ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ଏକ ନମ୍ବର

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି ।

  • Share this:
News 18 Odia Digital

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା ।

ନୂଆଦିଲ୍ଲୀରେ ଆୟୋଜିତ ‘ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀ’ ରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଛନ୍ତି । ଦେଶରେ ଓଡ଼ିଶା ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଛି । ମୂଲ୍ୟାଙ୍କନ ଢାଞ୍ଚା ପାଇଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା, ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟିକରଣକୁ ଭିତ୍ତିଭୂମି ଏବଂ ରେଙ୍କିଙ୍ଗ୍ ପ୍ରଦାନ କରାଯାଇଥିଲା । ରାଜ୍ୟରେ, ଡିସେମ୍ବର ୨୦୧୫ ଠାରୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଲାଇଜ କରି, ୩.୨୫ କୋଟି ର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି , ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବପୋର୍ଟାଲରେ ଉପଲବ୍ଧ କରାଯାଇଛି । ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ତଥ୍ୟ ଗୁଡିକୁ ସଂଶୋଧନ କରିବା ନିମନ୍ତେ, ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର୍ଯ୍ୟଳୟ ଗୁଡିକରେ ସମୁଦାୟ ୩୭୮ ଗୋଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡିକ ଖୋଲାଯାଇଛି । ରାଜ୍ୟର ୧୫୨ ଗୋଟି ଖାଦ୍ୟ ଶସ୍ୟ ଗୋଦାମ ଗୃହ ଗୁଡିକରୁ ୧୨ ହଜାର ୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକଟନ ଖାଦ୍ୟସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚାଯାଉଛି । ସମସ୍ତ ୧୨ ହଜାର ୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ସ୍ୱୟଂଚାଳିତ ଇ-ପସ ମେସିନ ଜରିଆରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି । ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ରାଜ୍ୟରେ ୨୦୨୧ ମସିହା ଜୁଲାଇ ମାସଠାରୁ ଲାଗୁ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ ହଜାର ୫୭୮ ଗୋଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧ଲକ୍ଷ ୧୦ ହଜାର ପରିବାର ଉପକୃତ ହେଉଛନ୍ତି । ସେହିପରି ୫୩୩ ଆନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି ।

ଓଡିଶାର ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁ କରାଯାଇଛି । ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ ପୃଷ୍ଟିକର ଚାଉଳ ପ୍ରତିମାସରେ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟାହ୍ନ ଭୋଜନ (PM-POSHAN) ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଛି । ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ କହିଛନ୍ତି , ଓଡ଼ିଶାର ଏହି ସଫଳତା ପଛରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି । ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି।
Published by:Soubhagya Mishra
First published: