କଟକରେ ଦୁର୍ଗା ପୂଜା: ତିଆରି ହୋଇ ସାରିଥିବା ମା’ଙ୍କ ବଡ଼ ମୂର୍ତ୍ତିକୁ ସୁରକ୍ଷା ଦେଲେ ହାଇ କୋର୍ଟ

ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ଗଢ଼ି ଉଠିଥିବା ବିବାଦ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ହାଇ କୋର୍ଟ ପୋଲିସ କମିଶନରଙ୍କ ଭୂମିକାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି । ପୋଲିସ କମିଶନର ଲିଖିତ ଭାବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

କଟକରେ ଦୁର୍ଗା ପୂଜା: ତିଆରି ହୋଇ ସାରିଥିବା ମା’ଙ୍କ ବଡ଼ ମୂର୍ତ୍ତିକୁ ସୁରକ୍ଷା ଦେଲେ ହାଇ କୋର୍ଟ
ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ, ଦୁର୍ଗାଙ୍କ ନିର୍ମାଣାଧୀନ ମୂର୍ତ୍ତି ଓ ହାଇ କୋର୍ଟ୍
  • News18 Odia
  • Last Updated: September 30, 2020, 7:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦଶହରାରେ କଟକ ସହରରେ ନିର୍ମାଣ ହେଉଥିବା ମା' ଦୁର୍ଗାଙ୍କ ମୃର୍ତ୍ତିର ଉଚ୍ଚତା ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ । ତିଆରି ହୋଇ ସାରିଥିବା ବଡ଼ ମୂର୍ତ୍ତିକୁ ଖଣ୍ଡିତ କରାଯାଇ ପାରିବ ନାହିଁ ବୋଲି କହିବା ସହିତ ଯେଉଁ ମଣ୍ଡପରେ ବଡ଼ ମୂର୍ତ୍ତି ତିଆରି ହୋଇସାରିଛି ସେଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଛନ୍ତି କୋର୍ଟ ।

ଶୁଣାଣି ସମୟରେ ଏହି ପ୍ରସଙ୍ଗରେ ପୋଲିସ କମିଶନରଙ୍କ ଭୂମିକାକୁ ନେଇ ଭୟଙ୍କର ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ । “ଆମର ପୂର୍ବ ନିର୍ଦ୍ଦେଶରେ କେଉଁଠି ବି ମୂର୍ତ୍ତିକୁ ଖଣ୍ଡିତ କରାଯିବା ନେଇ କୁହାଯାଇ ନ ଥିଲା,” କୋର୍ଟ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ପୋଲିସ କମିଶନର ଏ ଭଳି ଏକ ନିର୍ଦ୍ଦେଶନାମା ଜାରି କଲେ ତାକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ କୋର୍ଟ ଗତ ୨୮ ତାରିଖ ଦିନ ପୋଲିସ କମିଶନରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତା’ର ଜବାବରେ ବୁଧବାର ଦିନ ପୋଲିସ କମିଶନର କୋର୍ଟଙ୍କ ଠାରୁ ଲିଖିତ ଭାବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହି ମାମଲାରେ ଆବେଦନ କରିଥିବା ତିନିଟି ପୂଜା ମଣ୍ଡପ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ସେମାନଙ୍କ ମଣ୍ଡପ ବଡ଼ ମୂର୍ତ୍ତି ତିଆରି କରି ସାରିଛନ୍ତି, ତେଣୁ ସେମାନଙ୍କୁ ସେହି ମୂର୍ତ୍ତି ପୂଜା କରିବା ପାଇଁ ଅନୂମତି ଦିଆଯାଉ । ଅପର ପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଜେନେରାଲ ମଧ୍ୟ ନିଜ ଯୁକ୍ତି ଉପସ୍ଥାପିତ କରିଥିଲେ । ସେ ଗୋଟିଏ ସପ୍ତାହ ପରେ ଆଉ ଏକ କାଉଣ୍ଟର ଆଫିଡେଭିଟ୍‌ ଦାଖଲ କରିବା ପାଇଁ କୋର୍ଟଙ୍କୁ ମହଲତ ମାଗିଥିଲେ ।

ଫିରିଙ୍ଗ ବଜାର ପୂଜା ମଣ୍ଡପର ସମ୍ପାଦକ ନରେଶ ସାହୁ


ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ପୋଲିସ କମିଶନରଙ୍କୁ ଆସନ୍ତା ୭ ତାରିଖ ସୁଦ୍ଧା ଆଉ ଏକ ସତପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଡଭୋକେଟ୍‌ ଜେନେରାଲଙ୍କୁ ମଧ୍ୟ ୭ ତାରିଖ ମଧ୍ୟରେ କାଉଣ୍ଟର ଆଫିଡେଭିଡ଼ ଦାଖଲ ପାଇଁ କହିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୯ ତାରିଖକୁ ଘୁଞ୍ଚାଇଛନ୍ତି କୋର୍ଟ।

