହୋଇପାରେ’’ । ତେବେ ସବୁ ଦଳର କେନ୍ଦ୍ରୀୟ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି ସେ ଜୋର୍‌ ଦେଇ କହିଛନ୍ତି ।

ଶୀତ ଋତୁରେ ଏମିତି ଆକଳନ ଓ ଚ଼ର୍ଚ୍ଚାର ବଜାର ଗରମ ଥିବା ବେଳେ ବିଜେପି ନେତୃତ୍ୱ ରାଜ୍ୟ ସଭାପତି ନିର୍ବାଚନ ଉପରେ କରୁଥିବା ମନ୍ଥନରେ ଜଲ୍‌ଦି ପୂର୍ଣ୍ଣଛେଦ ପଡ଼ିବାର ସମ୍ଭାବନା ଦିଶୁ ନାହିଁ ।
First published: January 13, 2020, 9:54 PM IST