କୁଜଙ୍ଗ ଦୁଷ୍କର୍ମ ପୀଡ଼ିତା ଶିଶୁକୁ ଜନ୍ମ ଦେବେ; ମା’ ଓ ଶିଶୁ ନାଁରେ ସରକାର ଜମା କରିବେ ଟଙ୍କା: ହାଇ କୋର୍ଟ

ପୀଡ଼ିତାଙ୍କ ଆର୍ଥିକ ଓ ମାନସିକ ଅବସ୍ଥାକୁ ଦେଖି କୋର୍ଟ ସନ୍ତାନ ଜନ୍ମ ହେବାର ୧୦ ଦିନ ଭିତରେ ତା’ ନାଁରେ ଏକ ଆକାଉଣ୍ଟ ଖୋଲି ସେଥିରେ ଫିକ୍ସଡ୍ ଡିପୋଜିଟ କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ପୁଅ ହେଲେ ୩ ଲକ୍ଷ ଟଙ୍କା ଓ ଝିଅ ହେଲେ ୫ ଲକ୍ଷ ଟଙ୍କା ରହିବ ।

କୁଜଙ୍ଗ ଦୁଷ୍କର୍ମ ପୀଡ଼ିତା ଶିଶୁକୁ ଜନ୍ମ ଦେବେ; ମା’ ଓ ଶିଶୁ ନାଁରେ ସରକାର ଜମା କରିବେ ଟଙ୍କା: ହାଇ କୋର୍ଟ
ପ୍ରତୀକାତ୍ମକ ଛବି; (ଡାହାଣ) ଓଡ଼ିଶା ହାଇ କୋର୍ଟ
  • News18 Odia
  • Last Updated: September 23, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଜଣେ ଭିନ୍ନକ୍ଷମ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଗର୍ଭପାତର ଆବଶ୍ୟକତା ଓ ଔଚିତ୍ୟ ଉପରେ ଆସିଥିବା ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ତଥା ଐୖତିହାସିକ ରାୟ ଦେଇଛନ୍ତି । କୋର୍ଟ ପୀଡ଼ିତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତାଙ୍କ ସନ୍ତାନ ଜନ୍ମ ନେବାର ୧୦ ଦିନ ମଧ୍ୟରେ ତା’ ପାଇଁ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ।

ପୀଡ଼ିତାଙ୍କ ଆର୍ଥିକ ଓ ମାନସିକ ଅବସ୍ଥାକୁ ଅନୁଧ୍ୟାନ କରି ହାଇ କୋର୍ଟ ପୀଡ଼ିତାଙ୍କ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲି ସେଥିରେ ଆଗାମୀ ସାତ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ସନ୍ତାନ ଜନ୍ମ ହେବାର ୧୦ ଦିନ ମଧ୍ୟରେ ତା’ ନାଁରେ ଏକ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲି ସେଥିରେ ବି ଫିକ୍ସଡ୍‌ ଡିପୋଜିଟ କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ଯଦି ପୁତ୍ର ସନ୍ତାନ ଜନ୍ମ ହୁଏ ତେବେ ତା ନାଁରେ ୩ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ, ଏବଂ ଝିଅ ହେଲେ ତା’ ନାଁରେ ୫ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ ରହିବ ବୋଲି କହିଛନ୍ତି କୋର୍ । ଏହି ଫିକ୍ସଡ୍‌ ଡିପୋଜିଟ୍‌ ଆକାଉଣ୍ଟଗୁଡ଼ିକୁ ପୀଡ଼ିତାଙ୍କ ମା’ ପରିଚାଳନା କରିବେ ବୋଲି କୋର୍ଟ କହିଛନ୍ତି ।

ଏହା ବ୍ୟତୀତ ଭବିଷ୍ୟତରେ ଏମିତି ମାମଲା ଆସିଲେ ପୀଡ଼ିତାଙ୍କ ଅନୁମତି ନେଇ ଗର୍ଭଧାରଣର ଆଠ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ । ଏ ସମ୍ପର୍କରେ ହାଇ କୋର୍ଟରେ ଦାୟର ହୋଇଥିବା ଏକ ମକଦ୍ଦମାର ଶୁଣାଣି କରି ବୁଧବାର ଦିନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଓ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପୃକ୍ତ ମହିଳା ଜନ୍ମ ନେବାକୁ ଥିବା ନିଜ ଶିଶୁର ଯତ୍ନ ନେବାରେ ଅସମର୍ଥ ଥିବା ଓ ସୁରକ୍ଷିତ ଗର୍ଭପାତର ସମୟ ଅତିବାହିତ ହୋଇ ସାରିଥିବା ନେଇ ଡାକ୍ତରମାନଙ୍କର ଏକ କମିଟିର ରିପୋର୍ଟ ଦେଖିବା ପରେ ହାଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

କୁଜଙ୍ଗ ଥାନା ଅଧୀନରେ ଥିବା ଏକ ଅଞ୍ଚଳର ବାସିନ୍ଦା ଏହି ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ମା’ ଅଗଷ୍ଟ ୧୩ ତାରିଖ ଦିନ ଥାନାରେ ଏତାଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜ୍ଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲା । ସେତେବେଳେ ପୀଡ଼ିତା ୧୬ ସପ୍ତାହର ଗର୍ଭବତୀ ଥିବା ଡାକ୍ତରୀ ମାଇନା ରିପୋର୍ଟରୁ ଜଣାପଡ଼ିଥିଲା ।

ପୀଡ଼ିତାଙ୍କ ପକ୍ଷରୁ ଏହି ମାମଲା ଦାୟର କରିଥିବା ଆଇନଜୀବୀ ସୁବାଷ ପୁଷ୍ପାଳକ


ଏହା ପରେ ପୀଡ଼ିତା ମାନିସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ଠାରୁ ଜନ୍ମ ନେବାକୁ ଥିବା ଶିଶୁର ଯନ୍ନ ନେବାରେ ସେ ଅକ୍ଷମ ବୋଲି ଦର୍ଶାଇ ତାଙ୍କୁ ଗର୍ଭପାତ କରାଇବାର ଅନୁମତି ଦେବା ପାଇଁ ତାଙ୍କ ମା’ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେପଟେମ୍ବର ୪ ତାରିଖ ଦିନ କୋର୍ଟ ଏହି ମାମଲାର ପ୍ରଥମ ଶୁଣାଣି କରି ଏହାକୁ ଗୁରୁତ୍ୱର ସହ ନେବା ସହିତ ତୁରନ୍ତ ପୀଡ଼ିତାଙ୍କ ସାନି ଡାକ୍ତରୀ ରିପୋର୍ଟ ଦାଖଲ କରିବାକୁ ଜଗତସିଂପୁର ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେପ୍ଟେମ୍ବର ୮ ତାରିଖ ଦିନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚରୁ ସେ ୨୪ ସପ୍ତାହର (ଛଅ ମାସର) ଗର୍ଭବତୀ ଥିବା ଜଣା ପଡ଼ିଥିଲା । ତାଙ୍କ ଗର୍ଭପାତ କରାଇବା ସୁରକ୍ଷିତ ବା ନାହିଁ ତାହା ଜାଣିବା ପାଇଁ କୋର୍ଟ ଏସସିବି ହସ୍ପିଟାଲର ମାନସିକ ରୋଗ ବିଭାଗର ଡାକ୍ତରଙ୍କ ମତାମତ ଲୋଡ଼ିଥିଲେ । ଏହି ଡାକ୍ତରୀ ଟିମ ପୀଡ଼ିତାଙ୍କ ଗର୍ଭପାତ କରାଇଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କୋର୍ଟଙ୍କୁ ଅବଗତ କରାଇଥିଲେ ।

ଗର୍ଭପାତ ଆଇନ ୧୯୭୧ର ଧାରା ୩ର ଉପଧାରା (୨) (ଖ) ଅନୁଯାୟୀ ଗର୍ଭଧାରଣର ୧୨ ସପ୍ତାହ (ତିନି ମାସ) ମଧ୍ୟରେ ଜଣେ ଡାକ୍ତରଙ୍କ ଦ୍ବାରା ଓ ୧୨ରୁ ୨୦ ସପ୍ତାହ ମଧ୍ୟରେ ଦୁଇ ଜଣ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଗର୍ଭପାତ କରାଯାଇ ପାରିବ । ଧାରା ୪(କ) ଅନୁଯାୟୀ ମହିଳା ଜଣକ ୧୮ ବର୍ଷରୁ କମ୍‌ କିମ୍ବା ମାନସିକ ଓ ଶାରୀରିକ ବିକଳାଙ୍ଗ ହୋଇଥିଲେ ତାଙ୍କ ମା’ଙ୍କ ସମ୍ମତି ଆବଶ୍ୟକ । ଯଦି ମହିଳା ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବେ ଓ ମାନସିକ ଭାବେ ସୁସ୍ଥ ଥିବେ ତେବେ ତାଙ୍କ ନିଜ ସମ୍ମତି ପରେ ହିଁ ତାଙ୍କର ଗର୍ଭପାତ କରାଯାଇ ପାରିବ । ତେବେ ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରାଯାଇ ପାରିବ ବା ନାହିଁ ସେ ନିଷ୍ପତ୍ତି କୋର୍ଟ ନେବେ ।

