ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷାକୁ ସ୍ୱାଗତ; ଓଡ଼ିଶା ଅଭିଭାବକ ମହାସଂଘ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି । ଏଥି ସହିତ ନବମ ଶ୍ରେଣୀ ପରୀକ୍ଷା ମଧ୍ୟ ୨୨ ତାରିଖରେ ଆରମ୍ଭ ପାଇଁ ନିଷ୍ପତି ନେଇଛି । ଏହି ନିଷ୍ପତିକୁ ଓଡ଼ିଶା ଅଭିଭାବକ ମହାସଂଘ ସ୍ୱାଗତ ଜଣାଇଛି।
ସଂଘ କହିଛି ଯେ, ସିବିଏସଇ ଓ ଆଇସିଏସଇ ପରୀକ୍ଷା ସହିତ ସମାନ ସମୟ ଓ ସଠିକ ସମୟରେ ପରୀକ୍ଷା ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇଲେ ପିଲାମାନଙ୍କ ପାଇଁ ମଧ୍ୟ ଆଗାମୀ ଭବିଷ୍ୟତ ଶିକ୍ଷା ଗ୍ରହଣ ପାଇଁ ସୁବିଧା ହେବ। ନବମ ଶ୍ରେଣୀ ପରୀକ୍ଷା ଫ୍ରେବୃଆରୀ ୨୦ରୁ ୨୫ ସୁଦ୍ଧା ଶେଷ ହୋଇ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ଅନ୍ୟାନ୍ୟ ବ୍ୟବସ୍ଥା ଶେଷ କରାଯାଇ ୨୦୨୩ - ୨୪ର ଦଶମ ଶ୍ରେଣୀ ଶିକ୍ଷାବର୍ଷ ପାଠ ପଢ଼ା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନା ପାଇଁ ଏହି ନୂତନ ଶିକ୍ଷାବର୍ଷ ପାଠପଢ଼ାରେ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା । ଯେହେତୁ ନବମ ଶ୍ରେଣୀ ପିଲାମାନେ ଆସନ୍ତା ବର୍ଷ ବୋର୍ଡ ପରୀକ୍ଷା ଦେବେ ତେଣୁ ନୂଆ ଶିକ୍ଷାବର୍ଷର ପାଠପଢ଼ା ଏପ୍ରିଲରେ ଆରମ୍ଭ ହେଲେ ସେମାନଙ୍କ ପାଇଁ ସୁବିଧା ହେବ ।
ପୂର୍ବରୁ ଦୀର୍ଘ ଦିନ ଧରି ଓଡ଼ିଶା ଅଭିଭାବକ ମହାସଂଘ ସମାନ ସମୟରେ ସବୁ ଶ୍ରେଣୀରେ ସରକାରୀ ବେସରକାରୀ ସବୁ ସ୍କୁଲରେ ନୂତନ ଶିକ୍ଷାବର୍ଷ ଆରମ୍ଭ ପାଇଁ ଦାବୀ କରି ଆସୁଛି। ଏକା ସମୟରେ ସମସ୍ତଙ୍କ ପାଇଁ ନାମଲେଖା ସହ ପାଠପଢ଼ା ବ୍ୟବସ୍ଥା ରହିଲେ କୌଣସି ତାରତମ୍ୟ ନରହି ସବୁ ପିଲାମାନେ ଏକା ସାଙ୍ଗରେ ଓ ଏକା ସମୟରେ ପାଠ ପଢ଼ିବାର ସୁଯୋଗ ପାଇବେ। ଏହା ଏକ ସୁଗମ ଓ ସଠିକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ। କିଛି ଗଣମାଧ୍ୟମ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏପ୍ରିଲ ବେଳକୁ ପୁଣି ଥରେ କରୋନାର ଲହର ଆସିବା କଥା ଉଠେଇଲେଣି । ପିଲାମାନେ ବର୍ତ୍ତମାନ ସେହି କଥାକୁ ଧ୍ୟାନ ଦେବା ଅନୁଚିତ । କିନ୍ତୁ ସଚେତନତା ଓ ସାବଧାନତା ଅବଲମ୍ବନ କରିବା ଦରକାର। ସେମିତି କୌଣସି ଘଟଣା ମଧ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି। ପିଲାମାନଙ୍କ କ୍ଷେତ୍ରରେ କରୋନା ଜନିତ ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇ ସାରିଛି। ତେଣୁ ପିଲାମାନେ କିପରି ତାଙ୍କର ଭବିଷ୍ୟତ ପାଇଁ ବୋର୍ଡ ପରୀକ୍ଷା ଦେବେ ଓ ନିଜର ମେଧାଶକ୍ତିର ସଠିକ ପ୍ରଦର୍ଶନ କରିପାରିବେ ସେଥିପାଇଁ ସରକାର, ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କର ଅତ୍ୟନ୍ତ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।