News18 Odia Digital
OSSC Exam: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପକ୍ଷରୁ ରବିବାର ଆୟୋଜିତ ହୋଇଥିଲା ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟଟାଣ୍ଟ ଗ୍ରୁପ୍ ‘ବି’ । ସେଥିରେ ଓଡ଼ିଆ ଭାଷାରେ କରାଯାଇଥିବା ପ୍ରଶ୍ନପତ୍ରକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏଭଳି ବେପରୁଆ ଢଙ୍ଗରେ ପରୀକ୍ଷା କରି ପିଲାଙ୍କ ଭାଗ୍ୟ ସହ ଖେଳ ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସଶସ୍ତ୍ର ସୁରକ୍ଷା ବଳର କନେଷ୍ଟବଳ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ଦେଇ ହେବ । କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଚାରି ଆଡେ ଖୁସି ପ୍ରକାଶ ପାଇଥିଲା । କିନ୍ତୁ ବର୍ତ୍ତମାନ ପ୍ରଶ୍ନପତ୍ର ଦେଖିବା ପରେ ଖୁସି ପାଣି ଫୋଟକା ପରି ମେଳାଇଯାଇଛି ।
ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା । ଗୁଗୁଲ ଟ୍ରାନ୍ସଲେଟ ସାହାଯ୍ଯରେ ତାହା ପ୍ରସ୍ତୁତ କରାଯାଇଥିବା ଭଳି ମନେ ହେଉଛି । ଯେଉଁମାନେ ପ୍ରଶ୍ନପତ୍ର ତିଆରି କରିଛନ୍ତି ସେମାନେ ଓଡ଼ିଆ ଜାଣି ନାହାନ୍ତି କିମ୍ୱା କୌଣସି ଓଡ଼ିଶାର ସଂସ୍ଥା ଏହା ପ୍ରସ୍ତୁତ କରିନାହାନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି ଲୋକ ।
ଗଣିତ ଠାରୁ ସାଧାରଣ ଜ୍ଞାନ ପର୍ଯ୍ୟନ୍ତ ସବୁ ପ୍ରଶ୍ନ ବିକୃତ ଓଡ଼ିଆରେ ଲେଖାଯାଇଛି । ସରକାରୀ ଚାକିରି ପାଇଁ ହଜାର ହଜାର ପରୀକ୍ଷାର୍ଥୀ ଦୀର୍ଘଦିନ ଧରି ପ୍ରସ୍ତୁତି କରିଛନ୍ତି । କିନ୍ତୁ ଏପରି ପ୍ରଶ୍ନପତ୍ର ଦେଖି ସେମାନେ ନିରାଶ ହୋଇଛନ୍ତି । ପରୀକ୍ଷା ହଲ ମଧ୍ୟ ଅନେକ ପରୀକ୍ଷାର୍ଥୀ ଏହାର ପ୍ରତିବାଦ କରିଥିବାର ଶୁଣିବାକୁ ମିଳୁଥିଲା । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବାକୁ କେହି ନଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।