News18 Odia Digital
କଟକ: ଏସଡିପିଓ ମଳୟ ନାୟକ ଦୁର୍ନୀତି ଅଭିଯୋଗରେ ନିଜେ ଆସାମୀ ସାଜି ଜେଲ ଯାଇଛନ୍ତି। ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଦିନ ମଳୟ ନାୟକଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ।
ମୁଖ୍ୟ କଥା ହେଉଛି ମଳୟଙ୍କ ଏହି ଦୁର୍ନୀତିରେ ତାଙ୍କର ପତ୍ନୀ ଓ ଝିଅଙ୍କ ପ୍ରତ୍ୟକ୍ଷ ଭୂମିକା ଥିବା ନେଇ ଠୋସ ପ୍ରମାଣ ପାଇଛି ଭିଜିଲାନ୍ସ। ମଳୟ ନିୟମିତ ବ୍ୟବଧାନରେ ଲାଞ୍ଚ ନେଉଥିଲେ ଓ ଅଧିକାଶଂ ସମୟରେ ନିଜେ ପ୍ରତ୍ୟକ୍ଷ ଭାବେ ଲାଞ୍ଚ ଟଙ୍କାକୁ ଗ୍ରହଣ କରୁ ନଥିଲେ। ଏଥିପାଇଁ ସେ ଏକ ଭିନ୍ନ ପନ୍ଥା ଆପଣାଇଥିଲେ।
ଲାଞ୍ଚ ଟଙ୍କା ଗ୍ରହଣ କରିବା ପାଇଁ ସେ ନିଜ ପତ୍ନୀ ଓ ଝିଅର ଗୁଗଲ-ପେ ଓ ଫୋନ-ପେ ଆକାଉଣ୍ଟକୁ ବ୍ୟବହାର କରୁଥିଲେ। ମଳୟଙ୍କ ପତ୍ନୀ ଓ ଝିଅଙ୍କ ଗୁଗଲ-ପେ ଓ ଫୋନ-ପେ ଆକାଉଣ୍ଟକୁ ଗତ କିଛି ବର୍ଷ ମଧ୍ୟରେ ବହୁ ସଂଖ୍ୟାକ ନମ୍ବରୁ ଲକ୍ଷାଧିକ ଟଙ୍କା ଆସିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ଦୁର୍ନୀତି ଅର୍ଜିତ ଅର୍ଥକୁ ସଂଗ୍ରହ ପାଇଁ ମଳୟ ନିଜ ପରିବାର ଲୋକଙ୍କ ବ୍ୟତୀତ ଅନେକ ବାହାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଉଥିଲେ।
ବିଭିନ୍ନ ଲୋକଙ୍କ ଗୁଗଲ-ପେ ଓ ଫୋନ-ପେ ଆକାଉଣ୍ଟରେ ଜମା ଥିବା ଏହି ଟଙ୍କାକୁ ସେ ପରବର୍ତ୍ତୀ ସମୟରେ ସଂଗ୍ରହ କରୁଥିଲେ। ତେବେ ମଳୟ ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିବାର ସୂଚନା ପାଇବା ପରେ ତାଙ୍କ ପତ୍ନୀ ଓ ଝିଅ ହିନ୍ଦୋଳ ସ୍ଥିତ ବାସଭବନ କେଉଁ ଆଡେ ଫେରାର ହୋଇଯାଇଛନ୍ତି। ଯିବା ପରେ ସେମାନେ ଦୁଇଟି ବ୍ୟାଗରେ କିଛି ସାମଗ୍ରୀ ଭର୍ତ୍ତି କରି ନେଇ ଯାଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ। ତେବେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଏପର୍ଯ୍ୟନ୍ତ ପାଖାପାଖି ଦେଢ଼ କୋଟି ଟଙ୍କା ସମ୍ପତ୍ତି ଆମେ ଠାବ କରି ସାରିଛୁ। ତାଙ୍କ ପତ୍ନୀ ଓ ଝିଅ ଧରା ପଡ଼ିବା ପରେ ଏନେଇ କିଛି ଅଧିକ ତଥ୍ୟ ମିଳିବ ବୋଲି ଆଶା କରୁଛୁ କହିଛନ୍ତି ଭିଜିଲାନ୍ସ ଡିଭିଜନ ଏସପି ଅକ୍ଷୟ କୁମାର ମିଶ୍ର।
ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଦିନ ମଳୟ ନାୟକଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ। ଏହା ପରେ ଢେଙ୍କାନାଳ, ଅନୁଗୁଳ, ପୁରୀ ଓ ଭୁବନେଶ୍ବର ଠାରେ ଥିବା ମଳୟଙ୍କ ୬ଟି ଠିକାଣାରେ ଏକକାଳିନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢ଼ାଉରୁ ଅନେକ ବେନାମୀ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସକୁ ସୂଚନା ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଏହି ସମ୍ପତ୍ତିର ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି।
କଟକ ସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟରେ ଜେରାର ସମ୍ମୁଖିନ ହେଉଥିବା ମଳୟ ନାୟକଙ୍କୁ ଢେଙ୍କାନାଳ ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ମଳୟଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ ଭିଜିଳାନ୍ସ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିବା ବେଳେ ରିମାଣ୍ଡ ଆବେଦନର ଶୁଣାଣିକୁ ଶୁକ୍ରବାରକୁ ଘୁଞ୍ଚାଇଛନ୍ତି କୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଳୟ ନାୟକଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।