ବଡ଼ ମୂର୍ତ୍ତିଗୁଡ଼ିକୁ କୋର୍ଟଙ୍କ ସୁରକ୍ଷା ମିଳିବା ପରେ ଖୁସି ପ୍ରକାଶ କରିଛନ୍ତି ମାମଲା ଦାୟର କରିଥିବା ପୂଜା କମିଟି କତ୍ତୃପକ୍ଷ । “ଆମେ ନ୍ୟାୟ ପାଇବା ଆଶାରେ ମାନ୍ୟବର ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ । ଆମର ବିଶ୍ବାସ ଥିଲା ଯେ କୋର୍ଟ ଆମକୁ ନ୍ୟାୟ ଦେବେ । ପୂର୍ବରୁ ପୋଲିସ କମିଶନରଙ୍କ ଅର୍ଡ଼ର ପରେ ଆମ ମଣ୍ଡପରେ ତିଆରି ହୋଇସାରିଥିବା ମା'ଙ୍କ ମୂର୍ତ୍ତିକୁ ଭଙ୍ଗାଯିବ ବୋଲି ଶୁଣି ମନ କଷ୍ଟ ହୋଇଥିଲା । ଏହି କଥା ଭାବି ଭାବି ଅନେକ ଥର ରାତିରେ ନିଦ ହେଉ ନ ଥିଲା । କିନ୍ତୁ ଆଜି କୋର୍ଟ ଆମ ମଣ୍ଡପର ମୂର୍ତ୍ତିକୁ ସୁରକ୍ଷା ପ୍ରଦାନ କରିଥିବା ଜାଣି ମୁଁ ଚିନ୍ତାମୁକ୍ତ ହୋଇଛି,” କହିଛନ୍ତି ଫିରିଙ୍ଗ ବଜାର ପୂଜା ମଣ୍ଡପର ସମ୍ପାଦକ ନରେଶ ସାହୁ ।

ଏହି ମମାଲା ପରିଚାଳନା କରୁଥବା ଆଇନଜୀବୀମାନଙ୍କ ମଧ୍ୟରୁ ବିଭୂତି ଭୁଷଣ ଚୌଧୁରୀ କୁହିଛନ୍ତି, ‘‘ନିଜ ପୂର୍ବ ନିର୍ଦ୍ଦେଶରେ କୋର୍ଟ କେଉଁଠି ବି ତିଆରି ହୋଇସାରିଥିବା ମୂର୍ତ୍ତିଗୁଡ଼ିକୁ ଭାଙ୍ଗାଯିବା କଥା କହି ନ ଥିଲେ । କିନ୍ତୁ ଏହା ପରେ ମଧ୍ୟ ପୋଲିସ ବଡ଼ ମୂର୍ତ୍ତି ତିଆରି କରିଥିବା ମଣ୍ଡପଗୁଡ଼ିକୁ ନୋଟିସ କରିବା ପରେ ଆମେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲୁ ।’’

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ଠାରୁ ଲକ୍ଷ୍ମୀପୂଜା ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ସାର୍ବଜନୀନ ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟ ମଧ୍ୟରେ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାର ପ୍ରତିବାଦରେ କଟକର ୨୫ଟି ପୂଜା କମିଟି କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସେପଟେମ୍ବର ୧୬ ତାରିଖ ଦିନ ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସେହି ଦିନ ସନ୍ଧ୍ୟା ୭ଟା ସୁଦ୍ଧା ୪ ଫୁଟରୁ ଅଧିକ ଉଚ୍ଚ ମୂର୍ତ୍ତି ତିଆରି କରିଥିବା ମଣ୍ଡପର କର୍ମକର୍ତ୍ତାମାନେ କଟକ ଡିସିପିଙ୍କୁ ଲିଖିତ ଭାବେ ଜଣାବେ ଓ ପୋଲିସ ସେହି ମଣ୍ଡପଗୁଡ଼ିକୁ ଅନୁଧ୍ୟାନ କରି ସେମାନଙ୍କୁ ପୂଜା ପାଇଁ ଅନୁମତି ଦେବ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

କୋର୍ଟଙ୍କ ସେହି ନିର୍ଦ୍ଦେଶ ପରେ ବି ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦର ଅନ୍ତ ଘଟି ନ ଥିଲା । ଏହାର ଗୋଟିଏ ଦିନ ପରେ ପୋଲିସ କମିଶନର ଗୋଟିଏ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ସେ ୯ଟି ମଣ୍ଡପ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ତିଆରି କରିଥିବା ଦର୍ଶାଇବା ସହ ସେହି ସବୁ ମଣ୍ଡପର କର୍ମକର୍ତ୍ତାମାନଙ୍କୁ ବଡ଼ ମୂର୍ତ୍ତି ବଦଳରେ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଆଦେଶ ଦେଇଥିଲେ । ଏହା ସହିତ ଚକ୍ଷୁଦାନ ବା ବିଲ୍ବବରଣ ପୂର୍ବରୁ ମୂର୍ତ୍ତିର ସ୍ବରୂପରେ ପରିବର୍ତ୍ତିନ କରାଯାଇ ପାରିବ ଓ ତାକୁ ଭଙ୍ଗାଯାଇ ପାରିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ ।



ପୋଲିସ କମିଶନରଙ୍କ ଏହି ଶେଷ କେତେଟି କଥା ନୂଆ ବିବାଦକୁ ଜନ୍ମ ଦେଇଥିଲା । ସିପିଙ୍କ ଏହି ଆଦେଶକୁ ଚାଲେଞ୍ଚ କରିବା ସହ ତାଙ୍କ ବିରୁଦ୍ଧରେ ଅଦାଳତ ଅବମାନନାର ଏକ ମାମଲା ଦାୟର କରିଥିଲା ବାଲୁବଜାର ପୂଜା କମିଟି । ଏହା ସହିତ ବଡ଼ ମୂର୍ତ୍ତି ତିଆରି ହୋଇ ସାରିଥିବା ଦର୍ଶାଇ ଆଉ ଦୁଇଟି ପୂଜା ମଣ୍ଡପ ସେହି ମାମଲାରେ ଇଣ୍ଟରଭେନସନ୍‌ ‌ପିଟିସନ ଦାଖଲ କରିଥିଲେ । ସେହି ପିଟିସନର ଶୁଣାଣି ଆଜି ହାଇ କୋର୍ଟରେ ହୋଇଥିଲା ।
Published by: Anand Shankar Thankur Das
First published: September 30, 2020, 7:43 PM IST
corona virus btn
corona virus btn
Loading