ପୁଣି ବଢ଼ିଲା କରୋନା ସଂକ୍ରମଣ; ସତର୍କ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ

କୋଭିଡ ସଂକ୍ରମଣ ବଢ଼ିବା ଆଗରୁ ତୃତୀୟ ଡୋଜ ଟିକା ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ୪୦୦ ଟଙ୍କା ପାଇଁ ପ୍ରିକସନ ଡୋଜ ନ ନେଇ ହାଲୁକା ଭାବରେ ବସିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି।

କରୋନାକୁ ନେଇ ସତର୍କ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ

କରୋନାକୁ ନେଇ ସତର୍କ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ

  • Share this:
News18 Odia Digital

ଭୁବନେଶ୍ବର: ଆଉ ଏକ ଲହର ଆସିବା ଆଗରୁ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ। ବିଭାଗ କହିଲା କୋଭିଡ ବଢ଼ିଲେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ। ଏବେ ବସ, ଇଣ୍ଡୋର ସଭା ଓ ହାଟ, ବଜାର ସହ ଜନ ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧୁବା ଉପରେ ଦିଆଗଲା ଗୁରୁତ୍ୱ।

ତେବେ ଏହାରି ଭିତରେ କୋଭିଡ ସଂକ୍ରମଣ ବଢ଼ିବା ଆଗରୁ ତୃତୀୟ ଡୋଜ ଟିକା ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ୪୦୦ ଟଙ୍କା ପାଇଁ ପ୍ରିକସନ ଡୋଜ ନ ନେଇ ହାଲୁକା ଭାବରେ ବସିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି।

ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରଷ୍ଟ୍ର ଓ କେରଳରେ ବଢୁଛି ସଂକ୍ରମଣ। ସଂକ୍ରମଣ ୪ ହଜାର ଟପିବା ପରେ ବନ୍ଧ ବାନ୍ଧିବାକୁ ଲୋକଙ୍କୁ କହିଛି ସ୍ୱାସ୍ଥ୍ୟ ବିଭାଗ।

ତେବେ ଇତିମଧ୍ୟପେ ଟିକା କଥା ହିଁ ସାମ୍ନାକୁ ଆସୁଛି। ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ଓ ତୃତୀୟ ଡୋଜ ତଥ୍ୟକୁ ଦେଖିଲେ ୧୨-୧୪ ବର୍ଷ ଭିତରେ ୯୨ ପ୍ରତିଶତ ପିଲା ପ୍ରଥମ ଡୋଜ, ୬୬ ପ୍ରତିଶତ ପିଲା ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି।

ସେହିପରି ୧୫-୧୭ ବର୍ଷ ଭିତରେ ୯୦ ପ୍ରତିଶତ ପ୍ରଥମ ଡୋଜ ଓ ୭୮ ପ୍ରତିଶତ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି। ସେହିଭଳି ୧୮-59 ବର୍ଷ ଭିତରେ ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଛନ୍ତି ୯୦ ପ୍ରତିଶତ। ତା ଭିତରେ ଯେଉଁମାନେ ନେଉନାହାଁନ୍ତି ଟିକା ତାଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ ଏବେ ବି ଜାରି ରହିଛି ହର ଘର ଦସ୍ତଖତ ଅଭିଯାନ। ୬୦ ବର୍ଷରୁ ଉର୍ଦ୍ଧ୍ବ , କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଶାଇଲେ ମୋଟ ୨୨ ପ୍ରତିଶତ ପ୍ରିକସନ ବା ବୁଷ୍ଟର ବା ତୃତୀୟ ଡୋଜ ଟିକା ନେଇଛନ୍ତି। ତେବେ ଏହାରି ଭିତରେ ରାଜ୍ୟରେ ମୋଟ ୬ କୋଟି ୭୫ ଲକ୍ଷ ୦୪ ହଜାର ୧୨୯ କୋଭିଡ ଡୋଜ ଦିଆ ସରିଛି।

ସେଥିରୁ ପ୍ରଥମ ଡୋଜ ୩ କୋଟି ୪୭ ଲକ୍ଷ ୬୦ ହଜାର ୧୭୦ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଛନ୍ତି ୩ କୋଟି ୧୩ ଲକ୍ଷ ୭୩ ହଜାର ୯୭୦। କିନ୍ତୁ ୧୮- ୫୯ ବର୍ଷର ବ୍ୟକ୍ତି ବିଶେଷ ସରକାର ତୃତୀୟ ଡୋଜ ଦେଉନଥିବାରୁ ସେମାନେ ଘରୋଇ ହସ୍ପିଟାଲରୁ ୩୮୬ ଟଙ୍କା ଦେଇ ନେଇ ପାରିବେ।

ଯେଉଁମାନେ ନେଇ ନାହାଁନ୍ତି ତୁରନ୍ତ ଟିକା ନିଅନ୍ତୁ। ୫-ଟି ରାଜ୍ୟରେ କୋଭିଡ ବଢ଼ିବା ପରେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛି।
"ଦେଶରେ ବଢ଼ିଲାଣି କୋଭିଡ ସଂକ୍ରମଣ। ବର୍ତ୍ତମାନ ସାବଧାନ ହେବା ସମୟ। ମାସ୍କକୁ ବାଧ୍ୟତାମୂଳକ କରା ହେବା ନିଶ୍ଚିତ ଯଦି ରାଜ୍ୟରେ ସଂକ୍ରମଣ ବଢ଼େ। କିନ୍ତୁ ବର୍ତ୍ତମାନ ମାସ୍କ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ନଥିଲେ ମେଳା ଓ କୌଣସି ଗହଳି ସ୍ଥାନକୁ ନ ଯିବା ଉଚିତ। ଓଡ଼ିଶାକୁ ସଂକ୍ରମଣ ଆସିବାର କୌଣସିମାନେ ନାହିଁ। ବର୍ତ୍ତମାନ ବିମାନ ଓ ରେଳ ସେବା ଚାଲୁ ରହିଛି। ଦେଶର ଅନେକ ଛୋଟ ବଡ଼ ସହରରୁ ଲୋକ ଯିବା ଆସିବା କରୁଛନ୍ତି। ତେଣୁ ବର୍ତ୍ତମାନ ସମସ୍ତେ ସତର୍କ ରହିବା ଉପରେ ଗୁରୁତ୍ୱ ଦେବା ଦରକାର,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ସେପଟେ ଟିକା ଓ କୋଭିଡ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର କହିଛନ୍ତି, ‘‘ଅନ୍ୟ ରାଜ୍ୟରେ ଯେହେତୁ ବର୍ତ୍ତମାନ ସମୟରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି, ତାକୁ ନେଇ ଭୟଭୀତ କି ଆତଙ୍କିତ ନ ହୋଇ ସତର୍କ ରହିବା ଉଚିତ। ପ୍ରଥମ, ଦ୍ୱିତୀୟ ଲହର ଭଳି ଏହା ଏତେଟା ମାରାତ୍ମକ ନୁହେଁ। କୋଭିଡ଼ ଯେତେବେଳେ ବି ଆସୁଛି ନୂଆ ନୂଆ ରୂପ ବଦଳାଇ ଆସୁଛି।’’

ଏବେ ଯାହା ବି ନୂଆ ଭାରିଏଣ୍ଟ ଆସୁଛି ତାହା ସେତେଟା ମାରାତ୍ମକ ନୁହେଁ। ତେଣୁ ତା ମାନେ ନୁହେଁ ହାଲୁକା ଭାବରେ ଏହାକୁ ନେବା। କୋଭିଡ ପଳେଇଛି ବୋଲି ନ ଭାବି ଗହଳି ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ। ପୁଣି କୋଭିଡ ଆସିବା ଆଗରୁ ଯେଉଁମାନେ ପ୍ରିକସନ ଡୋଜ ନେଇନାହାଁନ୍ତି ସେମାନେ ଖୁବ ଶୀଘ୍ର ନେଇଯିବା ଉଚିତ। ୪୦୦ ଟଙ୍କାକୁ ଡରି ରହିବା ଉଚିତ ନୁହେଁ। ବେସରକାରୀ ହସ୍ପିଟାଲରେ ତୃତୀୟ ବା ପ୍ରିକସନ ଡୋଜର ମୂଲ୍ୟ ହେଉଛି ୩୮୬ ଟଙ୍କା। ଆଉ ଗୋଟିଏ ଲହର ଆସିବା ଆଗରୁ ଟିକା ନେଲେ ସହଜରେ ତାକୁ ମୁକାବିଲା କରିହେବ କହିଛନ୍ତି ବିଶେଷଜ୍ଞ।
Published by:Lipina Das
First published: