Budget 2022: କେନ୍ଦ୍ର ବଜେଟ ୨୦୨୨କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ଓଡ଼ିଶା ରାଜନେତାମାନେ

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ନଥିବା ଜଣା ପଡ଼ିଥିଲେ । କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଓ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ।

କେନ୍ଦ୍ର ବଜେଟ ୨୦୨୨କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ଓଡ଼ିଶା ରାଜନେତାମାନେ

କେନ୍ଦ୍ର ବଜେଟ ୨୦୨୨କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ଓଡ଼ିଶା ରାଜନେତାମାନେ

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟକୁ ନେଇ କିଛି ରାଜନେତା ଖୁସି ନଜର ଆସୁଥିବା ବେଳେ ଆଉ ନିରାଶ ଜଣାପଡୁଛନ୍ତି। ଏହି କ୍ରମରେ ଅନେକ ରାଜନେତା ସାମିଲ ଅଛନ୍ତି। ତେବେ ଆସନ୍ତୁ ଜାଣିବାକୁ କେନ୍ଦ୍ର ବଜେଟ ୨୦୨୨କୁ ନେଇ କିଏ କ'ଣ ପ୍ରତିକ୍ରିୟା ରଖିଛନ୍ତି।

ମଙ୍ଗଳବାର ଦିନ କେନ୍ଦ୍ର ବଜେଟକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ନଥିବା ଜଣା ପଡ଼ିଥିଲେ । କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଓ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ। ମଧ୍ୟମ ଓ ଗରିବ ବର୍ଗର ଲୋକେ ଦରବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବଜେଟରେ ଏ ଦିଗକୁ ଅଣଦେଖା କରାଯାଇଛି। ପୂର୍ବରୁ ଏଫ୍‌ସିଆଇ ଦ୍ୱାରା ଧାନ ଉଠାକୁ ନେଇ ବହୁ ଗମ୍ଭୀର ସମସ୍ୟା ରହିଛି। ଏହାରି ମଧ୍ୟରେ ଏନ୍‌ଏଫ୍‌ଏସ୍ଏ ଦ୍ୱାରା ପ୍ରଦାନ କରାଯାଉଥିବା ଖାଦ୍ୟ ସବସିଡି ହ୍ରାସ କୃଷକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ। ଏଣୁ ଏହା ଉପରେ ପୁନର୍ବିଚାର ହେବା ଆବଶ୍ୟକ ବୋଲି ମୁଖ୍ୟ ମନ୍ତ୍ରୀ ଜୋର ଦେଇଥିଲେ।

ସେପଟେ ଜଳ ଜୀବନ ମିଶନ, ପିଏମ୍‌ଏୱାଇ ଅନୁଯାୟୀ ଆବଣ୍ଟନ ବୃଦ୍ଧିକୁ ସ୍ୱାଗତ କରିଛନ୍ତି ମୁଖ୍ୟ ମନ୍ତ୍ରୀ। ଏଥିସହିତ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର ଦାବିକୁ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାର ଓଡ଼ିଶାର ଗରିବ ଓ ଆଦିବାସୀ ଜନସାଧାରଣଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ନବୀନଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କେନ୍ଦ୍ର ବଜେଟକୁ ଐତିହାସିକ ଓ ଯୁଗାନ୍ତକାରୀ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସମୀର କହିଛନ୍ତି ସ୍ଵାଧୀନତାର ୭୫ ବର୍ଷ ପାଳନ ଅର୍ଥାତ ଅମୃତ କାଳର ଏହି ବଜେଟ ଶ୍ରେଷ୍ଠ ଭାରତ ଗଠନର ମୂଳଦୁଆ। ସମାଜର ସବୁ ବର୍ଗଙ୍କ ପାଇଁ ଏହି ବଜେଟରେ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର।

ମହାମାରୀ ସମୟରେ ସମସ୍ତ ଦେଶର ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି ହେଲେ ଭାରତ ମଜବୁତ ଅଛି। ଓଡ଼ିଶାବାସୀଙ୍କୁ ଅନେକ ସୁଫଳ ମିଳିବ। ତେଣୁ ବଜେଟର କାର୍ଯ୍ୟକାରିତା ମିଶନ ମୋଡ଼ରେ ଗ୍ରାମାଞ୍ଚଳରେ ପହଞ୍ଚାଇ ରାଜ୍ୟ ସରକାରଙ୍କୁ ଅନରୋଧ କରିଛନ୍ତି ସମୀର ମହାନ୍ତି।

