ଅସହାୟଙ୍କ ସାହା ସାଜିଛି 'ଓଡ଼ିଶା ମୋ ପରିବାରର
- News18 Odia
- Last Updated :
News 18 Odia Digital
ମୟୂରଭଞ୍ଜ : ପୁଣି ଏକ ଦରୁଣ କାହାଣୀର ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କାଠଶିର୍ଶି ଗ୍ରାମରେ । ମୟୂରଭଞ୍ଜ ଜିଲ୍ଲାର ବୀରକିଶୋର ପାତ୍ର ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି । ଭାଗ୍ୟର ବିଡମ୍ବନା, ତାଙ୍କର ଏକମାତ୍ର ପୁଅ ବିଷ୍ଣୁର ମୁଣ୍ଡରେ ପାଣି ଜମି ଅବସ୍ଥା ଗୁରୁତର ହେବାରୁ ସେ ଚିକିତ୍ସା ନିମନ୍ତେ କଟକସ୍ଥିତ ଶିଶୁଭବନକୁ ନେଇଆସିଥିଲେ । ବୀରକିଶୋର ପୁଅ ଗୁରୁତର ହେବାରୁ ଶିଶୁଭବନରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଦୁର୍ଭାଗ୍ୟବଶତଃ, ଗତ ଅଗଷ୍ଟ ୨୮ ତାରିଖରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ଚିକିତ୍ସା ବାବଦରେ ହସ୍ପିଟାଲରେ ମୋଟା ଅଙ୍କର ଅର୍ଥରାଶି ବିଲ୍ ପୈଠ ନକରି ପାରିବାରୁ ଯାହାଫଳରେ ମୃତ ଶରୀରକୁ ହସ୍ପିଟାଲରୁ ନେବା ପାଇଁ ଅସମର୍ଥ୍ୟ ହୋଇପଡିଥିଲେ ବୀରକିଶୋର ।
ହସ୍ପିଟାଲର ମ୍ୟାନେଜର ତାଙ୍କୁ କିଛି ଅର୍ଥ ଜମା କରି ପୁଅର ମୃତଦେହ ନେବାକୁ କହିଥିଲେ । ପୁଅକୁ ହରାଇବାର ଦୁଃଖ ଏବଂ ହାତରେ ପଇସା ନଥିବାରୁ ବୀରକିଶୋର ଅସହାୟ ହୋଇପଡ଼ିଥିଲେ ଓ ସଙ୍ଗେସଙ୍ଗେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କର ସହଯୋଗ ଲୋଡିଥିଲେ । ବିଧାୟକ ମାରାଣ୍ଡି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର କଟକ ସହର ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳ ଏବଂ ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବିଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଆଣିଥିଲେ ଓ ବୀରକିଶୋର ପୂର୍ବରୁ ଦେଇଥିବା ଅର୍ଥରାଶି ମଧ୍ୟ ହସ୍ପିଟାଲ ପକ୍ଷରୁ ଫେରସ୍ତ ହୋଇଥିଲା । ଯାହା ଫଳରେ ବୀରକିଶୋର ତାଙ୍କ ପୁଅର ମୃତ ଶରୀରକୁ ନେବାରେ ସମର୍ଥ ହୋଇଥିଲେ ।
ସେପଟେ ଜଗତସିଂହପୁର ଜିଲ୍ଲାର ୪୨ ବର୍ଷିୟ ବାସିନ୍ଦା ସଞ୍ଜୟ ଲେଙ୍କା ନୂଆଦିଲ୍ଲୀରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୨୬ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସହକର୍ମୀମାନେ ନୂଆଦିଲ୍ଲୀସ୍ଥିତ ଆର୍.ଏମ୍.ଏଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଭାଗ୍ୟବଶତଃ, କିଛି ଘଣ୍ଟା ପରେ ସେ ଚିକିତ୍ସାଧିନ ଅବସ୍ଥାରେ .ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଶୋକସନ୍ତପ୍ତ ପରିବାର ଆର୍ଥିକ ଚାପରେ ଥିବାରୁ ସଞ୍ଜୟଙ୍କ ମୃତଦେହକୁ ଦିଲ୍ଲୀରୁ ଫେରାଇ ଆଣିବା ପାଇଁ ଅସମର୍ଥ ଥିଲେ ଓ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାରର ସହଯୋଗ ଲୋଡିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଦିଲ୍ଲୀରୁ ମୃତଦେହକୁ ଜଗତସିଂହପୁରସ୍ଥିତ ତାଙ୍କ ଗ୍ରାମକୁ ଫେରାଇ ଅଣାଯାଇଥିଲା । ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ଵାସନା ଦେଇଥିଲ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।