LIVE NOW

ବାତ୍ୟା-ପ୍ରବଣ ଓଡ଼ିଶା ୨୦ ବର୍ଷରେ ସହିଛି ୫ଟି ବଡ଼ ବାତ୍ୟା, ମାତ୍ର ସାରା ଦେଶରେ ବାତ୍ୟା ମୁକାବିଲାରେ ରୋଲ୍ ମଡେଲ୍

୧୯୯୯ ମହା ବାତ୍ୟା ପର ଠାରୁ ସରକାରୀ କଳର ତତ୍ପରତା ଓ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କାରଣରୁ ସାରା ଦେଶରେ ଓଡ଼ିଶା ବାତ୍ୟା ମୁକାବିଲାରେ ରୋଲ୍‌ ମଡେଲ୍‌ ପାଲଟିବା ସହିତ ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହୋଇଛି

odia.news18.com | January 1, 1970, 5:30 AM IST
facebookTwitterLinkedin
Last Updated January 1, 1970
auto-refresh

Highlights

ଭୁବନେଶ୍ୱର: ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶା ଗତ ୨୦ ବର୍ଷ ଭିତରେ ସାମ୍ନା କରିଛି ଛୋଟବଡ ପ୍ରାୟ ୫ଟି ବାତ୍ୟା ।  ବ୍ୟାପକ ଧନଜୀବନ ହାନି ହୋଇଛି ଓ ହଜାର ହଜାର ପରିବାର ଉଜୁଡିଛନ୍ତି ଏଇ ବାତ୍ୟାଗୁଡ଼ିକ ଯୋଗୁଁ । ଭୁଲୁଣ୍ଠିତ ହୋଇଛି ଅନେକ ଘର  ।  ହେଲେ ସୁଖର କଥା ଯେ ୧୯୯୯ରୁ ୨୦୧୯ ଏଇ ୨୦ ବର୍ଷ ଭିତରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାରେ ଯଥାର୍ଥ ସମର୍ଥ ହୋଇପାରିଛି ରାଜ୍ୟ ।

୧୯୯୯ ବାତ୍ୟାରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ମେ’ ମାସରେ ଘଟିଥିବା ଫନି ବାତ୍ୟାରେ ମୃତ୍ୟୁ ସଂଖ୍ୟା ମାତ୍ର ୬୪ ଭିତରେ ସୀମିତ ରହିଛି । ୧୯୯୯ ମହା ବାତ୍ୟା ପର ଠାରୁ ସରକାରୀ କଳର ତତ୍ପରତା ଓ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କାରଣରୁ ସାରା ଦେଶରେ ଓଡ଼ିଶା ବାତ୍ୟା ମୁକାବିଲାରେ ରୋଲ୍‌ ମଡେଲ୍‌ ପାଲଟିବା ସହିତ ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହୋଇଛି ।
Read More
Load More





ଏବେ ବି ଅନେକଙ୍କ ମନରୁ ଲିଭିନାହିଁ ୧୯୯୯ ମହାବାତ୍ୟାର କରାଳ ରୂପ । ଅକ୍ଟୋବର ୨୯, ୧୯୯୯ ଦିନ ଆସିଥିବା ଏଇ ମହାବାତ୍ୟା ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ଉପକୂଳ ଜିଲ୍ଲା ଜଗତସିଂହପୁରର ଜନଜୀବନ । ପବନର ବେଗ ଥିଲା ଘଣ୍ଟା ପ୍ରତି ପ୍ରାୟ ୨୭୦ କିମିରୁ ୩୦୦ କିମି ପର୍ଯ୍ୟନ୍ତ । ଏଇ ମହାବାତ୍ୟା ଓଡ଼ିଶାରେ ନେଇଥିଲା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ । ମୃତକମାନଙ୍କ ଭିତରେ କେବଳ ୮,୦୦୦ ଥିଲେ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ।

ୟା ଭିତରେ ମହାବାତ୍ୟାକୁ ବିତିଛି ୨୦ ବର୍ଷ । ଏହି ସମୟ ଭିତରେ ଫାଇଲିନ୍‌, ହୁଦ୍‌ହୁଦ୍‌, ତିତିଲି ଓ ଫନି ଭଳି ଛୋଟବଡ ପ୍ରାୟ ଆଉ ୪ଟି ବାତ୍ୟାର ସାମ୍ନା କରିଛି ଓଡ଼ିଶା ।

୪ ଅକ୍ଟୋବର ୨୦୧୩ରେ ଓଡ଼ିଶା ସାମ୍ନା କରିଥିଲା ଫାଇଲିନ୍‌ ବାତ୍ୟା । ଏଥିରେ ପବନର ବେଗ ଘଣ୍ଟା ପ୍ରତି ଥିଲା ୨୧୫, ହେଲେ ମୃତ୍ୟୁ ସଂଖ୍ୟା ଥିଲା ମାତ୍ର ୨୧ ।

ତାର ଠିକ୍‌ ପର ବର୍ଷ ୭ ଅକ୍ଟୋବର ୨୦୧୪ରେ ଓଡ଼ିଶା ସାମ୍ନା କରିଥିଲା ବାତ୍ୟା ହୁଦ୍‌ ହୁଦ୍‌ । ଏଥିରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ଥିଲା ଓ ମୃତ୍ୟୁ ସଂଖ୍ୟା ଥିଲା ମାତ୍ର ୨ ।

ତା’ର ଚାରି ବର୍ଷ ରେ ୧୪ ଅକ୍ଟୋବର ୨୦୧୮ରେ ତିତିଲି ବାତ୍ୟା କୁ ସାମ୍ନା କରିଥିଲା ରାଜ୍ୟ । ଏଥିରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୪୫ କିମି , ମୃତ୍ୟୁ ସଂଖ୍ୟା ଥିଲା ୭୭ ।

ହେଲେ ୩ ମେ ୨୦୧୯ରେ ଓଡ଼ିଶା ସମ୍ନା କରିଥିଲା ଭୟଙ୍କର ବାତ୍ୟା ଫନିକୁ । ଏଥିରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୨୦୦ କିମି ଓ ମୃତ୍ୟୁ ସଂଖ୍ୟା ଥିଲା ମାତ୍ର ୬୪ ।

ଏବେ ଏଇ ବାତ୍ୟା ପ୍ରବଣ ରାଜ୍ୟରେ ଏବେ ବାତ୍ୟା ନାଁ ଶୁଣିଲେ ଲୋକେ ଆଉ ପୂର୍ବ ଭଳି ଶିହିରି ଉଠୁନାହାନ୍ତି । ତାର କାରଣ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଗତ ୨୦ ବର୍ଷ ଭିତରେ ଓଡ଼ିଶା ବେଶ୍‌ ଅଭିଜ୍ଞତା ହାସଲ କରିଛି  ।

୧୯୯୯ ମହାବାତ୍ୟା ପରେ ରାଜ୍ୟରେ ଗଠନ ହୋଇଥିଲା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ବା ଓସଡମା  (OSDMA)। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଭାବେ ନିର୍ମାଣ କରାଯାଇଥିଲା ଅନେକ ବାତ୍ୟା ଆଶ୍ରୟ ସ୍ଥଳୀ । ଆଇଏମ୍‌ଡି ବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜରିଆରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟର ଆଗୁଆ ସୂଚନା ପ୍ରଦାନ ସହ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ତାନାନ୍ତର କରାଗଲା । ସରକାରଙ୍କ ଚେଷ୍ଟା ରହିଲା ‘ଜିରୋ’ କାଜୁଆଲିଟି ସୁନିଶ୍ଟିତ କରିବା, ଯାହା ଅନେକାଂଶରେ  ସଫଳ ହୋଇଛି ।

ଖାସ୍‌ କରି ଫନି ବାତ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ତ୍ବରିତ ସ୍ଥାନାନ୍ତର କରିବା ଓ ଧନଜୀବନ ହାନି ରୋକିବାରେ ସମର୍ଥ ହୋଇଥିବାରୁ ଜାତୀୟ ସ୍ତରରେ ଅନ୍ୟ ରାଜ୍ୟ ପାଇଁ ଏବେ ରୋଲ୍‌ ମଡେଲ୍‌ ପାଲଟିଛି ଓଡ଼ିଶା । ବିଶ୍ବସ୍ତରରେ ମଧ୍ୟ ସାଉଁଟିଛି ଅନେକ ପ୍ରଶଂସା  । ତେବେ ଏହି ଉଦ୍ୟମରେ ଆହୁରି ଅନେକ ଆଗକୁ ଯିବାର ଆବଶ୍ୟକତା ନେଇ ପ୍ରକାଶ ପାଇଛି ମତ ।

୧୯୯୯  ପୂର୍ବରୁ ୧୯୭୧ ମସିହାରେ ଓଡ଼ିଶା ସାମ୍ନା କରିଥିଲା ଆଉ ଏକ ଭୟଙ୍କର ବାତ୍ୟା, ଯାହା ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ନେଇଥିଲା । ସେହିଭଳି ୧୮୫୫ ମସିହାରେ ରାଜ୍ୟ ସାମ୍ନା କରିଥିବା ଏକ ଭୟଙ୍କର ବାତ୍ୟାରେ ଯାଇଥିଲା ପ୍ରାୟ ୫ ହଜାର ଜୀବନ । ମୋଟ୍‌ ଉପରେ ୧୯୯୯ର ମହାବାତ୍ୟା ସମସ୍ତଙ୍କ ଆଖି ଖୋଲିଦେଇଛି ବୋଲି କହିବାରେ ଏବେ କାହାରି ଦ୍ବିଧା ନାହିଁ ।
corona virus btn
corona virus btn
Loading