ପୀଡ଼ିତାଙ୍କ ସନ୍ତାନ ଜନ୍ମ ହେବାର ୧୦ ଦିନ ମଧ୍ୟରେ ତା’ ନାମରେ ଆକାଉଣ୍ଟ୍‌ ଖଓଲି ଫିକ୍ସଡ୍‌ ଡିପୋଜିଟ କରିବା କାର୍ଯ୍ୟ ଶେଷ କରିବାକୁ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ଉଭୟ ପୀଡ଼ିତା ଓ ତାଙ୍କ ଶିଶୁଙ୍କ ଆକାଉଣ୍ଟରେ ଡିପୋଜିଟ ହେବ ଓ ଦୁଇଟି ଯାକ ଆକାଉଣ୍ଟ ପୀଡ଼ିତାଙ୍କ ମା’ ପରିଚାଳନା କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ସେହି ଅର୍ଥର ଯେପରି ଦୁରୁପଯୋଗ ନ ହୁଏ ତା’ର ଅନୁଧ୍ୟାନ କରିବା ପାଇଁ ଆଇନ ସେବା ପ୍ରାଧିକରଣର ସମ୍ପାଦକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଦୁଇ ଭାଗରେ ବିଭକ୍ତ । ଗୋଟିଏ ଭାଗରେ ପୀଡ଼ିତାଙ୍କୁ କ୍ଷତିପୂରଣ ବାଷୟରେ କୁହାଯାଇଛି ଓ ଦ୍ବିତୀୟ ଭାଗରେ ଏହି ପ୍ରକାରର ମାମଲାକୁ କେମିତି ପରିଚାଳନା କରାଯିବ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

‘‘ପୀଡ଼ତାଙ୍କ ଗର୍ଭରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଆମେ ଏହି ମାମଲାରେ ପୀଡ଼ିତାଙ୍କ ଶାରୀରିକ ତଥା ମାନସିକ ଅବସ୍ଥା ଓ ତାଙ୍କ ମା’ଙ୍କ ଆର୍ଥିକ ସ୍ଥିତିକୁ ଦେଖି ତାଙ୍କୁ କ୍ଷତିପୂରଣ ଦେବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲୁ ।ଏଫଆଇଆର ହେବା ସମୟରେ ଜଣା ପଡିଥିଲା ଯେ ପୀଡ଼ିତା ୧୬ ମାସର ଗର୍ଭବତୀ ଅଛନ୍ତି । ଯଦି ସେତେବେଳେ ତାଙ୍କ ମା’ଙ୍କ ଅନୁମତି ନେଇ ଗର୍ଭପାତ କରାଯାଇଥାନ୍ତା ତେବେ ଆମକୁ କୋର୍ଟକୁ ଆସିବାକୁ ପଡି ନ ଥାନ୍ତା,’’ କହିଛନ୍ତି ପୀଡ଼ିତାଙ୍କ ପକ୍ଷରୁ ଏହି ମାମଲା ଦାୟର କରିଥିବା ଆଇନଜୀବୀ ସୁବାଷ ପୁଷ୍ପାଳକ ।

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଏହା ବି ପଢ଼ନ୍ତୁ ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

ସେ ଆହୁରି କହିଛନ୍ତି, ‘‘ଏହାକୁ ଦୃଷ୍ଟିରେ ରଖି କୋର୍ଟ କହିଛନ୍ତି ଯେ ଯଦି ଏମିତି ମାମଲା ଭବିଷତରେ ଆସେ ତେବେ ଗର୍ଭଧାରଣର ଆଠ ସପ୍ତାହ ମଧ୍ୟରେ ପୀଡ଼ିତାଙ୍କ ମା’ଙ୍କ ଅନୁମତି ନେଇ ଗର୍ଭପାତ କରାଯାଇପାରିବ । ଯଦି କୌଣସି ମହିଳା ଗର୍ଭପାତ କରିବା ପାଇଁ ରାଜି ନ ହୁଅନ୍ତି ତାହେଲେ ସେହି କ୍ଷେତ୍ରରେ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ସରକାର ବହନ କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି କି ଏମିତି ମାମଲାଗୁଡ଼ିକର ଅନୁଧ୍ୟାନ ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଳାର ସିଡିଏମଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବା ଉଚିତ ।’’



ତେବେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ ଏହି କ୍ଷେତ୍ରରେ ଘଟିଥିବା ଖାମଖିଆଲି କାର୍ଯ୍ୟକଳାପ ତଥା ବିଭିନ୍ନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ବିଷୟରେ ଉଦବେଗ ପ୍ରକାଶ କରି ଏମିତି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେଥି ପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାରଙ୍କ ସହ ଏମିତି ମାମଲାକୁ ପରିଚାଳନା କରୁଥିବା ବିଭାଗୀୟ ଅଧିକାରୀଙ୍କୁ ଅଧିକ ଧ୍ୟାନ ଦେବାକୁ କହିଛନ୍ତି କୋର୍ଟ । ଭବିଷ୍ୟତରେ ଏମିତି ମାମଲା ଆସିଲେ ଏହି ରାୟକୁ କାର୍ଯ୍ୟକାରୀ କରିବା ପାଇଁ ତଳ କୋର୍ଟଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ ।
Published by: Anand Shankar Thankur Das
First published: September 23, 2020, 11:59 PM IST
corona virus btn
corona virus btn
Loading