ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଗିରଫ ହେଲା
ଶନିବାର ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି କ୍ରାଇମ ବ୍ରାଞ୍ଚର ଏସ୍.ଆଇ.ଟି. (SIT) ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ଉଠାଇନେଇଥିଲା ଓ ଏକ ଅଜ୍ଞାତ ସ୍ଥାନରେ ରଖି ସେମାନଙ୍କୁ ଜେରା କରିଥିଲା ।

ପାଞ୍ଚ ବର୍ଷର ଝିଅ ପରୀକୁ ଜୁନ୍ ମାସରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା ।
- News18 Odia
- Last Updated: December 20, 2020, 7:55 PM IST
ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଆଉ ଏକ ମୋଡ଼ ନେଇଛି । ଏହି ମାମଲାରେ ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି । ଏସ୍.ଆଇ.ଟି. (SIT) ଆସନ୍ତାକାଲି ନୟାଗଡ଼ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ହାଜର କରିବ । ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମ୍ବ୍ରାଞ୍ଚ ଏସ୍.ଆଇ.ଟି. (SIT) ଏହି ମାମଲାର ତଦନ୍ତ କରୁଥିଲା ।
ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିଜେପି ଭୁବନେଶ୍ବରରୁ ନୟାଗଡ଼ରୁ ଯଦୁପୁରକୁ ପଦଯାତ୍ରା ଆରମ୍ଭ କରିଥିଲା । ନୟାଗଡ଼ ନାବାଳିକା ପାଇଁ ୫ ଦିନ ଧରି ପଦଯାତ୍ରା କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକୁଳି, ୨୩ରେ ପିଚୁକୁଳିରୁ ଇଟାମାଟି ଓ ୨୪ରେ ଇଟାମାଟିରୁ ଯଦୁପୁର ପଦଯାତ୍ରା କରି ସେଠାରେ ଏକ ବଡ଼ ସଭା କରିବ ଦଳ । ଶନିବାର ଦିନ ମଧ୍ୟ ପରୀ ହତ୍ୟା ଘଟଣାକୁ ନେଇ ଅନୁଗୁଳ ଓ ବାଲେଶ୍ୱର ସମେତ କେତେକ ସ୍ଥାନରେ ବିଜେପି ପଦଯାତ୍ରା ଆୟୋଜନ କରିଥିଲା । ବରିଷ୍ଠ ବିଜେପି ନେତା ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଅନୁଗୁଳ ହାଇ ସ୍କୁଲ ସାମନା ଗାନ୍ଧି ପାର୍କଠାରୁ ପଦଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହି ଘଟଣାର ସିବିଆଇ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।
ଏବେ ମଧ୍ୟ ମାମଲାର ତଦନ୍ତ ଜାରି ରହିଥିବା ଏସ୍.ଆଇ.ଟି. (SIT) ତରଫରୁ ସୂଚନା ମିଳିଛି । ଯଦୁପୁର ଗାଁର ନାବାଳିକା ଗତ ଜୁଲାଇ ୧୪ ତାରିଖରୁ ନିଖୋଜ ଥିଲେ । ଜୁଲାଇ ୨୩ ତାରିଖରେ ନାବାଳିକାର କଙ୍କାଳ ଜବତ ହୋଇଥିଲା ।