୧୮ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷାର ଖାତା ଦେଖା; ନିୟୋଜିତ ହେଲେ ୧,୫୦୦ ଶିକ୍ଷକ

ଖାତା ଦେଖା ପାଇଁ ଲାଗୁ ହୋଇଥିବା ନୂଆ ବ୍ୟବସ୍ଥା ଅନୁସାରେ ଏ ଥର ପ୍ରତି ବିଷୟର ପ୍ରତିଟି ପ୍ରଶ୍ନକୁ ଦେଖିବା ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିବେ । ଅର୍ଥାତ ଜଣେ ଶିକ୍ଷକ ଗୋଟିଏ ବିଷୟର ପରୀକ୍ଷା ଖାତା ଦେଖିବା ବଦଳରେ କେବଳ ସେହି ବିଷୟର ନିର୍ଦ୍ଧିଷ୍ଟ ଗୋଟିଏ ପ୍ରଶ୍ନର ମୂଲ୍ୟାୟନ କରିବେ ।

୧୮ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷାର ଖାତା ଦେଖା; ନିୟୋଜିତ ହେଲେ ୧,୫୦୦ ଶିକ୍ଷକ
ମ୍ୟାଟ୍ରିକ ପରୀକ୍ଷାର ଶେଷ ଦିନକରେ କଟକରେ ଏକ ପରୀକ୍ଷା କେନ୍ଦ୍ରରୁ ବାହାରୁଥିବା ଛାତ୍ରମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଛାତ୍ର ଜୀବନର ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ସୋପାନ ଭାବେ ଜଣାଶୁଣା ମ୍ୟାଟ୍ରିକ ପରୀକ୍ଷା ରାଜ୍ୟରେ ସମାପନ ହେବା ପରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖାତା ଦେଖା । ଏ ବର୍ଷ ଖାତା ଦେଖା କାର୍ଯ୍ୟ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ହେବ । ଏଥି ପାଇଁ ୧,୫୦୦ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

ଚ଼ଳିତ ବର୍ଷ ୨,୮୮୮ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ ପରୀକ୍ଷାର୍ଥୀ । ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ୧,୦୦୦ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସାମାଜିକ ବିଜ୍ଞାନ ପରୀକ୍ଷା ସହ ସୋମବାର ଶେଷ ହୋଇଥିବା ଏହି ପରୀକ୍ଷାରେ ଏ ଥର ଓଏମଆର ବ୍ୟବସ୍ଥା ପରିବର୍ତ୍ତେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ ବ୍ୟବସ୍ଥା ଲାଗୁ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ ନ ହେବା ଓ ଶୃଙ୍ଖଳିତ ଢଙ୍ଗରେ ପରୀକ୍ଷା ଶେଷ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଉଭୟ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚ଼ାଳକମାନେ ।

ଖାତା ଦେଖା ପାଇଁ ଲାଗୁ ହୋଇଥିବା ନୂଆ ବ୍ୟବସ୍ଥା ଅନୁସାରେ ଏ ଥର ପ୍ରତି ବିଷୟର ପ୍ରତିଟି ପ୍ରଶ୍ନକୁ ଦେଖିବା ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିବେ । ଅର୍ଥାତ ଜଣେ ଶିକ୍ଷକ ଗୋଟିଏ ବିଷୟର ପରୀକ୍ଷା ଖାତା ଦେଖିବା ବଦଳରେ କେବଳ ସେହି ବିଷୟର ନିର୍ଦ୍ଧିଷ୍ଟ ଗୋଟିଏ ପ୍ରଶ୍ନର ମୂଲ୍ୟାୟନ କରିବେ ।

ଯଦି କୌଣସି ବିଷୟର ପ୍ରଶ୍ନପତ୍ରରେ ୧୫ଟି ପ୍ରଶ୍ନ ରହିଥାଏ, ତେବେ ସେହି ଗୋଟିଏ ବିଷୟର ଖାତାକୁ ଦେଖିବା ପାଇଁ ମୋଟ ୧୫ ଜଣ ଶିକ୍ଷକ ରହିବେ । ପ୍ରଥମ ଶିକ୍ଷକ ଏକ ନମ୍ବର ପ୍ରଶ୍ନର ମୂଲ୍ୟାୟନ କରିବା ପରେ ଖାତାଟି ତାଙ୍କ ପାଖରେ ବସିଥିବା ଶିକ୍ଷକଙ୍କ ପାଖକୁ ଯିବ । ଏବଂ ସେହି ଶିକ୍ଷକ ଦ୍ବତୀୟ ପ୍ରଶ୍ନଟିର ମୂଲ୍ୟାୟନ କରିବେ । ଏହିଭଳି ଭାବେ ପ୍ରଶ୍ନ ଶେଷ ହେବା ପର୍ଯ୍ୟନ୍ତ ଖାତା ଜଣେ ଶିକ୍ଷକଙ୍କ ଠାରୁ ଆଉ ଜଣେ ଶିକ୍ଷକଙ୍କ ପାଖକୁ ଯିବ ।

“ଓଏମଆର ବ୍ୟବସ୍ଥା ଉଚ୍ଛେଦ ପରେ ପ୍ରଥମ ଥର ଲାଗି ଏକ ପ୍ରକାରର ନୂଆ ବ୍ୟବସ୍ଥାରେ ପରୀକ୍ଷା ହେଉଥିବାରୁ ପ୍ରଥମ ଦିନ ଟିକେ ଭୟ ଲାଗିଥିଲା । କିନ୍ତୁ ପରେ ସେହି ଭୟ ଦୂର ହୋଇ ଯାଇଥିବାରୁ ମୁଁ ପୂରା ପରୀକ୍ଷାରେ ଭଲ କରିଛି,’’ କହିଛନ୍ତି କଟକର ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଇଥିବା ଦେବାଶିଷ ସାହୁ ।

ବିନା କୌଣସି ବିଭ୍ରାଟ ସହ ପରୀକ୍ଷା ଶେଷ ହୋଇଥିବାରୁ ଆଶ୍ୱସ୍ତି ଲାଭ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଖାତା ଦେଖା ଶେଷ ହେବା ପରେ ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋର୍ଡ଼ ସୂତ୍ରରୁ ଜଣା ପଡିଛି ।

“ପ୍ରଶ୍ନ ପତ୍ର ଭାଇରାଲକୁ ରୋକିବା ଆମ ପାଇଁ ଏକ ବଡ ଚାଲେଞ୍ଚ ଥିଲା । ଏଥିପାଇଁ ଆମେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲୁ । ସେଇଥିପାଇଁ ଏ ବର୍ଷ କିଛି ଅଘଟଣ ଘଟି ନଥିଲା । ଏବେ ପରୀକ୍ଷାର ଖାତା ଦେଖା ଓ ର୍ନିଭୁଲ ମୂଲ୍ୟାୟନ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛୁ,” କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।
First published: March 3, 2020, 3:27 PM IST