News18 Odia Digital
ଭୁବନେଶ୍ୱର: ପ୍ରସ୍ତାବିତ ଐତିହ୍ୟ ଅଧିନିୟମ NMA କୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏକାମ୍ର କ୍ଷେତ୍ରରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ଅଲ ଓଡ଼ିଶା ମନ୍ଦିର ସେବାୟତ ସଂଘ ମଧ୍ୟ ଧମକ ଦେଇଛି । ସଂଘ କହିଛି ଯେ ମିଳିତ ପ୍ରତିବାଦ ପରେ ପୁରୀ ଶ୍ରୀମନ୍ଦିରକୁ ବାଇ-ଲ ପ୍ରତ୍ୟାହାର କରାଗଲା । ତେଣୁ ଏକାମ୍ର କ୍ଷେତ୍ର ସମେତ ସାରା ରାଜ୍ୟରୁ ଏହା ତୁରନ୍ତ ପ୍ରତ୍ୟାହାର ହେଉ । ନେହେଲେ ଏହାକୁ ନେଇ ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ରାଜ୍ୟର ସବୁ ମନ୍ଦିରରେ ପ୍ରତିବାଦ କରାଯିବ । ଅନ୍ୟ ପକ୍ଷରେ ଏହାକୁ ନେଇ ମଧ୍ୟ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଭିିତରେ ବୟାନବାଜି ଆରମ୍ଭ ହୋଇଛି ।
ପୁରୀ ଜଗନ୍ନାଥ ମନ୍ଦିର ତଥା ଲିଙ୍ଗରାଜ ମନ୍ଦିରକୁ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ ପରିଧି ଭିତରୁ ବାଦ ଦିଆଯିବା ପରେ ଏବେ ଏକାମ୍ର କ୍ଷେତ୍ରକୁ ଏହି ଅଧିନିୟମ ଭିତରେ ସାମିଲ ଉଦ୍ୟମକୁ ନେଇ ବିରୋଧ ଆରମ୍ଭ ହୋଇଛି । ଏହାକୁ ଅଲ ଓଡ଼ିଶା ମନ୍ଦିର ସେବାୟତ ସଂଘ ବିରୋଧ କରିଛି ।
" ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶର ମନ୍ଦିର ପାଇଁ ଏଭଳି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ହେବା ଜରୁରୀ । କାରଣ ଏହା ସେବାୟଙ୍କ ସମେତ କୋଟି କୋଟି ଶ୍ରଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଛି । ଏଠି କିଛି ଐତିହ୍ୟ ନୁହେଁ, ସବୁ ଚଳନ୍ତି ଠାକୁର । ତେଣୁ ଲିଙ୍ଗରାଜ ମନ୍ଦିର ସନ୍ନିକଟ ବାସୁଦେବ ମନ୍ଦିର ଓ ବ୍ରହ୍ମେଶର ମନ୍ଦିରକୁ ସେ ପରିସର ଭୁକ୍ତ କରାଯିବା ଅନୁଚିତ । କାରଣ ଏହା ହେବ ଏଠାକାର ପରମ୍ପରା ଓ ଜନ ବିରୋଧୀ । ଯେଉଁ ଉଦ୍ଦେଶ୍ୟରେ ଏହାକୁ ଲାଗୁ କରିବାକୁ ବିଭାଗୀୟ ଅଧିକାରୀ ଉଦ୍ୟମ କରୁଛନ୍ତି ତାହା ଗ୍ରହନୀୟ ନୁହେଁ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ନ ହେଲେ ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ୧୮୦୦୦ ମନ୍ଦିର ର ସେବାୟତମାନେ ଏହାକୁ ପ୍ରତିବାଦ କରିବେ, " କହିଛନ୍ତି ସଂଘର ରାଜ୍ୟ ସଭାପତି କାମେଶ୍ବର ତ୍ରିପାଠୀ ।
ସେହିଭଳି ମନ୍ଦିରର ସଂଖାଧିକ ସେବାୟତମାନେ ମଧ୍ୟ ଏହି ପ୍ରତିବାଦ ଡାକରାକୁ ସମର୍ଥନ କରିଛନ୍ତି । "ରାଜ୍ୟର ସବୁ ପୁରୁଣା ମନ୍ଦିରର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ତେଣୁ ଏସବୁକୁ କେବଳ ଐତିହ୍ୟ ଭାବେ ପରିଚିତି ଦେବା ଠିକ ହେବ ନାହିଁ । ସବୁ ମନ୍ଦିର ସହିତ ଲୋକ ଭାବାବେଗକୁ ଗୁରୁତ୍ୱ ଦିଆଯିବା ଦରକାର," କହିଛନ୍ତି ଲିଙ୍ଗରାଜଙ୍କ ସେବକ ସଦାଶିବ ।
ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି । " ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟ ସରକାର ଯଦି କିଛି ପଦକ୍ଷେପ ନେଉଛନ୍ତି ଏହି ଉନ୍ନତିକରଣକୁ କେହି ବାଧା ଦେବା ଉଚିତ ନୁହେଁ । ଏହାଦ୍ବାରା ରାଜ୍ୟର କ୍ଷତି ହେବ । କେହି ବି ଓଡ଼ିଶାର ଧର୍ମବିଶ୍ୱାସୀଙ୍କ ବିଶ୍ୱାସକୁ କୁଠାରଘାତ କରିବା ଭଳି କାର୍ଯ୍ୟ କରିବା ଉଚିତ ନୁହେଁ, "କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଏହି ପ୍ରସଙ୍ଗରେ ମଧ୍ୟ ବିଜେଡି ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର ହେବା ଦରକାର । ଶୁକ୍ରବାର ମଧ୍ୟ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ନିଜେ ମୁଖ୍ୟ ମନ୍ତ୍ରୀ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ । ସେହିଭଳି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ପ୍ରସଙ୍ଗରେ କେଉଁ କେଉଁ ଐତିହ୍ୟ ବାଦ ଦିଆଯିବା ଉଚିତ ତାହା ବିଭାଗୀୟ ଅଧିକାରୀ ଙ୍କୁ ଚିଠି କେଖିବାକୁ ରାଜ୍ୟ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ ।
ତେବେ ରାଜ୍ୟର ସ୍ବାର୍ଥ ଦ୍ରୁଷ୍ଟିରୁ ଏହାକୁ ରାଜ୍ୟରେ ମିଳିତଭାବେ ବିରୋଧ କରିବା ବୁଦ୍ଧିଜୀବୀ ମହଲରୁ ସମର୍ଥନ ଉଦ୍ୟମକୁ ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।