ସାମଗ୍ରୀକ ଭାବେ ଦେଖିଲେ ରୋଜଗାର ସୃଷ୍ଟି ପାଇଁ ନିବେଶ ବ୍ୟବସ୍ଥା ହୋଇଛି ଯାହା ଦ୍ଵାରା ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଚାଷୀମାନଙ୍କ ପାଇଁ ବଜାର ବ୍ୟବସ୍ଥା ଓ ଟେକ୍ନୋଲୋଜି ବ୍ୟବହାର କରି ଖର୍ଚ୍ଚ କମାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ବ୍ୟୟବରାଦ ହୋଇଛି। ଏଥିରୁ ରାଜ୍ୟର ୭୦ ଲକ୍ଷ ମହିଳା ଗୋଷ୍ଠୀର ମହିଳାମାନେ ଫାଇଦା ପାଇବେ। ସେମାନଙ୍କୁ ଆଗକୁ ଆୟକର ଦାତା ତାଲିକାରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ନୂଆ ଭାରତର ନୂଆ ନାଗରିକ ସୃଷ୍ଟି ପାଇଁ ପ୍ରି ସ୍କୁଲ ଅର୍ଥାତ ଅଙ୍ଗନୱାଡ଼ି ଉନ୍ନତିକରଣ ପାଇଁ ବ୍ୟବସ୍ଥା ହୋଇଛି। ବ୍ୟାପକ ଭାବରେ ଏକଲବ୍ୟ ସ୍କୁଲ ସଂଖ୍ୟା ବଢ଼େଇବାକୁ ବଜେଟରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, ‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ବ୍ୟୟବରାଦ ହୋଇଛି ଓଡ଼ିଶାର ଅନେକ ଗରିବ ଲୋକ ତା'ର ଫାଇଦା ପାଇବେ କିନ୍ତୁ ରାଜ୍ୟ ସରକାର ରାଜନୀତି ନକରି ଯୋଗ୍ୟ ଲୋକ କେମିତି ପାଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ। ପଞ୍ଚାୟତ ଓ ବ୍ଳକ୍ ପ୍ରତିନିଧିମାନଙ୍କୁ ପଞ୍ଚଦଶ ଅର୍ଥ କମିଶନର ୨୦ ପ୍ରତିଶତ ଓ ଜିଲ୍ଳା ପରିଷଦ ସଭ୍ୟ ମାନଙ୍କୁ ୧୦ ପ୍ରତିଶତ ଖର୍ଚ୍ଚ କରିବାକୁ କ୍ଷମତା ଦିଆଯିବା ସେମାନଙ୍କ ପ୍ରତି ଉପହାର। ଗ୍ରାମାଞ୍ଚଳରେ ଜୀବନଧାରଣ ଉନ୍ନତ କରିବାରେ ସହାୟକ ହେବ। ଗତି ଶକ୍ତି ମିଶନ ମୋଡ଼ରେ କାମ ହୋଇଛି ଓଡ଼ିଶାରେ ୫ ହଜାର ୭୫୦ କିମି ରାସ୍ତା ହୋଇଛି। ଜଳପଥ ପାଇଁ ବି ବ୍ୟୟବରାଦ ହୋଇଛି। ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି। ୪୦୦ ବନ୍ଦେ ମାତରମ୍ ଟ୍ରେନ୍ ଚଲାଇବାକୁ ବ୍ୟବସ୍ଥା ଓଡ଼ିଶାକୁ ବି ଅନେକ ମିଳିବ। ପୋଷ୍ଟ ଅଫିସ ଗୁଡ଼ିକ ଡିଜିଟାଲ ନଵୀକରଣ ହେବ ଏଟିଏମ ହେବ। ବ୍ୟାକିଙ୍ଗ ସୁବିଧା ନଥିବା ଅଞ୍ଚଳରେ ଏହାଦ୍ଵାରା ଅନେକ ଉପକୃତ ହେବେ। ପାଞ୍ଚ ହଜାର ରାଜସ୍ୱ ଗ୍ରାମକୁ ଅପଟିକାଲ ଫାଇବର ସହ ଯୋଡ଼ିବାକୁ ବ୍ୟବସ୍ଥା। ରାଜ୍ୟରେ ଭୁଷୁଡ଼ି ପଡିଥିବା ସମବାୟ ସଂସ୍ଥା ଗୁଡିକୁ ସୁଦୃଢ଼ କରିବାକୁ ଏହି ବଜେଟରେ ବ୍ୟବସ୍ଥା ହୋଇଛି। ବଜେଟ୍ ପାଇଁ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ବଜେଟର ଫାଇଦା ତୀବ୍ର ଗତିରେ ରାଜ୍ୟର ପ୍ରତି ଲୋକ ପାଖରେ ଫହଞ୍ଚାଇବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛି।’’

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘‘ଓଡ଼ିଶା ପାଇଁ ବଜେଟ ୨୦୨୨ରେ କ’ଣ ଅଛି? କିଛି ବି ନାହିଁ! ପ୍ରଧାନ ମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିପରି ଭୁଲି ଯାଇଛନ୍ତି ଯେ, ଦୁଇ ବର୍ଷର ଭୟଙ୍କର ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସହିତ ଓଡ଼ିଶା ନିରନ୍ତର ସଂଗ୍ରାମ କରୁ ଅଛି, ତେଣୁ ରାଜ୍ୟ ସହାୟତା ଆବଶ୍ୟକ କରେ। ଏହି ଜନ-ବିରୋଧୀ ବଜେଟ ଦେଖି କଷ୍ଟ ଲାଗୁଛି।’’
Published by:Lipina Das
First published: