ରାଜ୍ୟରେ ଗୋ-ଖାଦ୍ୟ ଦୁର୍ନୀତିର ଉତ୍କଟ ଗନ୍ଧ; ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇ କୋର୍ଟ
ଦୁଗ୍ଧ ଚାଷୀମାନଙ୍କୁ ବିକ୍ରି ପାଇଁ ଆସିଥିବା ଗୋ-ଖାଦ୍ୟକୁ କଟକ ମହାନଦୀ ବିହାରରେ ଥିବା ଦୁଗ୍ଧ ସଙ୍ଘର କିଛି ଅସାଧୁ ଅଧିକାରୀ ହେରଫେର କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୧୩ ଲକ୍ଷ ଟଙ୍କାର ଗୋଖାଦ୍ୟ ଦୁର୍ନୀତି ବୋଲି କୁହାଯାଇଛି । ଏଥିରେ ଓମଫେଡର ଉଚ୍ଚପଦସ୍ତ ଅଧିକାରୀ ସାମିଲ ଥିବା ଅଭିଯୋଗ ହୋଇଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 24, 2020, 8:13 PM IST
କଟକ: କଟକ ସମବାୟ ଦୁଗ୍ଧ ସଙ୍ଘରେ ଏକ ବଡ ଧରଣର ଗୋ-ଖାଦ୍ୟ ଦୁର୍ନୀତିର ଗନ୍ଧ ମିଳିଛି । ଏ ନେଇ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ହାଇ କୋର୍ଟ ଏହି ଗୋ-ଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମବାୟ ସଙ୍ଘରେ କାର୍ଯ୍ୟ କରୁଥିବା ସନ୍ତୋଷ ସାମଲ ନାମକ ଜଣେ କର୍ମଚାରୀଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟରେ ଦାୟର ହୋଇଥିବା ମାମଲା ମୁତାବକ କଟକ ଦୁଗ୍ଧ ସଙ୍ଘ ଅଧୀନରେ ଥିବା ତିର୍ତୋଲ ଡାଏରୀ ପ୍ଲାଣ୍ଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷଙ୍କ ଜାଲି ଦସ୍ତଖତ କରି ଏହି ଦୁର୍ନୀତି ହୋଇଛି । ଦୁଗ୍ଧ ଚାଷୀମାନଙ୍କୁ ବିକ୍ରି ପାଇଁ ଆସିଥିବା ଗୋ-ଖାଦ୍ୟକୁ କଟକ ମହାନଦୀ ବିହାରରେ ଠାରେ ଥିବା ଦୁଗ୍ଧ ସଙ୍ଘର କିଛି ଅସାଧୁ ଅଧିକାରୀ ହେରଫେର କରିଛନ୍ତି । ଏହି ହେରଫେରରେ ପ୍ରାୟ ୧୩ ଲକ୍ଷ ଟଙ୍କାର ଗୋଖାଦ୍ୟ ଦୁର୍ନୀତି ହୋଇଛି ।
୨୦୧୮ ମସିହାର ଅଡିଟରେ ଏହି ଦୁର୍ନୀତି କଥା ଜଣା ପଡିଥିଲା । ତା’ ପରେ ଦୁଗ୍ଧ ସଙ୍ଘ କତ୍ତୃପକ୍ଷ ସନ୍ତୋଷଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିଲେ। ଏହାର ପ୍ରତିବାଦ କରିବା ସହ ରାଜ୍ୟରେ ଏକ ବିରାଟ ଗୋ-ଖାଦ୍ୟ ଦୁର୍ନୀତି ହୋଇଛି ଏବଂ ତାର ସିବିଆଇ ତଦନ୍ତ ପାଇଁ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସନ୍ତୋଷ ସାମଲ । ତେବେ ଏହି ଦୁର୍ନୀତିରେ ଓମଫେଡ୍ର ଉଚ୍ଚ ପଦସ୍ତ ଅଧିକାରୀ ସାମିଲ ଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ।
ଆବେଦନକାରୀଙ୍କ ଓକିଲ ବିପ୍ଳବ ବାହାଲି କହିଛନ୍ତି: ‘‘ଏହି ମାମଲାରୁ ଶୁଣାଣି କରି ହାଇ କୋର୍ଟ ସିବିଆଇକୁ ଏକ ମାମଲା ରୁଜୁ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବହୁ କୋଟି ଟଙ୍କାର ଏହି ଦୁର୍ନୀତିରେ ଅନେକ ଅଧିକାରୀ ସାମିଲ ଅଛନ୍ତି । ତଦନ୍ତ ପରେ ସୋମାନଙ୍କ ମୁଖା ଖୋଲିବ” ।
ଓମ୍ଫେଡ଼ ଦ୍ୱାରା ପରିଚାଳିତ କଟକ ସମବାୟ ଦୁଗ୍ଧ ସଙ୍ଘ ଅଧୀନରେ ଅବିଭକ୍ତ କଟକ ଜିଲ୍ଲାର ୮ଟି ଦୁଗ୍ଧ ପ୍ଲାଣ୍ଟ ରହିଛି । ଏହି ପ୍ଲାଣ୍ଟ ଗୁଡିକରେ ଚ଼ାଷୀଙ୍କ ଠାରୁ ସଂଗୃହିତ କ୍ଷୀରକୁ ପ୍ରୋସେସିଂ ଓ ପ୍ୟାକିଂ କରାଯିବା ସହ ବଳକା କ୍ଷୀରକୁ ଓମଫେଡକୁ ପଠାଯାଇଥାଏ । ତେବେ କେବଳ ଗୋଟିଏ ପ୍ଲାଣ୍ଟରେ ୧୩ ଲକ୍ଷ ଟଙ୍କାର ଦୁର୍ନୀତି ସାମନାକୁ ଆସିଛି । କିନ୍ତୁ ସିବିଆଇ ତଦନ୍ତ ପରେ ଏହି ଦୁର୍ନୀତିର ଚ଼େର ଅନ୍ୟ କେତେ ପ୍ଲାଣ୍ଟ୍ ପର୍ଯ୍ୟନ୍ତ ଲମ୍ବିଛି ତାହା ଜଣା ପଡ଼ିବ । ଏହାର ମୁଖ୍ୟ କାର୍ପଟଦାର କିଏ ତାହା ବି ସାମନାକୁ ଆସିବ ବୋଲି ବିଶ୍ବାସ କରାଯାଉଛି ।