News18 Odia Digital
ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଚାର ଜୋରଦାର କରୁଛନ୍ତି ଦଳ। ଆଜି ବିଜେପି ଦଳର ହାଇ ଭୋଲଟେଜ ନେତାଙ୍କୁ ମଇଦାନକୁ ଓହ୍ଲାଇବ। ଡିସେମ୍ବର ୫ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ମିଳିତ ଭାବେ ଆଜି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ ।
ଆଜି କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପାଇକମଲ ଓ ପଦ୍ମପୁରରେ ସାଧାରଣ ସଭାରେ ଭାଷଣ ଦେବେ।
ସୂଚନାନୁସାରେ କେନ୍ଦ୍ର ମନ୍ତ୍ରୀ ସକାଳ ୧୧ ଟାରେ ପାଇକମାଲରେ ଓ ଦିନ ୧୨ ଟା ସମୟରେ ପଦ୍ମପୁରର ଅଶୋକ ଫିଲ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଗତକାଲି ବିଜେପିର ଦୁଇ ହେଭିୱେଟ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ବିଜେପି ପାଇଁ ପ୍ରଚାର କରିଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ସମ୍ବିତ ଓ ବୈଜୟନ୍ତ । ବନ୍ଧ ବ୍ଳକର ତିନୋଟି ସ୍ଥାନରେ ବଡ଼ ସମାବେଶ ଆୟୋଜନ ହୋଇଥିଲା।
ବିଜେପି ପ୍ରାର୍ଥୀଙ୍କ ପାଇଁ ବୈଷ୍ଣବଙ୍କ ପ୍ରଚାର ମହତ୍ତ୍ୱ ଗ୍ରହଣ କରୁଛି କାରଣ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ପଦ୍ମପୁର ଦେଇ ବରଗଡରୁ ନୂଆପଡା ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ନେଇ କଥାବାର୍ତ୍ତା ହୋଇଆସୁଛି।
ସେହିଭଳି, ୨୦୨୧ ମସିହାର ଖରିଫ ଋତୁରେ ଫସଲ କ୍ଷୟକ୍ଷତି ପାଇଁ ବୀମା ଦାବିକୁ ସମାଧାନ କରିବାରେ ବିଳମ୍ବ ହେତୁ ପଦ୍ମପୁରରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ମଧ୍ୟରେ ତୋମାରଙ୍କ ପ୍ରଚାର ପଦ୍ମପୁରରେ ପ୍ରଭାବ ପକାଇପାରେ ବୋଲି ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଅକ୍ଟୋବର ୩ ରେ ବିଧାୟକ ବିଜୟା ରଂଜନ ସିଂ ବରିହାଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଥିଲେ।
ବିଜେଡି ବିଜୟ ରଂଜନଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦଳ ଏହାର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲଢ଼େଇ ପାଇଁ ମନୋନୀତ କରିଛି।
ଅନ୍ୟପଟେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଡିସେମ୍ବରରେ ମଇଦାନକୁ ଓଲ୍ହାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରାୟ ତିନୋଟି ରାଲିରେ ପଦ୍ମପୁର ବାସୀଙ୍କୁ ସମ୍ବୋଧିତ କରିପାରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।