ଡାକ୍ତରମାନଙ୍କ କଦର୍ଯ୍ୟ ଅକ୍ଷର: ହାଇ କୋର୍ଟ ଅସନ୍ତୁଷ୍ଟ ହେଲେ, ସୁଧାରିବା ପାଇଁ ପରାମର୍ଶ ଦେଲେ

ଏକ ଜାମିନ ଆବେଦନର ଶୁଣାଣି ବେଳେ ହାଇ କୋର୍ଟ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ପଢ଼ି ନ ପାରି ଅଭିଯୁକ୍ତକୁ ଜାମିନ ଦେଇଥିଲେ । ଡାକ୍ତରମାନଙ୍କୁ ଇଂରାଜୀ ବଡ଼ ଅକ୍ଷରରେ ଲେଖିବାକୁ ଏକ ଆଦେଶ ଦେବାକୁ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି କୋର୍ଟ ।

ଡାକ୍ତରମାନଙ୍କ କଦର୍ଯ୍ୟ ଅକ୍ଷର: ହାଇ କୋର୍ଟ ଅସନ୍ତୁଷ୍ଟ ହେଲେ, ସୁଧାରିବା ପାଇଁ ପରାମର୍ଶ ଦେଲେ
ଜଣେ ଡାକ୍ତରଙ୍କ ପ୍ରେସକ୍ରିପସନ ପଢ଼ି ନ ପାରି ହଇରାଣ ହେଉଛନ୍ତି ସତ୍ୟବ୍ରତ ଦାସ ।
  • News18 Odia
  • Last Updated: August 13, 2020, 11:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସପିଟାଲର ଡାକ୍ତରମାନଙ୍କ କଦର୍ଯ୍ୟ ଅକ୍ଷରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶା ହାଇ କୋର୍ଟ। ଡାକ୍ତରମାନେ ବଡ଼ ଇଂରାଜୀ ଅକ୍ଷର ବା କ୍ୟାପିଟାଲ ଲେଟରରେ ଔଷଧର ଚିଠା ଲେଖିବା ପାଇଁ ଏକ ସର୍କ୍ୟୁଲର ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ହାଇ କୋର୍ଟରେ ଦାୟର ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତରୀଣ ଜାମିନ ମଧ୍ୟ ମଞ୍ଚୁର କରିଥିଲେ ।  ଏନ୍‌.ଡି.ପି.ଏସ୍‌. ଆଇନ ଅଧୀନରେ ଗିରଫ ହୋଇ ଜେଲରେ ଥିବା ଜନୈକ କୃଷ୍ଣପଦ ମଣ୍ଡଳ ନିଜ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତର ଦେଇଥିବା ମେଡିକାଲ୍‌ ରିପୋର୍ଟ ଆଦି କୋର୍ଟରେ ଉପସ୍ଥାପିତ କରିଥିଲେ, ହେଲେ ସେଥିରେ ଡାକ୍ତରଙ୍କ କଦର୍ଯ୍ୟ ହସ୍ତାକ୍ଷର ଯୋଗୁଁ ସେ ପ୍ରେସକ୍ରିପସନରେ ଲେଖିଥିବା ଔଷଧାଦିର ବିବରଣୀ କୋର୍ଟ ବୁଝିପାରି ନ ଥିଲେ ଓ ମଣ୍ଡଳଙ୍କୁ ଜାମିନ ଦେଇଥିଲେ ।

ନିଜର ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା କରାଇବା ପାଇଁ ଆଜି ଏସ.ସି.ବି. ହସପିଟାଲରେ ଥିବା ଯାଜପୁର ବାସିନ୍ଦା ସତ୍ୟବ୍ରତ ଦାସ ଡାକ୍ତର ତାଙ୍କୁ ଲେଖି ଦେଇଥିବା ପ୍ରେସକ୍ରିପସନରେ କଦର୍ଯ୍ୟ ଅକ୍ଷର ଯୋଗୁଁ ଅଧିକାଂଶ ଔଷଧର ନାମ ପଢ଼ିବା ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ ବୋଲି କହିଛନ୍ତି ।

‘‘ଏଇଟା ପ୍ରଥମ ଥର ନୁହେଁ । ପୂର୍ବରୁ ଥରେ ଡାକ୍ତର ଲେଖିଥିବା ଔଷଧର ଚିଠା ନେଇ ମୁଁ ହସପିଟାଲ ବାହାରେ ଥିବା ଏକ ମେଡିକାଲ ଷ୍ଟୋରକୁ ଯାଇଥିଲି । କିନ୍ତୁ ସେଠାକାର କର୍ମଚାରୀ ତାହା ପଢ଼ିପାରି ନ ଥିଲେ। ମୋତେ ପୁଣି ସେହି ଚିଠାକୁ ନେଇ ତାକୁ ଲେଖିଥିବା ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥିଲା । ବହୁ କଷ୍ଟରେ ତାଙ୍କର ଭେଟ ମିଳିଥିଲା ଓ ସେ ପୁଣି ଆଉ କିଛି ଔଷଧ ଲେଖି ଦେଇଥିