ଓଡ଼ିଶାରେ ମାଓ ସମସ୍ୟାକୁ ସମୂଳେ ନିପାତ କରିବା ପାଇଁ ଜଲ୍‌ଦି ନିଆଯିବ ବଡ଼ ପଦକ୍ଷେପ

ଗତ କିଛି ମାସ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀଙ୍କ ସଂଖ୍ୟା କମିଆସିଛି । ସେମାନଙ୍କ ମଧ୍ୟରେ ଓଡ଼ିଆ ମାଓବାଦୀଙ୍କ ସଂଖ୍ୟା ୩୦ରୁ ବି କମ୍ ଅଛି । ଏହି ୩୦ ଜଣଙ୍କ ମଧ୍ୟରେ ହାତଗଣତି କିଛି କ୍ୟାଡର୍‌ ମାଓବାଦୀ ଅଛନ୍ତି ।

ଓଡ଼ିଶାରେ ମାଓ ସମସ୍ୟାକୁ ସମୂଳେ ନିପାତ କରିବା ପାଇଁ ଜଲ୍‌ଦି ନିଆଯିବ ବଡ଼ ପଦକ୍ଷେପ
ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟରେ ଆୟୋଜିତ ବୈଠକରେ ଡିଜିପି ଅଭୟ
  • News18 Odia
  • Last Updated: October 3, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଶାରେ ମାଓବାଦୀଙ୍କ କାର୍ଯ୍ୟକଳାପ କମୁଛି ଓ ମାଓ ସଙ୍ଗଠନଗୁଡ଼ିକ ପୂର୍ବ ଅପେକ୍ଷା ଏକ ପ୍ରକାର ଦୁର୍ବଳ ସ୍ଥିତିରେ ପହଞ୍ଚିଛନ୍ତି । ଏ ଭଳି ସ୍ଥିତିରେ ମାଓବାଦୀଙ୍କ ଗଡ଼କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଏ ନେଇ ଶନିବାର ଦିନ ଭୁବନେଶ୍ବର ସ୍ଥିତି ଗୁଇନ୍ଦା ନିର୍ଦ୍ଦେଶାଳୟରେ ଏକ ଗୁରୁତପୂର୍ଣ୍ଣ ବୈଠକରେ ଏହି ରଣନୀତି ବାବଦରେ ସବିଶେଷ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ଏହି ବୈଠକରେ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପୁଣି ମୁଣ୍ଡ ଟେକୁଥବା ମାଓବାଦୀଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ଯଥା ଶୀଘ୍ର ମୁତୟନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସହିତ ପଡ଼ୋଶୀ ଆନ୍ଧ୍ର ପୋଲିସ ସହିତ ଉତ୍ତମ ତାଳମେଳ ରଖି ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ସମନ୍ବୟ ରକ୍ଷା କରି ମାଓ ଦମନ ଅଭିଯାନକୁ ଜୋରଦାର କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଓଡ଼ିଶାକୁ ସବୁ ପ୍ରକାର ଆନୁସଙ୍ଗିକ ସହାୟତା ଯୋଗାଇ ଦେବ ବୋଲି ବୈଠକରେ ଆଲୋଚନା ହୋଇଛି ।

ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ.ବିଜୟ କୁମାର ଓ ସି.ଆର.ପି.ଏଫ. ଡ଼ିଜି ଏ.ପି. ମାହେଶ୍ବରୀ ଏହି ବୈଠକରେ ଓଡ଼ିଶା ପୋଲିସ ଡିଜି ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ଆଇ.ଜି. ଅପରେସନ ଅମିତାଭ ଠାକୁରଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଏହି ବୈଠକରେ ମାଓ ମୁକାବିଲା ସହିତ ସମ୍ପୃକ୍ତ ଥିବା ଓଡ଼ିଶା ପୋଲିସ, ବି.ଏସ.ଏଫ. ଓ ସି.ଆର.ପି.ଏଫ.ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ.ବିଜୟ କୁମାର ଓ CRPF ଡ଼ିଜି ଏ.ପି. ମାହେଶ୍ବରୀ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ ।


‘‘ଓଡିଶାରେ ମାଓ ମୁକାବିଲା ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ କାର୍ଯ୍ୟ କରୁଛି । ଏଥିରେ ଆମକୁ ଅନେକ ସଫଳତା ମଧ୍ୟ ମିଳିଛି । ଆମର କାର୍ଯ୍ୟକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶଂସା ମଧ୍ୟ କରାଯାଇଛି । ନିକଟ ଭବିଷ୍ୟତରେ ଆମେ ନେବାକୁ ଥିବା ପଦକ୍ଷେପ ବାବଦରେ ଆଜିର ବୈଠକରେ ଆଲୋଚନା ହୋଇଛି । ଏବେକାର ନକ୍ସଲ ସମସ୍ୟାକୁ ଦେଖି ଯେଉଁ ଅଞ୍ଚଳରେ ମାଓ ଗତିବିଧି କମିଛି ସେଠାରୁ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଉଥବା ଅଞ୍ଚଳକୁ ଫୋର୍ସ ସ୍ଥାନ୍ତାନ୍ତର ଉପରେ ବି ଆଲୋଚନା ହୋଇଛି,’ କହିଛନ୍ତି ଗୁଇନ୍ଦା ନିର୍ଦ୍ଦେଶାଳୟର ଜଣେ ଉଚ୍ଚ ଅଧିକାରୀ ।

ଓଡ଼ିଶା ପୋଲିସର ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ କହିବା ମୁତାବକ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ନକ୍ସଲ ସମସ୍ୟା କମିଛି । ‘‘ଖାଲି ମାଲକାନଗିରିର ସ୍ବାଭିମାନ ଅଞ୍ଚଳ, କନ୍ଧମାଳ,ରାୟଗଡ଼ା ଆଉ କଳାହାଣ୍ଡି ଜିଲ୍ଲାରେ ଏହି ସମସ୍ୟା ଏବେ ବି ରହିଛି । ଗତ ଦୁଇ ମାସ ମଧ୍ୟରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଏନକାଉଣ୍ଟରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେହି ଅଞ୍ଚଳ ଉପରେ ଆଉ ଟିକେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ସେଠାରୁ ଆମକୁ ଭଲ ଗୁଇନ୍ଦା ତଥ୍ୟ ମିଳୁଛି । ତା’ ସହିତ ଅପରେସନାଲ ରିଜଲ୍ଟ ବି ଆସୁଛି,” କହିଛନ୍ତି ଅଧିକାରୀ ଜଣକ ।

ଗୁଇନ୍ଦା ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ମୁତାବକ ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ମାଓ କାର୍ଯ୍ୟକଳାପରେ ଅନେକାଂଶରେ ଅଙ୍କୁଶ ଲାଗିଛି । ଏବେ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀଙ୍କ ସଂଖ୍ୟା କମିଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଆ ମାଓବାଦୀଙ୍କ ସଂଖ୍ୟା ଏବେ ୩୦ରୁ ବି କମ୍‌ ରହିଛି । ଏହି ୩୦ ଜଣ ଓଡ଼ିଆ ମାଓବାଦୀଙ୍କ ମଧ୍ୟରେ ହାତଗଣତି କିଛି କ୍ୟାଡର୍‌ ମାଓବାଦୀ ଅଛନ୍ତି ।

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ମାଓ ମୁକାବିଲା ନେଇ ଓଡ଼ିଶା ପୋଲିସ ଓ ଏସ.ଓ.ଜି. ବାହିନୀ ସହିତ ମୋଟ ୧୬ ବଟାଲିୟନ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସି.ଆର.ପି.ଏଫ.ର ୮ ବଟାଲିୟନ୍‌ ଫୋର୍ସ ଥିବା ବେଳେ ବିଏସଏଫର ୮ ବଟାଲିୟନ ସୁରକ୍ଷା ବଳ ରହିଛନ୍ତି । ଏହି ଫୋର୍ସଗୁଡ଼ିକୁ ଏବେ ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ଅଧିକ ସଂଖ୍ୟାରେ ମୁତୟନ କରାଯାଇଛି ।



ପୋଲିସ ମୁଖ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମୁଖ୍ୟ ମନ୍ତ୍ରୀ ଓ ପୋଲିସ ଡିଜି ଅନେକ ଥର ଅପିଲ କରିବା ପରେ ଗତ କିଛି ମାସ ମଧ୍ୟରେ ୯ ଜଣ ହାଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ‘‘ଦୁର୍ବଳ ହୋଇପଡ଼ିଥିବା ଏହି ସଙ୍ଗଠନ ଛାଡ଼ିବାକୁ ଅନେକ ମାଓବାଦୀମାନେ ମନ ବଳାଉଥବାରୁ ସେମାନଙ୍କ ସହ ମଧ୍ୟ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି,” କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
Published by: Anand Shankar Thankur Das
First published: October 3, 2020, 11:53 PM IST
corona virus btn
corona virus btn
Loading