ନକ୍ସାଲ୍ ପ୍ରେମୀ ଯୁଗଳ ଛାଡ଼ିଲେ ହିଂସାର ପଥ, ମାଲକାନଗିରି ଏସ୍.ପି.ଙ୍କ ନିକଟରେ ଆତ୍ମସମର୍ପଣ କଲେ

ମାଓ ସଙ୍ଗଠନରେ ଯୋଗ ଦେବା ପରେ କାନ୍ନା ମାଡ଼ି ଓ ଲାକେ ପୁନେମ ପରସ୍ପରକୁ ଭଲପାଇ ବସିଥିଲେ। କାନ୍ନାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଲାକେଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା ।

ନକ୍ସାଲ୍ ପ୍ରେମୀ ଯୁଗଳ କାନ୍ନା ମାଡ଼ି ଓ ଲାକେ ପୁନେମ

ନକ୍ସାଲ୍ ପ୍ରେମୀ ଯୁଗଳ କାନ୍ନା ମାଡ଼ି ଓ ଲାକେ ପୁନେମ

  • Share this:
News18 odia Digital

କଟକ: ହିଂସାର ପଥକୁ ସବୁ ଦିନ ପାଇଁ ଛାଡ଼ିବାର ପଣ କରି ଆଜି ଏକ ନକ୍ସାଲ୍‌ ପ୍ରେମୀ ଯୁଗଳ ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ଡ଼ିଜିପି ଅଭୟଙ୍କ ଲଗାତର ଅପିଲ୍‌ ପରେ ଏବେ ଧୀରେ ଧୀରେ ଏହାର ସୁଫଳ ଦିଶିବାରେ ଲାଗିଛି ।

ମାଲକାନଗିରି ଏସ୍‌.ପି. ଋିଷିକେଶ ଧନଦେଓ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏହି ଦୁଇ ହାର୍ଡ଼କୋର ମାଓବାଦୀ ହେଉଛନ୍ତି କାନ୍ନା ମାଡ଼ି ଓ ଲାକେ ପୁନେମ । ସେମାନେ ଏକ ପ୍ରେମୀ ଯୁଗଳ । କାନ୍ନାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଲାକେଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

ମାଓ ସଙ୍ଗଠନରେ ଯୋଗ ଦେବା ପରେ ଉଭୟ ପରସ୍ପରକୁ ଭଲପାଇ ବସିଥିଲେ। କିନ୍ତୁ ମାଓ ସଙ୍ଗଠନରେ ଥିବା ପ୍ରତିବନ୍ଧକର କଷ୍ଟ ଓ ଏକ ସୁଖୀ ଜୀବନ ଜିଇଁବାର ଇଚ୍ଛା ଉଭୟଙ୍କୁ ହିଂସା ର ପଥ ଛାଡ଼ି ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ ହେବାକୁ ପ୍ରେରଣା ଯୋଗାଇ ଥିଲା ।

ମାଲକାନଗିରି ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାନ୍ନା ମାଡ଼ି ଓ ଲାକେ ପୁନେମ ଆତ୍ମସର୍ମପଣ କରିଥିଲେ । ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ନିଜେ ଏସ୍‌.ପି. ଋିଷିକେଶ ଧନଦେଓ ଖିଲାରୀ ।

କାନ୍ନା ଓ ଲାକେଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି ମାଲକାନଗିରି ଏସ୍.ପି. ଋିଷିକେଶ ଧନଦେଓ ଖିଲାରୀ ।


‘‘ଗତ କିଛି ବର୍ଷ ହେଲା ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ଜିଲ୍ଲାର ବହୁତ ଦୁର୍ଗମ ସ୍ଥାନକୁ ରାସ୍ତା ନିର୍ମାଣ ବି ହେଲାଣି । ଏହା ସହିତ ପୋଲିସର ଆଭିମୁଖ୍ୟ ବି ବଦଳିଛି । ସେଇଥି ପାଇଁ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ପାଖାପାଖି ୯୫ ପ୍ରତିଶତ କମିଯାଇଛି । ମାଲକାନାଗିରିରେ ଏବେ ସକ୍ରିୟ ଥିବା ମାଓବାଦୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ସେମାନଙ୍କ ଭିତରେ ଓଡ଼ିଆ ମାତ୍ର ୭ ରୁ ୮ ଜଣ ଅଛନ୍ତି,’’ କହିଛନ୍ତି ଖିଲାରୀ​ ।
ମାଲକାନଗିରିରେ ଜିଲ୍ଲା ସହ ପଡ଼ୋଶି ରାଜ୍ୟର ସୀମା ଲାଗି କରି ଥିବାରୁ ଅନେକ ଅଣଓଡ଼ିଆ ମାଓବାଦୀ ଏଠାରେ ସକ୍ରିୟ ଅଛନ୍ତି । ହେଲେ ଆତ୍ମସମର୍ପଣ କରିବା ପାଇଁ ପୋଲିସ୍‌ ସେମାନଙ୍କ ସହିତ ଯୋଗାଯୋଗରେ ଅଛି ବୋଲି କହିଛନ୍ତି ଖିଲାରୀ ।

ମୁଳତଃ କାଲିମେଳା ବାସିନ୍ଦା କାନ୍ନା ଥିଲେ ଆନ୍ଧ୍ର ଓଡ଼ିଶା ବର୍ଡର ମିଲିଟାରି ପ୍ଲାଟୁନ (AOBMP) ମାଓବାଦୀ ସଙ୍ଗଠନର ଏରିଆ କମିଟି ସଦସ୍ୟ । ୨୦୧୩ ମସିହାରେ ଏହି ମାଓ ସଙ୍ଗଠନରେ ଯୋଗ ଦେଇଥିବା କାନ୍ନାଙ୍କ ନାଁରେ ରହିଥିଲା ୧୦ଟି ମାମଲା । ସେଥି ମଧ୍ୟରେ ଆଇଇଡ଼ି ବ୍ଲାଷ୍ଟ, ଆମ୍ବୁସ ଓ ଫୋଲିସ ଇନଫର୍ମର୍‌ ସନ୍ଦେହରେ ଲୋକଙ୍କୁ ହତ୍ୟା କରିବା ମାମଲା ମଧ୍ୟ ଥିଲା । ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଥିଲା ।

ଲାକେ ପୁନେମ ୨୦୧୮ ମସିହାରେ ଦକ୍ଷିଣ ବସ୍ତର ଡ଼ିଭିଜନରେ ଯୋଗ ଦେଇ ପରେ ସେହି ବର୍ଷ ମାଲକାନଗିରିକୁ ବଦଳି ହୋଇଥିଲେ । ସେଠାରେ ସେ ଆନ୍ଧ୍ର ଓଡ଼ିଶା ବର୍ଡର ମିଲିଟାରି ପ୍ଲାଟୁନର ସଦସ୍ୟ ଭାବେ କାମ କରୁଥିଲେ । ସେ ଦୁଇ ଥର ପୋଲିସ ସହିତ ଗୁଳି ବିନିୟମ କାର୍ଯ୍ୟରେ ଅନ୍ୟ ମାଓବାଦୀଙ୍କ ସହ ସାମିଲ ଥିଲେ । ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

‘‘ସାରା ଭାରତବର୍ଷରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ସେମାନଙ୍କର କେହି ବି ନେତା ନାହାଁନ୍ତି । ୨୦୦୭ ଓ ୨୦୦୮ ପୂର୍ବରୁ ଏହା ଉପରେ ଏତେ ଗୁରତ୍ବ ଦିଆଯାଇ ନ ଥିଲା । ତେଣୁ ରାଜ୍ୟରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଗତ ଦୁଇ ଦଶନ୍ଦି ମଧ୍ୟରେ ରାଜ୍ୟରେ ମାଓ କାର୍ଯ୍ୟକଳାପ କମିଛି । ଲୋକଙ୍କ ସମର୍ଥନ ବି ନାହିଁ । ଯଦି ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟ ଠିକ ଭାବରେ ହୁଏ ତେବେ ଓଡ଼ିଶା ବର୍ଷେ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ମାଓବାଦ ମୁକ୍ତ ହୋଇଯିବ,’’ କହିଛନ୍ତି ପୂର୍ବତନ ଡିଜିପି ଗୋପାଳ ନନ୍ଦ ।

ଏହା ବି ପଢ଼ନ୍ତୁ: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି

ଗତ କିଛି ମାସ ହେଲା ଓଡ଼ିଶା ପୋଲିସ ମାଓବାଦୀଙ୍କୁ ସବୁ ଦିଗରୁ ଘେରିବା ଆରମ୍ଭ କରିଛି। ଗୋଟିଏ ପଟେ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଅନ୍ୟ ପଟେ ଗୁଇନ୍ଦା ବିଭାଗର ସକ୍ରିୟ ଭୂମିକା ଯୋଗୁଁ ସେମାନଙ୍କ ଗତିବିଧି ଆଉ ପୂର୍ବ ଭଳି ପୋଲିସକୁ ଅଛପା ରହୁନାହିଁ। ଏହା ସହିତ ଓଡ଼ିଆ କାଡ଼ର ତଥା ନେତାଙ୍କ ଅଭାବ ଓ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ଜନ ସମର୍ଥନ ହରାଇଛନ୍ତି ମାଓବାଦୀମାନେ । ସେମାନେ ଏବେ ମୁଖ୍ୟ ସ୍ରୋତରେ ସାମିଲ ହେବା ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି ।
Published by:Anand Shankar Thankur Das
First published: