ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ମାମଲା: ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ସିବିଆଇ ପକ୍ଷରୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ କେବଳ ୫ ଦିନ ପାଇଁ ଅନୁମତି ଦେଇଛନ୍ତି । ଶୁଭ୍ରା କୁଣ୍ଡୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ ।

ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ
- News18 Odia
- Last Updated: January 18, 2021, 10:42 AM IST
ଭୁବନେଶ୍ୱର: ବହୁଚର୍ଚ୍ଚିତ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ମାମଲାରେ ସଂସ୍ଥାର ଗ୍ରୁପ୍ ଅଧ୍ୟକ୍ଷା ତଥା ଚିଟ୍ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଭୁବନେଶ୍ୱର ଆଣିଛି ସିବିଆଇ । ସିବିଆଇର ଏକ ସ୍ବତନ୍ତ୍ର ଇଓଡବ୍ଲୁ ଟିମ୍ କୋଲକାତାରୁ ଗିରଫ କରି ଭୁବନେଶ୍ବର ଆଣିଛି । ଶୁଭ୍ରା କୁଣ୍ଡୁଙ୍କୁ ବିମାନ ବନ୍ଦରରୁ ସିଧା ଭୁବନେଶ୍ୱର ସିବିଆଇ କାର୍ଯ୍ୟଳୟକୁ ନିଆଯାଇଥିଲା । ଏଠାରେ କିଛି ପ୍ରଶ୍ନର ସମ୍ମୁଖୀନ ତାଙ୍କୁ ସମ୍ମୁଖୀନ ହେବାକୁ ପଡିଥିଲା ।
ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ଶୁଭ୍ରାଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରିଥିଲା । ସିବିଆଇ ତାଙ୍କୁ କୋର୍ଟ ଚାଲାଣ କରିବା ପରେ ଇଡି ମଧ୍ୟ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଏହି ଚିଟ୍ଫଣ୍ଡ ସଂସ୍ଥାର ଅନ୍ୟ ଦୁଇଟି ସହଯୋଗୀ ସଂସ୍ଥାର ମୁଖ୍ୟ ଭାବରେ କାମ କରୁଥିଲେ । କୋଲକାତା ଭିଆଇପି ରୋଡ୍ରେ ସେ ‘ଆଦ୍ରିଜା’ ନାମକ ଏକ ସୁନାଗହଣା ସୋ’ ରୁମ୍ ମଧ୍ୟ ଚଳାଉଥିଲେ । ଚିଟ୍ଫଣ୍ଡ ସଂସ୍ଥାରୁ ସଂଗୃହୀତ ମୋଟା ଅଙ୍କର ଟଙ୍କା ଏଥିରେ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଥିଲା । ଏକାଧିକ ଥର ସେ ବିଦେଶରେ ଟଙ୍କା କାରବାର କରିଛନ୍ତି । କୋଟିକୋଟି ଟଙ୍କାର ବେନିୟମ କାରବାର କରିବା ସହ ବିଦେଶ ଯାତ୍ରା ବି କରିଛନ୍ତି । ଅଧିକ ତଥ୍ୟ ପାଇଁ ତାଙ୍କୁ ରିମାଣ୍ଡ୍ରେ ନେବ ସିବିଆଇ ।
ରୋଜ୍ଭ୍ୟାଲି ଗ୍ରୁପ୍ ଓଡ଼ିଶା ସମେତ ବିହାର କୋଲକାତା ପ୍ରଭୃତି ରାଜ୍ୟରେ ବ୍ୟାପକ ଠକେଇ କରିଛି । ଜମା ଅର୍ଥ ଉପରେ ୮ ରୁ ୨୭ ପ୍ରତିଶତ ସୁଧ ଦେବା ଲୋଭ ଦେଖାଇ ସଂସ୍ଥା ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲା । କମ୍ ଟଙ୍କାରେ ଜମି ଓ ଘର ପ୍ରଦାନ କରିବାକୁ ମଧ୍ୟ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା । ୫ ବର୍ଷ ମଧ୍ୟରେ ସଂସ୍ଥା ୧୫ ହଜାର ୪୮୪ କୋଟି ଟଙ୍କା ଠକେଇ କରିଥିବା ବେଳେ ଓଡ଼ିଶାରେ ରୋଜ୍ଭ୍ୟାଲି ହଜାରେ କୋଟିରୁ ଊର୍ଦ୍ଧ୍ବ ଠକିଛି । ୨୭ ଟି ବ୍ରାଞ୍ଚ ଖୋଲି ଏଭଳି ଠକେଇ କରାଯାଇଛି । ତେବେ ଓଡ଼ିଶାରୁ ହୋଇଥିବା ଠକେଇ ଟଙ୍କାକୁ ସେ କିଭଳି ବିନିଯୋଗ କରିଛନ୍ତି ସେ ନେଇ ଜେରା ବେଳେ ଅଧିକ ତଥ୍ୟ ମିଳିପାରିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି ।
ଏହାକୁ ନେଇ ରାଜ୍ୟର କିଛି ଜମାକାରୀ ଖୁସ ଅଛନ୍ତି । କାରଣ କିଛି କ୍ଷୁଦ୍ର ଜମାକାରୀଙ୍କୁ ଛାଡିଦେଲେ ରାଜ୍ୟ ସରକାର ବାକି ସବୁ କ୍ଷୁଦ୍ର ଓ ନାମ ମାତ୍ର ଜମାକାରୀଙ୍କୁ ସବୁ ଅର୍ଥ ଫେରାଇ ପାରିନାହାନ୍ତି । ଏଭଳି ସ୍ଥଳେ ସିବିଆଇ ଫେରିବା ଓ ତଦନ୍ତ କ୍ରିୟାଶୀଳ କରାଇବା ଯୋଗୁ ଜମାକାରୀଙ୍କ ମନରେ ଆଶା ସଂଚାର ହୋଇଛି ।