ମୋ ସରକାର ଓ ୫-ଟି ଉପକ୍ରମ ଆଣିଛି ସଫଳତା; ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ

ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନରେ ରହିଛି (ପ୍ରତୀକାତ୍ମକ ଛବି)

ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନରେ ରହିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଓଡ଼ିଶା ପଛକୁ ଏହି ପୁଲରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି।

ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସୱାସ ପଦ୍ଧତି ବ୍ୟବହାର କରାଯାଉଛି। ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଆପ୍‍ ରହିଛି। ସାଧାରଣ ଜନତା କିମ୍ବା କୌଣସି ହିତାଧିକାରୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ ଅଧିନରେ ଥାନା, ବ୍ଲକ, ତହସିଲ ଆଦିରେ କର୍ମଚାରୀଙ୍କ ବ୍ୟବହାର, ଦକ୍ଷତା ସାଧାରଣ ଜନତା ମାପୁଛନ୍ତି। ହିତାଧିକାରୀଙ୍କ ଫିଡ୍‍ବ୍ୟାକ୍‍ ତଥା ମତାମତ ଉପରେ ହିଁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରୁଛି। କେବଳ ୱେବସାଇଟ୍‍ ଗଠନ ନୁହେଁ, ଏହାର ସୁରକ୍ଷାକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି।

ସହଜରେ ପାଇବା (ଆକ୍ସେସିବିଲିଟି), ବିଷୟ ଉପଲବ୍ଧିତା(କଣ୍ଟେଣ୍ଟ ଆଭେଲେବଲିଟି), ବ୍ୟବହାରରେ ସୁଲଭତା (ଇଜ୍‍ ଅଫ୍‍ ୟୁଜ୍‍) ଓ ଗୋପନୀୟତା (ସିକ୍ୟୁରିଟି/ସିକ୍ରେସି)। ଏହି ଚାରୋଟି ମାପଦଣ୍ଡରେ ଭାରତ ସରକାର ଓ ନାସକମ୍‍ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦକ୍ଷତା ମାପିଥାନ୍ତି। ୨୦୨୧ ବର୍ଷର ରିପୋର୍ଟରେ ଓଡ଼ିଶା ସବୁ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଦର୍ଶନ କରିଛି। ୯୮ ପ୍ରତିଶତ ସହ ନମ୍ୱର ଓଡ଼ିଶା ନିଜ ପୁଲ୍‍ରେ ନମ୍ବର ୱାନ ହୋଇଛି। ଓଡ଼ିଶା ପଛରେ ଉତ୍ତରପ୍ରଦେଶ ୮୬ ପ୍ରତିଶତରେ ୨ ନମ୍ୱର ସ୍ଥାନରେ ରହିଛି। ଓଡ଼ିଶା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ମଡ଼୍ୟୁଲକୁ ବ୍ୟବହାର କରିବା ଶତ ପ୍ରତିଶତ ସହଜ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମଡ଼୍ୟୁଲ ୫୦ ପ୍ରତିଶତରୁ କମ୍‍ ରହିଛି। ଜନସେବା ଅଧିକାର ଆଇନ ଲାଗୁ କରି ବିଭିନ୍ନ ସେବା ଯୋଗାଇବାର ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ସମୟରେ ସାଇବର ଅପରାଧ ପୋଲିସ୍‍ ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପ ବ୍ୟବହାର ଅପରାଧିଙ୍କ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ସାଇବର ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ‘୫-ଟି’ ଉପକ୍ରମରେ ନିକଟରେ ଏକ ବଳିଷ୍ଠ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ମେ ମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସଓସି) ଲୋକାର୍ପଣ କରାଯାଇଛି। ବିଶେଷ କରି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍‍ର ମିଳିତ ଉଦ୍ୟମରେ ଏହା କରାଯାଇଛି।

ରାଜ୍ୟ ପ୍ରଶାସନ ଦ୍ୱାରା ସେବା ଗୁଡ଼ିକ ‘୫-ଟି’ ଉପକ୍ରମ ଦ୍ୱାରା ବହୁମାତ୍ରାରେ ଲୋକାଭିମୁଖି ହୋଇପାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ହେଉଛି-‘୫-ଟି’ର ପ୍ରମୁଖ ଉପାଦାନ। ରାଜ୍ୟର ଡାଟା ସେଣ୍ଟର, ଷ୍ଟେଟ୍‍ ୱାଇଡ୍‍ ଏରିଆ ନେଟୱାର୍କ ଏବଂ ସଚିବାଳୟ ନେଟୱାର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି। ଏହି ସ୍ୱୟଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ୱାରା ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି। ସାଇବର ସିକ୍ୟୁରିଟି ଅପରେସନ୍‍ ସେଣ୍ଟର ଦ୍ୱାରା ଡାଟା ସୁରକ୍ଷା ସମ୍ବଦ୍ଧୀୟ ଲଗ୍‍ ସଂଗ୍ରହ କରାଯାଇ ତାହାର ଠିକ୍‍ ବିଶେଷ୍ଳଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ବିପଦପୂର୍ଣ୍ଣ ଆଇପି ଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ୱାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛି।
Published by:Soumya Das
First published: