News18 Odia Digital
ଭୁବନେଶ୍ବର: ରାଜ୍ୟର ସବୁଠୁ ବଡ଼ ସେକ୍ସ ରାକେଟ ଘଟଣାରେ ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିବ ଇଡି।
ଏଥିପାଇଁ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ଭିତରେ କୋର୍ଟ ନେବ ଇଡି। ବେଆଇନ ଆର୍ଥିକ କାରବାର ଖୋଳତାଡ଼ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିଥିଲା ଇଡି। ହେଲେ ରିମାଣ୍ଡ ସମୟରେ ସେଭଳି କୌଣସି ତଥ୍ୟ ଅର୍ଚ୍ଚନା ଇଡିକୁ ଦେଇ ନେଇଥିବା ଜଣାପଡ଼ିଛି। ଯାହାଦ୍ୱାରା ଇଡି ତଦନ୍ତରେ ଅଗ୍ରଗତି ହୋଇ ନଥିବା ଜଣାପଡ଼ିଛି। ତେଣୁ ଆଜି କୋର୍ଟରେ ହାଜର ପରେ ପୁଣିଥରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ତାଙ୍କୁ ଆବେଦନ କରିବ ତଦନ୍ତକାରୀ ଟିମ।
ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ ଆଜି କୋର୍ଟରେ ହାଜର ହେବେ। ଇଡ଼ି ପ୍ରଡକ୍ସନ ପିଟିସିନ ଉପରେ କୋର୍ଟ ଜଗବନ୍ଧୁଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଗବନ୍ଧୁ କୋର୍ଟରେ ହାଜର ପରେ ତାଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଯାହାଫଳରେ ସ୍ଵାମୀ-ସ୍ତ୍ରୀଙ୍କୁ ରିମାଣ୍ଡ ନେଇ ମୁହାଁମୁହିଁ ଜେରା କରିବାକୁ ଲକ୍ଷ୍ୟ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶଳୟ।
ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ବେଆଇନ ଆର୍ଥିକ କାରାବର ଖୋଳତାଡ଼ କରିବା ପାଇଁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ମାମାଲ ରୁଜୁ କରିଛି ଇଡି।
ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିବା ବେଳେ ଖଗେଶ୍ବରଙ୍କୁ ଇଡି ଗିରଫ କରିଛି। ଅନ୍ୟତମ ଅଭିଯୁକ୍ତା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଦୁଇଥର ଜେରା କରିବା ପରେ ସେ ଉଭାନ ହୋଇଯାଇଛନ୍ତି। ଏହି ୪ ଜଣଙ୍କ ଆକାଉଣ୍ଟକୁ ବିଭିନ୍ନ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଛି। ତେଣୁ ଏତେ ପରିମାଣର ଟଙ୍କା କେଉଁଠୁ ଓ କାହିଁକି ଆସିଛି ତାହାର ତଦନ୍ତ କରୁଛି ଇଡି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।