News18 Odia Digital
ଭୁବନେଶ୍ୱର: ଯାଜପୁର ଜିଲ୍ଲା ରସୁଲପୁର ଅଞ୍ଚଳର ଅଶୋକ ମହାନ୍ତିଙ୍କୁ ମିଳିଲା ନୂଆ ଜୀବନ। ସାହା ହେଲା ଓଡ଼ିଶା-ମୋ ପରିବାର। ଦୁର୍ଘଟଣାଗ୍ରସ୍ତରେ ଅଶୋକଙ୍କ ଜୀବନରେ ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର ଟିମ। ଓଡ଼ିଶା-ମୋ ପରିବାର ଯୋଗାଇଲା ଦୁଇ ଗୋଡର “କୃତ୍ରିମ ଅଙ୍ଗ” ।
ଯାଜପୁର ଜିଲ୍ଲା ରସୁଲପୁର ଅଞ୍ଚଳରେ ୩୯ ବର୍ଷୀୟ ଅଶୋକ ମହାନ୍ତି ଘର। ୨୦୧୩ ମସିହା ଥିଲା ତାଙ୍କ ଜୀବନ ପାଇଁ ଏକ କଷ୍ଟକର ସମୟ। ସେତେବେଳେ ଏକ ଘରୋଇ କୋରିଅର କମ୍ପାନୀରେ କାମ କରୁଥିଲେ। କାମଥିଲା ବିଭିନ୍ନ ସ୍ଥାନରେ କୋରିଅର ସାମଗ୍ରୀ ପହଞ୍ଚାଇବା। ସେଦିନ ବି ସେ ପୂର୍ବ ଭରି କୋରିଅର କାମରେ ଟ୍ରେନରେ ଥିଲେ। କିନ୍ତୁ ବାଲେଶ୍ୱର ରେଳ ଷ୍ଟେସନରେ ଘଟିଥିଲା ଏକ ଅଭାବନୀୟ ଘଟଣା। କୋରିୟର ସାମଗ୍ରୀ ନେବା ଆଣିବା ସମୟରେ ହଠାତ ଟ୍ରେନ ଚାଲିବା ଆରମ୍ଭ କରିବାରୁ ସେ ହଠାତ ତଳକୁ ଖସି ପଡିଲେ। ଘଟଣା ସ୍ଥଳରେ ବାମ ଗୋଡ଼ କଟିଯିବା ସହିତ ଡ଼ାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ଦୁଇ ଗୋଡ଼ କାଟିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ତାଙ୍କ ବାମ ଗୋଡ଼ର ଆଣ୍ଠୁ ଉପର ଭାଗ ଓ ଡାହାଣ ଗୋଡ଼ର ଆଣ୍ଠୁ ତଳ ଭାଗ ସମ୍ପୂର୍ଣ୍ଣ କଟାଯାଇଥିଲା । ଏହି ଘଟଣା ପରେ ସେ ପ୍ରଥମେ ଏକ ହସ୍ପିଟାଲରେ କୃତ୍ରିମ ଗୋଡ଼ ଲଗାଇଥିଲେ । ଯେହେତୁ ସେହି କୃତ୍ରିମ ଗୋଡ଼ ବହୁତ ଓଜନ ଥିଲା, ସେଥିପାଇଁ ତାଙ୍କୁ ଚଲାବୁଲା କରିବାକୁ ବହୁତ ଅସୁବିଧା ହେଉଥିଲା । ସେ ସେହି କୃତ୍ରିମ ଗୋଡ଼ର ବ୍ୟବହାର କରିବା ବନ୍ଦ କରିଦେଇଥିଲେ । ଫଳରେ ତାଙ୍କୁ ନିଜ କାମ ନିଜେ କରିବାକୁ ଅସୁବିଧା ହେଉଥିଲା।
ନିକଟରେ ଏଭଳି ଘଟଣା ଆସିଲା ଓଡ଼ିଶା ମୋ ପରିବାର ନଜରକୁ। ତାଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ନିଜେ ଅଶୋକ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ସାମନ୍ତରାୟ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହିତ ସମନ୍ଵୟ ରକ୍ଷା କରି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।
ଚିକିତ୍ସା କରୁଥିବା ଡାକ୍ତର ଶୁଭମ ସିଂ କହିଛନ୍ତି, ପୂର୍ବରୁ ଯେଉଁ କୃତ୍ରିମ ଗୋଡ଼ ଲଗାଯାଇଥିଲା ତାହା ଓଜନିଆ ଥିଲା। ତେଣୁ ଅଶୋକଙ୍କୁ ନିୟମିତ କାର୍ଯ୍ୟ କରିବାରେ ଅସୁବିଧା ହେଉଥିଲା। ଏବେ ଯେଉଁ ଦୁଇଟା କୃତ୍ରିମ ଗୋଡ଼ ଲଗାଯାଇଛି ତାହା ହାଲକା। ତେଣୁ ସେ ନିୟମିତ କାମ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।