ବଲାଙ୍ଗିର: ନାଁକୁ ହାଇ ସ୍କୁଲ୍, ମାତ୍ର ନା ଅଛନ୍ତି ଏଠି ଶିକ୍ଷକ ନା ଅଛି ପିଲାମାନଙ୍କ ପାଇଁ ବେଞ୍ଚ୍ ଓ ଡେସ୍କ୍ । ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।
ଇଏ ହେଉଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ୍ର ଅଏଁଲାସାରି ଗାଁରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀରେ ପାଖାପାଖି ମୋଟ ୩୫୦ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ମୋଟ ଶିକ୍ଷକ ସଂଖ୍ୟା ମାତ୍ର ସାତ ।
ନବମ ଓ ଦଶମ ଶ୍ରେଣୀରେ ଅଛନ୍ତି ୧୦୦ ଜଣ ଛାତ୍ରଛାତ୍ରୀ । ସେମାନଙ୍କୁ ପଢ଼େଇବାକୁ କେବଳ ଜଣେ ଶିକ୍ଷକ ଅଛନ୍ତି । ସେ ଜଣକ ବିଜ୍ଞାନ ଶିକ୍ଷୟତ୍ରୀ । ସେ ବି ଅନ୍ୟ ଏକ ସ୍କୁଲ୍ରୁ ଡେପୁଟେସନ୍ରେ ଆସୁଛନ୍ତି । ସପ୍ତାହକୁ ତିନି ଦିନ ଆସନ୍ତି ସେ। ବାକି ଦିନମାନଙ୍କରେ ତଳ ଶ୍ରେଣୀର ଶିକ୍ଷକମାନେ ବେଳେବେଳେ କ୍ଲାସ୍ରୁମ୍କୁ ଆସନ୍ତି ।
ଶିକ୍ଷକ ଅଭାବ ଯୋଗୁଁ ପିଲାମାନଙ୍କର ପାଠପଢା଼ ଗୁରୁତର ଭାବେ ପ୍ରଭାବିତ ହେଉଛି । ଉଭୟ ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ବଡ଼ ଚିନ୍ତାରେ ଅଛନ୍ତି ।
ଗତ ତିନି ବର୍ଷ ଏହି ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ୍ 50 ପ୍ରତିଶତରୁ କମ୍ ଥାଇ ଚର୍ଚ୍ଚା କୁ ଆସିଥିଲା । ଦଶମ ଶ୍ରେଣୀ ଛାତ୍ରୀ ମନୀଷା ପ୍ରଧାନ ଓ ମାନସୀ ସାହୁ କହିଲେ ଯେ ଆଗାମୀ ମ୍ୟାଟ୍ରିକ୍ ପରୀକ୍ଷାକୁ ନେଇ ପିଲାମାନେ ଭାରି ଚିନ୍ତାରେ ଅଛନ୍ତି ।
ତା’ ଛଡ଼ା ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପିଲାଏ ବାରଣ୍ଡାରେ ବସି ପାଠ ପଢୁ଼ଛନ୍ତି । ବିଦ୍ୟାଳୟଟିରେ ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲା । ପାଖାପାଖି ତିନି ବର୍ଷ ତଳେ ନବମ ଓ ଦଶମ ଶ୍ରେଣୀ ମିଶାଇ ଏହାକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଥିଲା ।
ପ୍ରଧାନ ଶିକ୍ଷକ ପରିକ୍ଷୀତ ସେଠୀ କହିଲେ ଯେ ସ୍କୁଲ୍ର ସମଗ୍ର ଅସୁବିଧା ବିଷୟରେ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଜଣେଇଦିଆଯାଇଛି ।
ପୁଇଁତଳା ବ୍ଳକ ଶିକ୍ଷାଧିକାରୀ ନେପାଳ ବାଗ କହିଲେ ଯେ ଉପରିସ୍ଥ ଅଧିକାରୀମାନେ ସ୍କୁଲ୍ର ଅସୁବିଧାଗୁଡ଼ିକୁ ସୁଧାରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।