କବର ଭିତରୁ କିଏ କାଢ଼ିନେଉଛି ଶବ? ନବରଙ୍ଗପୁରରେ ଆଲୋଡ଼ନ; ପୋଲିସ ତଦନ୍ତ ଆରମ୍ଭ କଲା

ଗାଆଁରେ ଥିବା ଶ୍ମଶାନରେ ଗତ କାଲି ଆତ୍ମହତ୍ୟା କରିଥିବା ସେହି ଗାଆଁର ଜଣେ ନାବାଳିକାର ଶବକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା । ହେଲେ ସେହି କବରକୁ ରାତିରେ କେହି ଖୋଳିବାକୁ ଚେଷ୍ଟା କରିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

କବର ଭିତରୁ କିଏ କାଢ଼ିନେଉଛି ଶବ? ନବରଙ୍ଗପୁରରେ ଆଲୋଡ଼ନ; ପୋଲିସ ତଦନ୍ତ ଆରମ୍ଭ କଲା
ଶ୍ମଶାନରେ ଆତଙ୍କିତ ଗ୍ରାମବାସୀମାନେ ଜମାହୋଇଛନ୍ତି ।
  • News18 Odia
  • Last Updated: March 10, 2020, 7:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନବରଙ୍ଗପୁର: କବର ଭିତରୁ କେହି ଶବକୁ କାଢ଼ିନେବାକୁ ଚ଼େଷ୍ଟା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲାର ଏକ ଗାଆଁର ଲୋକେ । ଏମିତି ଅଭିଯୋଗ ଆସିବା ପରେ ଗାଆଁରେ ଲୋକେ ଯେତିକି ଆତଙ୍କିତ ସେତିକି କ୍ରୋଧିତ । ସେମାନେ ଏହି ମାମଲାରେ ପୋଲିସର ହସ୍ତକ୍ଷେପ ଲୋଡ଼ିବା ପରେ ଏକ ପୋଲିସ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଉମରକୋଟ ବ୍ଲକର ସାନଭରଣ୍ଡୀ ଗ୍ରାମରେ ଥିବା ଶ୍ମଶାନରେ ଆଜି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଏହି ଶଶ୍ମାନରେ ଗତ କାଲି ଆତ୍ମହତ୍ୟା କରିଥିବା ସେହି ଗାଆଁର ଜଣେ ନାବାଳିକାର ଶବକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା । ହେଲେ ସେହି କବରକୁ ରାତିରେ କେହି ଖୋଳିବାକୁ ଚେଷ୍ଟା କରିଛି ବୋଲି ଆଜି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଗତ କାଲି ସେହି ଗ୍ରାମର ନାବାଳିକା ଚନ୍ଦ୍ରାବତି କୁମ୍ଭାର (୧୬) କଥିତ ରୂପେ ଏକ ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ନିଜ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା । ପରିବାର ଲୋକେ ଶବ ବ୍ୟବଚ୍ଛେଦ ହେବା ପରେ ଦିନ ପ୍ରାୟ ଦୁଇଟା ସମୟରେ ସ୍ଥାନୀୟ ଶ୍ମଶାନରେ ଶବକୁ ପୋତି ଅନ୍ତିମ ସଂସ୍କାର କରିଥିଲେ । କିନ୍ତୁ  ଆଜି ସକାଳେ ସ୍ଥାନୀୟ ଲୋକେ ପୋତା ଶବ ଖୋଳା ହୋଇଥିବା ଦେଖିଥିଲେ ଓ ଉମରକୋଟ ପୋଲିସ ଥାନାକୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କିଏ ଓ କେଉଁ ଉଦ୍ଦେଶ୍ୟ ନେଇ ପୋତା ଶବକୁ ଖୋଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ହେଲେ ଗ୍ରାମବାସୀ ଓ ପରିବାର ଲୋକେ ଏହା କୌଣସି ତାନ୍ତ୍ରିକର କାର୍ଯ୍ୟ ହୋଇପାରେ ବା ମୃତ ଝିଅଟି ଭଲପାଉଥିବା ଯୁବକ ଏହି ଅମାନୁଷିକ କାଣ୍ଡ କରିଥିବା ସନ୍ଦେହ କରିଛନ୍ତି ।

‘‘ମୃତ ଝିଅଟିର ଶବକୁ ଗତ କାଲି ଏଇଠି ପୋତାଯାଇଥିଲା । ଗତ କାଲି ପୂର୍ଣ୍ଣିମା ରାତି ଥିଲା । ତେଣୁ କେହି ତାନ୍ତ୍ରିକ ଶବଟିକୁ ନେବାକୁ ଚ଼େଷ୍ଟା କରିଥିବ ବୋଲି ଆମେ ସନ୍ଦେହ କରୁଛୁ । ନହେଲେ ଝିଅଟି ଭଲପାଉଥିବା ସେହି ପୁଅଟି ଏହି କାଣ୍ଡ କରିଥାଇପାରେ ବୋଲି କୁହାଯାଉଛି,’’ କହିଛନ୍ତି ଗ୍ରାମବାସୀ ଲମ୍ବୋଦର ମାଝୀ ।

ସକାଳେ ଗ୍ରାମବାସୀମାନେ ସୂଚ଼ନା ପାଇଥିଲେ ଯେ କବରଟି ଅଧା ଖୋଳାଯାଇଛି । କବରର ମଥା ପଟ ଅଂଶରେ ପାଖାପାଖି ତିନି ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳାଯାଇଛି ଓ ସେଥିରୁ ମୃତ ଦେହର ଅଧା ଅଂଶ ଗାୟବ ଅଛି ବୋଲି ସେମାନେ ପୋଲିସକୁ କହିଛନ୍ତି ।

ମୃତ ଚନ୍ଦ୍ରାବତି କୁମ୍ଭାରର ବଡ଼ ଭାଇ ହଳଧର କୁମ୍ଭାର କହିଛନ୍ତି ଯେ ତାଙ୍କ ଭଉଣୀ ଯେଉଁ ପୁଅଟିକୁ ଭଲପାଉଥିଲା ସେ ଅନ୍ୟ ଜଣେ ଝିଅକୁ ବାହାହେବାରୁ ତାଙ୍କ ଭଉଣୀ ଆତ୍ମହତ୍ୟା କରିଥିଲା ।

‘‘ଆମେ ସେହି ପିଲା (ଯୁବକ)ର ମୋବାଇଲ ନମ୍ବର ଓ ଫଟୋ ପୋଲିସକୁ ଦେଇଥିଲୁ । ତେଣୁ ଆମର ସନ୍ଦେହ ହେଉଛି ଯେ ସେହି ପିଲା ପ୍ରମାଣ ନଷ୍ଟ କରିବା ପାଇଁ ଏମିତି କାଣ୍ଡ କରିଥାଇପାରେ । ନହେଲେ କେହି ତାନ୍ତ୍ରିକ ଏମିତି କରିଥାଇପାରେ । ପୋଲିସ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବ ବୋଲ୍ ଆମେ ଆଶା କରୁଛୁ,’’ କହିଛନ୍ତି ହଳଧର । ତେବେ କବରଟି ସମ୍ପୂର୍ଣ ଖୋଳାଯାଇ ନ ଥିବାରୁ ତାହା ଭିତରେ ଶବ ଅଛି କିମ୍ବା ନାହିଁ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।
First published: March 10, 2020, 7:13 PM IST
corona virus btn
corona virus btn
Loading