ମ୍ୟାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନ ପତ୍ର ଲିକ୍ ହେବାର ଗୁଜବ ଖେଳିଲା; ମନ୍ତ୍ରୀ କହିଲେ ତଦନ୍ତ ହେବ

ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ନେଇ କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । । ‘‘ଯଦି ଅଭିଯୋଗ ଆସେ ତେବେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ସେ କହିଛନ୍ତି ।

ମ୍ୟାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନ ପତ୍ର ଲିକ୍ ହେବାର ଗୁଜବ ଖେଳିଲା; ମନ୍ତ୍ରୀ କହିଲେ ତଦନ୍ତ ହେବ
ଧର୍ମଗଡ଼ରେ ଗୋଟେ ଅଳିଆଗଦାରେ ଏକ ପ୍ରଶ୍ନ ପତ୍ର ପଡ଼ିଥିବାର ଦେଖାଯାଇଥିଲା ।
  • News18 Odia
  • Last Updated: February 19, 2020, 1:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ଆଜି କଡ଼ା ବନ୍ଦୋବସ୍ତ ସତ୍ତ୍ବେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଗୁଜବ ଖେଳିଛି । ପରୀକ୍ଷା ଶେଷ ହେବାର କିଛି ସମୟ ପୂର୍ବରୁ ଏଭଳି ଅଭିଯୋଗ ହୋଇଥିଲା । ବଲାଙ୍ଗିରର କଣ୍ଟାବାଞ୍ଜି ଓ କଳାହାଣ୍ଡିର ଧର୍ମଗଡ଼ରେ ପ୍ରଶ୍ନ ପତ୍ର ଲିକ୍‌କୁ ଗୁଜବ ବୋଲି କହିଛନ୍ତି ବୋର୍ଡ଼ର ସଚ଼ିବ ରାମାଶିଷ ହାଜରା ।

ଧର୍ମଗଡ଼ରେ ପ୍ରଶ୍ନପତ୍ର ବାହାରେ ପଡ଼ିଥିବା କିଛି ଲୋକ ଦେଖିବା ପରେ ଏହା ମାଟ୍ରିକର ହୋଇଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ହେଲେ ଆଜି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ବେଳେ ଗଣ ଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଅଭିଯୋଗରେ ସତ୍ୟତା ଥିବାର ସମ୍ଭାବନା କମ୍‌ । ତେବେ ପରୀକ୍ଷା କେନ୍ଦ୍ରରେ ଥିବା ଶିକ୍ଷକମାନେ ଭାଇରାଲ୍‌ ହୋଇଥିବା ପ୍ରଶ୍ନ ପତ୍ରକୁ ଦେଖିବା ପରେ ତାହା ଆଜିର ପ୍ରଶ୍ନ ପତ୍ର ସହ ମେଳ ଖାଉନଥିବା କହିଛନ୍ତି ।

‘‘ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ସୂଚନା ମୁଁ ଆପଣମାନଙ୍କ (ସାମ୍ବାଦିକମାନଙ୍କ) ଠାରୁ ପାଉଛି । ଏ ନେଇ କୌଣସି ଅଭିଯୋଗ ଆସିନି । ଯଦି ଆସେ ତେବେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବାଲେଶ୍ୱରରେ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରେ ଛାତ୍ରୀମାନେ


ତେବେ ମାଟ୍ରିକ୍‌ ପରୀକ୍ଷାରେ ସଂସ୍କାର ପାଇଁ ଏ ଥର ପ୍ରଶ୍ନ ପତ୍ରରେ କୋଡ଼ିଂ ବ୍ୟବସ୍ଥା ସମେତ ଅନେକ ପଦକ୍ଷେପ ନିଆଯାଇଥିବା ସତ୍ୱେ କେତେକ ସ୍ଥାନରେ ଦେଖାଯାଇଥିଲା ତ୍ରୁଟି ଓ ଅବ୍ୟବସ୍ଥା । ପୁରୀର ଭୋଳାନାଥ ବିଦ୍ୟାପୀଠରେ ମିଳିଥିଲା ବିନା କୋଡ୍‌ ବାଲା ପ୍ରଶ୍ନପତ୍ର । ଶିକ୍ଷକଙ୍କ ନଜରକୁ ଏହା ଆସିବା ପରେ ପ୍ରଶ୍ନପତ୍ର ବଣ୍ଟାଯାଇ ନ ଥିଲା । ପ୍ରଶ୍ନ ପତ୍ର ପ୍ୟାକେଟ୍‌ରେ ଗୋଟିଏ ସବଜେକ୍ଟିଭ ଓ ଗୋଟିଏ ଅବଜେକ୍ଟିଭ ପ୍ରଶ୍ନ ପତ୍ର ରହିବା କଥା । ମାତ୍ର ସେଥିରେ ଦୁଇଟି ଯାକ ଅବଜେକ୍ଟିଭ ପ୍ରଶ୍ନପତ୍ର ଥିଲା । ସେଥିରେ ମଧ୍ୟ କୌଣସି କୋଡ୍‌ ନଥିଲା । ଏହା ଦେଖିବା ପରେ ଶିକ୍ଷକ ତୁରନ୍ତ ପ୍ରଶ୍ନପତ୍ର ବଣ୍ଟନ ଉପରେ ରୋକ୍‌ ଲଗାଇଥିଲେ । ପରେ ପ୍ରଶ୍ନପତ୍ରକୁ ସିଲ୍‌ କରି ତାଲା ପକାଇ ରଖାଯାଇଥିଲା । ତେବେ ପ୍ରଶ୍ନ ପତ୍ର ପ୍ୟାକିଂ ବେଳେ ଅତିରିକ୍ତ ପ୍ରଶ୍ନ ପତ୍ର ରହି ଥାଇପାରେ ବୋଲି କହିଛନ୍ତି ଭୋଳାନାଥ ବିଦ୍ୟାପୀଠରେ ହୋଇଥିବା ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ମୀନତି ମିଶ୍ର ।

ଅବ୍ୟବସ୍ଥାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ରାମଚ଼ଣ୍ଡୀରେ । ଆର୍ଡମିଟ କାର୍ଡ ନ ମିଳିବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଇଛନ୍ତି ଜଣେ ଛାତ୍ର । ରାମଚଣ୍ଡୀ ଥାନା ବାବା ବାଲି କପିଳେଶ୍ୱର ସ୍କୁଲର ଛାତ୍ର ସୌମ୍ୟରଞ୍ଜନ ଫର୍ମ ଫିଲପ କରିଥିଲେ, ହେଲେ ତାଙ୍କୁ ଆଡମିଟ୍‌ କାର୍ଡ଼ ମିଳି ନ ଥିଲା ବୋଲି ସେ ରାମଚଣ୍ଡୀ ଥାନାରେ ଅଭିଯୋଗ କରିଛନ୍ତି । ସ୍କୁଲର ୧୧୮ ଜଣଙ୍କ ମଧ୍ୟରୁ ୧୧୧ ଜଣ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ କରି ପରୀକ୍ଷାଦେଉଥିବା ସ୍କୁଲ ପକ୍ଷରୁ କୁହାଯାଉଛି । କିନ୍ତୁ ସୌମ୍ୟ ଫର୍ମ ଫିଲପ୍‌ କରିଥିଲେ ମଧ୍ୟ ତାଙ୍କୁ ଆଡ୍‌ମିଟ କାର୍ଡ ମିଳି ନ ଥିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ବିଷୟର ପରୀକ୍ଷା ଥିଲା । ଚ଼ଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ । ଏଥିପାଇଁ ମୋଟ ୨,୮୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମ୍ବେଦନଶୀଳ ୧,୦୦୦ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି ସିସିଟିଭି କ୍ୟାମେରା । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରାଯାଇଛି ।

କପି ରୋକିବା ଲାଗି ଶିକ୍ଷକମାନେ ଜୋରଦାର ଚେକିଂ କରିଥିଲେ । ପରୀକ୍ଷା ବେଳେ କପି ରୋକିବାକୁ ୧୧୩ଟି ସ୍କ୍ବାଡ୍‌ ଗଠନ କରାଯାଇଥିଲା । ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ କଲେଜର ଅଧ୍ୟାପକ ମଧ୍ୟ ରହିଥିଲେ । ସ୍ୱୟଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ସୁପରିଚାଳନା ନେଇ ନିରୀକ୍ଷଣ କରିଥିଲେ ।
First published: February 19, 2020, 1:25 PM IST
corona virus btn
corona virus btn
Loading