News18 Odia Digital
ଭୁବନେଶ୍ବର: ରାଜ୍ୟରେ କମୁଛି କୋଭିଡ଼ ସଂକ୍ରମଣ । ସୂଚନା ଓ ଲୋକସମ୍ପର୍କ ବିଭାଗ (I&PR) ସୂଚନା ଦେଇ ଜଣାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୨,୫୨୮ ମାମଲା ସହିତ ନୂଆ ୮,୮୪୫ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ ୧,୦୦୧ରେ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କଟକରେ ୬୨୮ ନୂଆ ମାମଲା ରେକର୍ଡ ହୋଇଛି।
ଟେଷ୍ଟିଂ ନକମି ବି କୋଭିଡ଼ ସଂକ୍ରମଣ କମୁଥିବାରୁ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟବିଭାଗର ଯୁକ୍ତି ଯେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ କମାଯାଇନାହିଁ। ଗାଇଡ଼ଲାଇନ୍ ଅନୁସାରେ ଟେଷ୍ଟିଂ ହେଉଛି । କାହିଁକି କମୁଛି ସଂକ୍ରମଣ ସେନେଇ ଖୁବ୍ ଶୀଘ୍ର ନିଷ୍କର୍ଷରେ ପହଞ୍ଚିବ ସ୍ୱାସ୍ଥ୍ୟ ବିଭାଗ। ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଯେ ଧାର୍ଯ୍ୟ ସମୟର ୫ ଦିନ ପୂର୍ବରୁ ଶୀର୍ଷ ଛୁଇଁଛି ସଂକ୍ରମଣ। ଏହି କାରଣରୁ ସଂକ୍ରମିତଙ୍କ ସଂଖ୍ୟା କମୁଛି । ତେବେ ଆସନ୍ତା ୩/୪ ଦିନ ଭିତରେ ସ୍ଥିତି ସ୍ପଷ୍ଟ ହେବ।
ସୂଚନା ଅନୁସାରେ, ଗତ ୧୭ ତାରିଖରେ ରାଜ୍ୟରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୦, ୪୮୯। ୧୮ ତାରିଖରେ ଏହି ସଂଖ୍ୟା ୧୧,୦୦୦ ଟପିବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧, ୮୬ରେ ପହଞ୍ଚିଥିଲା। ୧୯ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧, ୬୦୭, ଯାହା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି। ସେହିପରି ୨୦ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ସଂଖ୍ୟା ୧୦,୩୩୮ରେ ସୀମିତ ଥିଲା। ଆଉ ୨୧ ତାରିଖରେ ସଂକ୍ରମଣ ୯ ହଜାରକୁ ଖସି ଆସିଥିଲା। ସଂଖ୍ୟା ୯,୮୩୩ରେ ସୀମିତ ରହିଥିଲା।
ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୮୯, ୭୦୨ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ବି ଟେଷ୍ଟିଂ କମିନାହିଁ। କେନ୍ଦ୍ରୀୟ ଗାଇଡ଼ଲାଇନ ଅନୁସାରେ ଟେଷ୍ଟିଂ ଜାରି ରହିଛି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଏହାର କାରଣ କ’ଣ ହୋଇପାରେ ତାକୁ ନେଇ ଅନୁଶୀଳନ କରାଯାଉଛି।
ସେହିଭଳି ରାଜ୍ୟରେ ଏବେ ବି ଚିକିତ୍ସାଧୀନ ଥିବା କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଅଷ୍ଟମ ସ୍ଥାନରେ ଥିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏହାର ୨ଟି କାରଣ ହୋଇପାରେ। ଟେଷ୍ଟିଂକୁ ବ୍ୟାପକ କରାଯିବା ଦ୍ୱାରା ଅଧିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । କିନ୍ତୁ ସଂକ୍ରମଣ କମୁଥିବାରୁ ଏହି ତଳ ମୁହାଁ ଟ୍ରେଣ୍ଡ କେତେ ଦିନ ପର୍ଯ୍ୟନ୍ତ ରହିବ, ତାହା ଉପରେ ନଜର ରଖାଯାଇଛି । ତେଣୁ କୋଭିଡ଼ ସଂକ୍ରମଣର ତୃତୀୟ ଲହରର ଶୀର୍ଷ ଛୁଇଁବା ସ୍ଥିତି ଆସିଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକଥା ସ୍ପଷ୍ଟ କରିଛନ୍ତି ଯେ, ସଂକ୍ରମଣ କମିଥିଲେ ବି କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କିନ୍ତୁ ଏହାର ପରିସଂଖ୍ୟାନ ଭିନ୍ନ ରହିଛି। ଏବେ ବି ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ସେମାନଙ୍କ ଭିତରୁ ୮୦ରୁ ୯୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି। ତେଣୁ ଯେଉଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କୁହାଯାଉଛି ଏହାର କାରଣ ଭେଣ୍ଟିଲେଟରରେ ଥିବା ରୋଗୀ ବା ଅନ୍ୟ ଜଟିଳ ରୋଗୀ ହୋଇପାରନ୍ତି।
ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ନିରଜ ମିଶ୍ର କହିଛନ୍ତି, ‘‘ହୁଏତ ସଂକ୍ରମଣ ଶୀର୍ଷ ଛୁଇଁବା ପରେ ଧୀରେ ଧୀରେ ତଳ ମୁହାଁ ହେଉଛି ବୋଲି କୁହାଯାଇପାରେ। ପୂର୍ବରୁ ଆମେ ଆକଳନ କରିଥିଲେ ଜାନୁୟାରୀ ୨୫ ସୁଦ୍ଧା ଶୀର୍ଷ ଛୁଇଁବ ସଂକ୍ରମଣ। କିନ୍ତୁ ଏହାର ପାଞ୍ଚ ଦିନ ପୂର୍ବରୁ ସଂକ୍ରମଣ କମିବା ହୁଏତ ଶୀର୍ଷକ ଛୁଇଁବା ଡାଉନ୍ଟ୍ରେଣ୍ଡର ଲକ୍ଷଣ ହୋଇପାରେ। ନିକଟରେ ବିଭିନ୍ନ ରୋଗର ଏଭଳି ସ୍ଥିତି ମଧ୍ୟ ସାମ୍ନାକୁ ଆସିଛି । ତେବେ ଆଉ ୨ ରୁ ୩ ଦିନ ପରେ ସ୍ଥିତି ସ୍ପଷ୍ଟ ହେବ। ଯଦିଓ ସଂକ୍ରମଣ କମିବା ଆରମ୍ଭ କରୁଛି ବୋଲି ଆକଳନ କୁହେ ଏହି ଧାରାରେ ଏପ୍ରିଲ ସୁଦ୍ଧା କୋଭିଡ଼ ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ କମିଯିବ। କିନ୍ତୁ ବୁଷ୍ଟର ଡ଼ୋଜକୁ ବ୍ୟାପକ କରିବା ଆବଶ୍ୟକ ଅଛି।’’
ଏସବୁ ମଧ୍ୟରେ ଓମିକ୍ରନ ଭାରିଆଣ୍ଟ ପୁଣିଥରେ ରୂପ ବଦଳାଇବ କି? ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ୍ କରି ଯଦି ନୂଆ ଭାରିଆଣ୍ଟ ଆସେ ତେବେ ଏହାର ପ୍ରଭାବ ଡେଲଟା ଭାରିଆଣ୍ଟ ନା ଓମିକ୍ରନ ଭାରିଆଣ୍ଟ ଭଳି ହେବ ତାହା ଉପରେ ରହିଛି ବିଶେଷଜ୍ଞଙ୍କ ଦୃଷ୍ଟି ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।