News18 Odia Digital
Keonjhar tourist places: ପୁରାତନ ଐତିହ୍ୟ, କଳା, ସଂସ୍କୃତି ଓ କୀର୍ତ୍ତିରାଜିରେ ଭରପୂର ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାରେ ପୌରାଣିକ କଥାବସ୍ତୁ ନେଇ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ପର୍ଯ୍ୟଟକଙ୍କୁ ରାଜ୍ୟ ତଥା ଦେଶ ବାହାରୁ ମଧ୍ୟ ଆକୃଷ୍ଟ କରିଥାଏ।

କେନ୍ଦୁଝରର ‘ସୀତାବିଞ୍ଜି’ ପର୍ଯ୍ୟଟନସ୍ଥଳୀ
ଯାଜପୁରର ମା' ବିରଜା ମନ୍ଦିରଠୁ ଆରମ୍ଭ କରି ଭୀମକୁଣ୍ଡ, ରାମତୀର୍ଥ, ଗୁପ୍ତେଶ୍ବର ମନ୍ଦିର ପର୍ଯ୍ୟନ୍ତ। ପୁରାଣ ଓ ମହାଭାରତ ସମୟର ଅନେକ ପ୍ରମାଣ ଓଡ଼ିଶାରେ ଥିବା ବିଶ୍ବାସ ରହିଛି।
କେନ୍ଦୁଝର ସହରରେ ରହିଛି ସେହିପରି ଏକ ପୌରାଣିକ ସ୍ଥାନ। କେନ୍ଦୁଝର ସହରରୁ ୨୫କିମି ଦୂରରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ‘ସୀତାବିଞ୍ଜି’। ସୀତା ନଦୀକୂଳରେ ଥିବା ଏହି ଅଞ୍ଚଳର ରହିଛି ପୌରାଣିକ କଥାବସ୍ତୁ।

୧୫୦ ଫୁଟ୍ ଉଚ୍ଚ ଏକ ବିଶାଳ ପଥର ମଧ୍ୟରେ ମା' ସୀତାଙ୍କ ଏନ୍ତୁଡ଼ିଶାଳ
ବିଶ୍ବାସ ରହିଛି ସୀତାବିଞ୍ଜିରେ ରାମାୟଣ ସମୟରେ ମା' ସୀତା ଅଯୋଧ୍ୟା ଛାଡ଼ି ଆସିବା ପରେ ଏହି ସ୍ଥାନରେ ବସବାସ କରିଥିଲେ। ଏହି ସ୍ଥାନରେ ଦୁଇ ଯାଆଁଳା ପୁତ୍ର ଲବ ଓ କୁଶଙ୍କୁ ମା' ସୀତା ଜନ୍ମ ଦେଇଥିଲେ।
୧୫୦ ଫୁଟ୍ ଉଚ୍ଚ ଏକ ବିଶାଳ ପଥର ମଧ୍ୟରେ ମା' ସୀତାଙ୍କ ଏନ୍ତୁଡ଼ିଶାଳ ଥିବା ଆଞ୍ଚଳିକ ଲୋକଙ୍କ ବିଶ୍ବାସ। ଆହୁରି ମଧ୍ୟ ଏକ ବିଶାଳ ପଥରେ ମଧ୍ୟରେ ଗୁମ୍ଫା ରହିଛି ଯେଉଁଠାରେ ଲବ, କୁଶ ବାଲ୍ମିକିଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା କୁହାଯାଏ।

ପଥରରେ ଖୋଦିତ ହୋଇଥିବା ଲାଲି ଓ ହଳଦିଆ ରଙ୍ଗ ବହୁ ପୁରାତନ ଚିତ୍ର
ଏତଦ ବ୍ୟତୀତ ସୀତାବିଞ୍ଜିରେ ରହିଛି ଆଉ ଏକ ବିଶାଳ ପଥର ଯେଉଁଥିରେ ଖୋଦିତ ହୋଇଛି ସୁନ୍ଦର ପୁରାତନ ଚିତ୍ର। ଯାହା ରାମ ଓ ରାବଣଙ୍କ ଯୁଦ୍ଧକୁ ବର୍ଣ୍ଣାନ କରୁଛି ବୋଲି ଲୋକେ କୁହନ୍ତି।
ଲାଲି ଓ ହଳଦିଆ ରଙ୍ଗରେ ପୁରୁଷ, ଘୋଡ଼ା ଆଦିର ଚିତ୍ର ଅଙ୍କା ଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ଚିତ୍ର ସବୁ ଧୀରେ ଧୀରେ ଲିଭି ଲିଭି ଯାଉଛି। ଏହି ପଥରକୁ ‘ରାବଣଛାୟା’ ବୋଲି କୁହାଯାଏ। ଅଧା ଖୋଲା ଛତା ସଦୃଶ୍ୟ ଏହି ବିଶାଳ ପଥର ଖଣ୍ଡ ‘ରାବଣଛାୟା’। ପଥରଗୁଡ଼ିକ ଗୋଟିଏ ଆଉ ଗୋଟିଏ ଉପରେ ଏପରି ଭାବେ ସନ୍ତୁଳନ ବନାଇ ଛିଡ଼ା ହୋଇଛି ଯାହା ଦେଖି ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ।

ରାବଣଛାୟା-ଅଧା ଖୋଲା ଛତା ସଦୃଶ୍ୟ ପଥର
ସୀତାବିଞ୍ଜିରେ ରହିଛି ଆଉ ଏକ ରହସ୍ୟମୟୀ ପଥର। ଯେଉଁଥିରେ ପଥର ଘଷିଲେ ଧାନ ବାହାରୁଥିବା ଲୋକେ କୁହନ୍ତି। ପୂର୍ବରୁ ରାଜା ମହାରାଜା ସମୟରେ ଧନ ସମ୍ପତ୍ତି ତଥା ଧାନ ଚାଉଳକୁ ଭଣ୍ଡାର ଘର କରି ରଖାଯାଉଥିଲା। ସେହି ଭଣ୍ଡାର ପଥର ହୋଇ ରହିଛି ଯାହାକୁ ଘଷିଲେ ଧାନ ବାହାରୁଛି ବୋଲି କେହି କେହି କୁହନ୍ତି।

‘ସୀତାବିଞ୍ଜି’ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଫଟୋସୁଟ
ଏସବୁ ବ୍ୟତୀତ ଅନେକ ପୁରାତନ ଲିପି ମଧ୍ୟ ପଥରରେ ଖୋଦିତ ହୋଇଥିବା ଦେଖିବାକୁ ମିଳେ। ଖୋଦିତ ଲିପି କେଉଁ ଭାଷା ଓ କଣ ସେଥିରେ ଲେଖା ଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଐତିହାସିକ ଓ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ବାରା ସ୍ପଷ୍ଟ ଜଣାପଡ଼ନାହିଁ।

ପଥରରେ ଖୋଦିତ ହୋଇଥିବା ଏହି ଲିପିରେ କଣ ଲେଖାଯାଇଛି ଜଣାପଡ଼ିନାହିଁ
ସବୁଜ ବନାରଣ୍ୟ ମଧରେ ଥବା ବିଶାଳ ପଥରଗୁଡ଼ିକ ଅତି ମନଲୋଭା। ୧୫୦ ଫୁଟ୍ ଉପରେ ପୂଜା ପାଉଛନ୍ତି ମା' ସୀତା। ଏହି ସ୍ଥାନକୁ ଥରେ ଗଲେ ଫେରି ଆସିବାକୁ ପର୍ଯ୍ୟଟକଙ୍କ ମନ ହେବ ନାହିଁ। ସହରର ଘୋ ଘାରୁ ଦୂର ଶାନ୍ତ ପରିବେଶ ମଧ୍ୟରେ ବର୍ଷ ବର୍ଷର ଇତିହାସକୁ ଜାବୁଡ଼ି ଧରିଥିବା ଏହି ପଥରଖଣ୍ଡ ଗୁଡ଼ିକ କେନ୍ଦୁଝରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କେନ୍ଦୁଝର ଆସିଲେ ସାନଘାଗରା, ବଡ଼ ଘାଗରା ଓ ପ୍ରସିଦ୍ଧ ଘଟଗାଁ ବ୍ୟତୀତ ସୀତାବିଞ୍ଜି ମଧ୍ୟ ବୁଲିବାକୁ ଯାଆନ୍ତୁ।
ପ୍ରଜ୍ଞା ପରମିତା ପତ୍ରୀଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।