- News18 Odia
- Last Updated :
- New Delhi, India
ଭୁବନେଶ୍ୱର: ଜନ୍ମରୁ ଦିବ୍ୟାଙ୍ଗ ହେଲେ ମଧ୍ୟ ମନରେ ପାଠ ପଢିବାର ଅନେକ ଆଗ୍ରହ, କିନ୍ତୁ ଲୋକ ଲଜ୍ଜ୍ୟା ଭୟରେ ଘରୁ ବାହାରି ପାରୁନଥିଲେ ଭାର୍ଗବ,ଦାରିଦ୍ର୍ୟତା ଯୋଗୁଁ କୃତ୍ରିମ ଗୋଡ଼ ଲଗାଇପାରୁନଥିଲେ,ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା ତାଙ୍କର ସଂଘର୍ଷମୟ କାହାଣୀ, ଶେଷରେ ସାହା ହେଲା ଓଡ଼ିଶା ମୋ ପରିବାର, ଭାର୍ଗବଙ୍କୁ ଯୋଗାଇ ଦେଲା କୃତ୍ରିମ ଗୋଡ଼ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଅଞ୍ଚଳର ୧୬ ବର୍ଷିୟ ବାଳକ ଭାର୍ଗବ୍ ଭୂସାଗର ଜନ୍ମରୁ ଦିବ୍ୟାଙ୍ଗ, ଡାହାଣ ପାର୍ଶ୍ଵ ଗୋଡ ଛୋଟ ହୋଇଥିବାରୁ ସେ ଗୋଟିଏ ଗୋଡ଼ରେ ହିଁ ଚାଲନ୍ତି । ଗରିବ ଘରେ ଜନ୍ମ ହୋଇଥିବାରୁ ତାଙ୍କର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଥିଲା ।
ଏମିତି ହିଁ ସେ ବିଦ୍ୟାଳୟରେ ନିଜର ଅଧ୍ୟୟନ ସାରିଦେଇଥିଲେ,କିନ୍ତୁ କଲେଜ ଯିବାକୁ ଲୋକ ଲଜ୍ଜ୍ୟାର ଭୟ ତାଙ୍କ ମନକୁ ମାରି ଦେଉଥିଲା । ପାଠ ପଢିବାକୁ ମନରେ ଅନାବିଳ ଆଗ୍ରହ ଥିଲେ ମଧ୍ୟ ସେ ନିଜକୁ ସମାଜରେ ଭିନ୍ନ ମଣିଷ ଭାବି ଗୋଡ଼ ପଦାକୁ ବାହାର କରି ପାରୁନଥିଲେ । ତାଙ୍କର ଏହି ଯନ୍ତ୍ରଣାଦାୟକ କାହାଣୀ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଡ଼ଃ ଦାଶ ସଙ୍ଗେସଙ୍ଗେ ଏହି ଘଟଣା ବିଷୟରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ । ଭାର୍ଗବଙ୍କର ଏହି କରୁଣ କାହାଣୀ ବିଷୟରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ତାଙ୍କୁ ସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଥଇଥାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ଦାଶ ସମ୍ପୃକ୍ତ ବିଭାଗର ଇନ୍-ଚାର୍ଜ ଡ଼ଃ ସଚ୍ଚିଦାନନ୍ଦ ଖୁଣ୍ଟିଆଙ୍କ ସହିତ ଆଲୋଚନା କରି ଭାର୍ଗବଙ୍କର କୃତ୍ରିମ ଗୋଡ଼ ଲଗାଇବାର ବ୍ୟବସ୍ଥା କରିଥିଲେ । ପରିଶେଷରେ, ପିଲାଟି ମୁହଁରେ ହସ ଫୁଟିଲା, ତା’ର ସ୍ଵପ୍ନ ପୂରଣ ହେଲା । ଅକ୍ଟୋବର ୨୦ ତାରିଖରେ ତାର କୃତ୍ରିମ ଗୋଡ଼ ଲଗାଯାଇଛି ।
ଏ ସମସ୍ତ ପ୍ରକ୍ରିୟାକୁ ବୁର୍ଲା ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଧିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଗୋଡ଼ ଲାଗିବା ପରେ, ଭାର୍ଗବଙ୍କର ଆଖିରେ ପାଠ ପଢି ବଡ଼ ମଣିଷ ହେବାର ଅସୁମାରି ଆଶା ଖେଳିଯାଇଛି ଏବଂ ଖୁସିର କଥା, ତାଙ୍କୁ ଆଉ ଲୋକ ଲଜ୍ଜ୍ୟାର ଭୟ ନାହିଁ ବୋଲି ସେ କହିଛନ୍ତି । ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।