News18 Odia Digital
ଓଡ଼ିଶା: ୨୦୨୪ ପାଇଁ ବିଜେପିର ସମରସଜ୍ଜା । ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଯାଇଛି ରାଜ୍ୟ ବିଜେପି । ଏବେଠାରୁ ଲଢ଼େଇର ଭିତ୍ତି ପଡ଼ିଛି, ଓଡ଼ିଶା ଦଖଲ ସହ ମିଶନ ପୂରା ହେବ ବୋଲି କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏଥିପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଛି ଖସଡ଼ା । ମେ ୩୦ରୁ ଜୁନ୍ ୩୦, ମାସେ କାଳ ରାଜ୍ୟବ୍ୟାପୀ ହେବ ମହାଜନସଂପର୍କ ଅଭିଯାନ । କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଅଭିଯାନ ଚାଲିବ । ଲକ୍ଷ୍ୟ- ବୁଥ୍ ସ୍ତରରେ ବି ଦଳକୁ ମଜଭୁତ କରିବା । ଏହି ଅଭିଯାନରେ ଜନସଭା, ସାଧାରଣ ସଭା, ପଦଯାତ୍ରା ଏବଂ ଡୋର୍ ଟୁ ଡୋର୍ କ୍ୟାମ୍ପନ କରାଯିବ । ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତି ନେଇ ଜନଜାଗରଣ କରାଯିବ ।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ ନେତାଙ୍କୁ ୨୪ ଲଢେଇ ପାଇଁ ଦେଇଛନ୍ତି ଆହ୍ବାନ । କହିଛନ୍ତି, ଆଜିଠାରୁ ଲଢ଼େଇର ଭିତ୍ତି ପଡ଼ିଲା । ଓଡ଼ିଶା ଦଖଲ ପରେ ହିଁ ମିଶନ ପୂରା ହେବ । ସେପଟେ କାର୍ଯ୍ୟକାରିଣୀ ପୂର୍ବରୁ ବସିଥିଲା ରାଜ୍ୟ ପଦାଧିକାରୀ ବୈଠକ। ମନମୋହନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଏବଂ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ଦିଲ୍ଲୀରେ ମନମୋହନଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ନଡ୍ଡା ଯେଉଁ ମନ୍ତ୍ର ଦେଇଥିଲେ, ବୈଠକରେ ତା ଉପରେ ବିଶଦ ଆଲୋଚନା କରି ରୋଡ୍ମ୍ୟାପ ପ୍ରସ୍ତୁତ କରିଥିଲେ ବିଜେପିର ଏହି କୋର୍ ଟିମ୍ ।
ସେପଟେ କାର୍ଯ୍ୟକାରିଣୀରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ସଙ୍ଗଠନ ସ୍ଥିତିକୁ ନେଇ ପଦାଧୀକାରୀଙ୍କ ସହ ସିଧାସଳଖ ପ୍ରଶ୍ନ ଉତ୍ତର କରିଥିଲେ। ଜିଲ୍ଲାୱାରୀ ଦେଇଥିବା ପୁରୁଣା ଟାସ୍କର ଫିଡ୍ବ୍ୟାକ ନେଇଥିଲେ ବଂଶଲ । ସଂଗଠନ ସୁଦୃଢ଼ ପାଇଁ ଗ୍ରାଉଣ୍ଡୱାର୍କ କରିବାକୁ ପରାମର୍ଶ ଦେଇଥିଲେ ।
ମାସେ ବ୍ୟାପୀ ମହାଜନସଂପର୍କ ଯାତ୍ରା ଉପରେ ବିଜେପିର ଫୋକସ୍ । ଏହି ମାସେ ଭିତରେ ଗ୍ରାଉଣ୍ଡରେ ସଂଗଠନକୁ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବେ ନେତାଠୁ କର୍ମୀ ।
ପଢନ୍ତୁ ଏହି ଖବର:
http://Scooter EMI: ୬ ଟଙ୍କାରେ ଚାଳିବ ୧୨୦ କି.ମି...୧୫ ଶହ ଟଙ୍କା EMIରେ କିଣନ୍ତୁ ଇ-ସ୍କୁଟର !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।