News18 Odia Digital
ଭୁବନେଶ୍ବର: ଓଡ଼ିଶାରେ କୋଭିଡ ସ୍ଥିତିର ଉନ୍ନତି ସହିତ, ପ୍ରାୟ ଏକ ମାସର ବ୍ୟବଧାନ ପରେ ଆଜିଠୁ ଅଷ୍ଟମ ଶ୍ରେଣୀରୁ ନେଇ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶାରୀରିକ ଶ୍ରେଣୀ ପୁନଃ ଆରମ୍ଭ ହେବ। ସେହିପରି କଲେଜ ଓ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ପ୍ରବେଶଠୁ ନେଇ ଶ୍ରେଣୀଗୃହ ପର୍ଯ୍ୟନ୍ତ ସୁବ୍ୟବସ୍ଥା କରାଯାଇଛି। ପୂରା କ୍ୟାମ୍ପସକୁ ସାନିଟାଇଜ କରାଯାଇଛି। ଏବେ କେବେଳ ଛାତ୍ରଛାତ୍ରୀଙ୍କୁ ଅପେକ୍ଷା ସ୍କୁଲ।
ଆଜି ଅଷ୍ଟମରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଅପରାହ୍ନ ୪ଟା ଯାଏଁ ହେବ। ପିଲାମାନେ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ। ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବ ଭଳି ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମିଳିବ।
ସେହିପରି ଯେଉଁମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନେ ଚାହିଁଲେ ଅନ୍ଲାଇନ୍ ମାଧ୍ୟରେ କ୍ଲାସ କରିପାରିବେ। କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ। ଶ୍ରେଣୀଗୃହରେ ପିଲାଙ୍କ ମଧ୍ୟରେ ୬ ଫୁଟର ଦୂରତା ରକ୍ଷା କରାଯିବ। ଏସଓପି ଅନୁସାରେ କ୍ଲାସ ହେବ।
ଶାରୀରିକ କ୍ଲାସ ଆରମ୍ଭ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ମଧ୍ୟ ସମାନ ଆନନ୍ଦିତ। ସେହିପରି ରବିବାର ଦିନ ଶିକ୍ଷାନୁଷ୍ଠାନଗୁଡିକ ସମସ୍ତ କରୋନା ନିର୍ଦ୍ଦେଶାବଳୀ ସହିତ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ଶ୍ରେଣୀଗୃହରେ ବସିବା ଠାରୁ ଆରମ୍ଭ କରି କ୍ୟାମ୍ପସ ପରିମଳ ପର୍ଯ୍ୟନ୍ତ ସେମାନେ ସବୁକିଛିର ଯତ୍ନ ନେଉଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।