ଗଞ୍ଜାମ ବସ୍ ଟ୍ରାଜେଡି: ୧୧ କେଭି ତାର ବିଷୟରେ ସାଉଥ୍‌କୋକୁ ଜଣାଯାଇଥିଲା, କିଛି ଆକ୍ସନ ହେଇ ନ ଥିଲା

ରାସ୍ତା ୩ ଫୁଟ ଉଚ୍ଚା କରାଯାଇଥିବାରୁ ଉପରେ ଟଣାଯାଇଥିବା ୧୧ କେଭି ତାର ବିପଦ ସୃଷ୍ଟି କରିପାରେ ବୋଲି ୨୦୧୮ରେ ସାଉଥ୍‌କୋକୁ ଜଣାଯାଇଥିଲା ବୋଲି କହିଛନ୍ତି ଆର୍‌.ଡି.ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଜେନା । ଜଣେଇବା ପରେ ବି କିଛି ପଦକ୍ଷେପ ନିଆଗଲା ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି ।

ଗଞ୍ଜାମ ବସ୍ ଟ୍ରାଜେଡି: ୧୧ କେଭି ତାର ବିଷୟରେ ସାଉଥ୍‌କୋକୁ ଜଣାଯାଇଥିଲା, କିଛି ଆକ୍ସନ ହେଇ ନ ଥିଲା
ଗଞ୍ଜାମ ଦୁର୍ଘଟଣା ପର ଦିନ ବସିଥିବା ଉଚ୍ଚସ୍ତରୀୟ ବୈଠକ ।
  • News18 Odia
  • Last Updated: February 12, 2020, 2:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଗଞ୍ଜାମର ଗୋଳନ୍ଥରା ମେଣ୍ଡରାଜପୁରରେ ବିଦ୍ୟୁତ ତାର ଲାଗି ବସ୍ ଜଳିଯିବା ଓ ୧୦ ଜଣ ଲୋକ ପ୍ରାଣ ହରେଇବା ପରେ ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ପରସ୍ପର ଉପରେ ଦୋଷ ଲଦିଛନ୍ତି । ହେଲେ ଏମିତି ବିପଦ ଆଗକୁ ଆସିପାରେ ବୋଲି ବିଦ୍ୟୁତ ବିଭାଗକୁ ଜଣେଇ ଦିଆଯିବା ପରେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା ବିଷୟରେ ବିଭାଗ ଚୁପ୍‌ ରହିଛି ।

ମେଣ୍ଡରାଜପୁର ପାଖରେ ରାସ୍ତା ୩ ଫୁଟ ଉଚ୍ଚା କରାଯାଇଥିବାରୁ ଉପରେ ଟଣାଯାଇଥିବା ୧୧ କେଭି ତାର ବିପଦ ସୃଷ୍ଟି କରିପାରେ ବୋଲି ୨୦୧୮ରେ ସାଉଥ୍‌କୋକୁ ଜଣାଯାଇଥିଲା ବୋଲି କହିଛନ୍ତି ଆର୍‌.ଡି.ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଜେନା । ଜଣେଇବା ପରେ ବି କିଛି ପଦକ୍ଷେପ ନିଆଗଲା ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି ।

ଦୁର୍ଘଟଣା ଘଟିବାର ଦିନକ ପରେ ଏକ ବୈଠକ ଡକାଇ ବ୍ରହ୍ମପୁର ଡିଭିଜନର ଦୁଇଟି ବିଭାଗର ଚ଼ାରି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ହେଲେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି ଯେ ଯନ୍ତ୍ରୀଙ୍କୁ ବଳି ପକାଇ ମନ୍ତ୍ରୀ ଖସିଗଲେ ଚ଼ଳିବନି । ମନ୍ତ୍ରୀ ଓ ଉଚ୍ଚ ଅଫିସରଙ୍କ ବିରୋଧରେ ବି ଦାୟିତ୍ୱହୀନତା ପାଇଁ ଆକ୍ସନ ହେବା ଉଚ଼ିତ ବୋଲ୍ ସେମାନେ କହିଛନ୍ତି ।

‘‘ଏହି ହୃଦୟବିଦାରକ ଓ ମାନବକୃତ ଦୁର୍ଘଟଣା ପାଇଁ କେବଳ ତଳ ସ୍ତରର କିଛି ଯନ୍ତ୍ରୀଙ୍କ ଉପରେ ଦୋଷ ଲଦି ତାଙ୍କ ଉପରେ ଦଣ୍ଡାତ୍ମକ କାର୍ଯ୍ଯାନୁଷ୍ଠାନ ନେଇ ସରକାର ବର୍ତ୍ତିଯାଇପାରିବେ ନାହିଁ । ଏ ଦୁର୍ଘଟଣା ପାଇଁ ନୈତିକ କାରଣରୁ ଶକ୍ତି ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଉଚ଼ିତ ଓ ସାଉଥକୋର ସି.ଇ.ଓ.ଙ୍କୁ ଗିରଫ କରାଯିବା ଉଚ଼ିତ,’’ କହିଛନ୍ତି ମୁଖ୍ୟ ବିରୋଧୀ ଦଳ ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର ।

ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର


କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଏ ଦୁର୍ଘଟଣା ପାଇଁ ସରକାର ପୂର୍ଣ୍ଣତଃ ଦାୟୀ । ’’ଦଶଟି ପ୍ରାଣ ଚ଼ାଲିଗଲା ଓ ଦୁଇ ଡଜନ୍‌ ଲୋକ ଆହତ ହେଲେ । ଯେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା ପାଇଁ କେବଳ ଶକ୍ତି ବିଭାଗ ଦାୟୀ । ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇ.ପି.ସି.ର ୩୦୨ ଦଫା ଲଗାଯିବା ଉଚ଼ିତ ଓ ନୈତିକତା ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଅବିଳମ୍ବେ ଇସ୍ତଫା ଦେବା ଉଚ଼ିତ,’’ କହିଛନ୍ତି ସାଲୁଜା ।

ଏ ପର୍ଯ୍ୟନ୍ତ ଶକ୍ତି ବିଭାଗ ବା ପରିବହନ ବିଭାଗ ବା ଗ୍ରାମ୍ୟ ଉନ୍ନୟନ ବିଭାଗ କେହି ନିଜ ମୁଣ୍ଡ ଉପରକୁ ଦୋଷ ନେଉନାହାନ୍ତି । ବରଂ ପରସ୍ପରକୁ ଦାୟୀ କରୁଛନ୍ତି ସେମାନେ । ହେଲେ ୧୧ କେଭି ତାର୍ ଲାଗି ବସ୍ ଜଳିଯିବା ଓ ୧୦ ଜଣଙ୍କ ଜୀବନ ଚ଼ାଲିଯିବା ଘଟଣା ପଛରେ ଦାୟୀ ଲୋକମାନଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରୁଛନ୍ତି ମୃତକଙ୍କ ସମ୍ପର୍କୀୟ, ରାଜ୍ୟବାସୀ ଓ ବିରୋଧୀ । ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ସେମାନେ ସନ୍ତୁଷ୍ଟ ହୋଇନାହାନ୍ତି ।

ଲୋକସେବା ଭବନରେ ଦୁର୍ଘଟଣାର ପୋଷ୍ଟମର୍ଟମ କରି ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏଣିକି ରାସ୍ତା ଠାରୁ ଅତି କମ୍‌ରେ ୨୦ ଫୁଟ ଉଚ୍ଚରେ ୧୧ କେଭି ତାର ଟଣାଯିବ । ଯେଉଁଠି କମ୍ ଉଚ୍ଚତା ଥିବ, ସେ ସ୍ଥାନ ଚିହ୍ନଟ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର


‘‘ବସ୍ ଯେଉଁ ରୁଟ୍‌ରେ ଆସୁଥିଲା, ତାହା ଠିକ୍ ରୁଟ୍ ଥିଲା କି ନାହିଁ, ଏ ବାବଦରେ ଜିଲ୍ଲା ପ୍ରଶାସନକୁ ମଗାଯାଇଛି ରିପୋର୍ଟ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

୨୦୧୬ରେ ଢେଙ୍କାନାଳର ଭୁବନରେ ଏମିତି ଏକ ଦୁର୍ଘଟଣା ଘଟି ଛଅ ଜଣ ଲୋକଙ୍କ ଜୀବନ ଯାଇଥିଲା । ସେମିତି ୨୦୧୮ ମସିହାରେ ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ଏକା ଥରକେ ସାତଟି ହାତୀଙ୍କର ମୃତ୍ୟୁ ଘଟିଥିଲା । ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ରାଜ୍ୟରେ ବିଦ୍ୟୁତ ଆଘାତରେ ୧,୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଶକ୍ତି ବିଭାଗର ଅବହେଳା ଯୋଗୁଁ ଗତ ୧୦ ବର୍ଷ ଭିତରେ ୧୨୦ ହାତୀଙ୍କର ମୃତ୍ୟୁ ଘଟିଛି ।
First published: February 12, 2020, 2:23 AM IST