ରାଜ୍ୟରେ ଉପସ୍ଥାପିତ ହେଲା ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍; କୃଷି ଉପରେ ସରକାରଙ୍କ ଫୋକସ୍

ବଜେଟରେ ବିଧାୟକ ପାଣ୍ଠିକୁ ୧ କୋଟି ଟଙ୍କାରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି । ବିଧାୟକ ଅନୁଦାନ ପାଣ୍ଠି ପାଇଁ ୪୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଣିକି ସାଂସଦ ପାଣ୍ଠି ଠାରୁ ଓଡ଼ିଶାରେ ବିଧାୟକଙ୍କ ପାଣ୍ଠିର ପରିମାଣ ଅଧିକ ହେବ ।

ରାଜ୍ୟରେ ଉପସ୍ଥାପିତ ହେଲା ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍; କୃଷି ଉପରେ ସରକାରଙ୍କ ଫୋକସ୍
ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ
  • News18 Odia
  • Last Updated: February 18, 2020, 9:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଧାନ ସଭାରେ ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି । ଦେଶରେ ପ୍ରଥମ ଥର ପାଇଁ ଆଇପ୍ୟାଡ୍‌ରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ । ଏ ଥର ବଜେଟରେ କୃଷି ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ବ ।

ଏହି ବଜେଟ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣରୂପେ ପେପରଲେସ୍‌ (ବିନା କାଗଜରେ) ବଜେଟ୍‌ ଥିଲା । ଅର୍ଥ ମନ୍ତ୍ରୀ ଆଇପ୍ୟାଡ୍‌ ଧରି ବଜେଟ୍‌ ଉପସ୍ଥାପନ କରିଥିବାରୁ ପାଖାପାଖି ୭୫ ଲକ୍ଷ ପୃଷ୍ଠାର କାଗଜ ବଞ୍ଚିଯାଇଛି । ତା’ର ଅର୍ଥ ଏହା ଯେ ଏଥି ପାଇଁ ପାଖାପାଖି ୭୦୦ଟି ଗଛ ରକ୍ଷା ପାଇଯାଇଛନ୍ତି ।

ଓଡ଼ିଶା ଏକ ଖାଦ୍ୟ ନିଅଣ୍ଟ ପଡ଼ୁଥିବା ରାଜ୍ୟରୁ ଉଠି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି ଓ ବିପର୍ଯ୍ୟୟ ମୁକାବିଲାରେ ଏକ ମଡେଲ ରାଜ୍ୟରେ ପରିଣତ ହୋଇଛି ବୋଲି କହିଛନ୍ତି ପୁଜାରୀ । ଜାଗା ମିସନ ମାଧ୍ୟମରେ ବସ୍ତି ବାସିନ୍ଦା ଉପକୃତ ହୋଇଛନ୍ତି । ଓଡ଼ିଶାକୁ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମିଳିଛି । ରାଜ୍ୟ ବଜେଟ୍‌ ନିଅଣ୍ଟିଆ ବଜେଟ (deficit budget) ରୁ ବଳକା ବଜେଟ୍‌ (surplus budget) ରେ ପରିଣତ ହୋଇଛି । ମୁଖ୍ୟ ମନ୍ତ୍ରୀଙ୍କ 5T ଓ ମୋ ସରକାର ଆମକୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ।

କୃଷି ପାଇଁ ୧୯ ହଜାର ୪୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କାଳିଆ ଯୋଜନା ବାବଦରେ ସର୍ବାଧିକ ୩,୧୯୫ କୋଟିର ବ୍ୟୟବରାଦ ହୋଇଥିବାବେଳେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ଆସିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ । ଚ଼ାଷୀଙ୍କୁ ଋଣ ବାବଦକୁ ୧୫ ହଜାର କୋଟିର ବ୍ୟୟବରାଦ ରଖାଯାଇଛି । ଆଗାମୀ ୫ ବର୍ଷରେ ଆୟ, ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା କରାଯାଇଛି ।

ଚ଼ାଷୀଙ୍କୁ ଆଗୁଆ ବିହନ ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି ଓ ଆଗୁଆ ସାର ଯୋଗାଣ ପାଇଁ ୧୦୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ୨୦୨୦-୨୧ରେ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରହିଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୬୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ରାଜ୍ୟ ମାଣ୍ଡିଆ ମିସନ ପାଇଁ ୧୦୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟରେ ଜଳଛାୟା କ୍ଲଷ୍ଟର୍‌ ଗଠିତ ହେବ ବୋଲି ବଜେଟରେ ଦର୍ଶାଇଛନ୍ତି ପୁଜାରୀ । ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨୨୦ କୋଟି ଟଙ୍କା ଅଣାଯାଇ ବୃହତ ଓ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରେ ଖର୍ଚ୍ଚ ହେବ । କୃଷିର ଉନ୍ନତି ପାଇଁ ଶ୍ରେଷ୍ଠ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବଜେଟରେ ବିଧାୟକ ପାଣ୍ଠିକୁ ୧ କୋଟି ଟଙ୍କାରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି । ବିଧାୟକ ଅନୁଦାନ ପାଣ୍ଠି ପାଇଁ ୪୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଣିକି ସାଂସଦ ପାଣ୍ଠି ଠାରୁ ଓଡ଼ିଶା ବିଧାୟକଙ୍କ ପାଣ୍ଠି ପରିମାଣ ଅଧିକ ହେବ । ସାତଟି ବିଧାନସଭା ନିର୍ବାଚ଼ନମଣ୍ଡଳୀ ପାଇଁ ଏବେ ଜଣେ ସାଂସଦଙ୍କୁ ମିଳୁଛି ୫ କୋଟି ଟଙ୍କା । କିନ୍ତୁ ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ଏଣିକି ବିଧାୟକଙ୍କୁ ମିଳିବ ୩ କୋଟି ଟଙ୍କା ।

ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀଦଳମାନେ । ବିଜେପି ଏହାକୁ ଅନ୍ତଃସାର ଶୂନ୍ୟ କହିଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ କେନ୍ଦ୍ର ବଜେଟରେ ଆସିଥିବା ଅନୁଦାନକୁ ନେଇ ରାଜ୍ୟରେ ଯୋଜନା ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବଜେଟ ଲୋକବିରୋଧୀ ଓ ଶିକ୍ଷା ଓ ଚାଷ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଏଥିରେ ଅଣଦେଖା ହୋଇଛି ।
First published: February 18, 2020, 9:38 PM IST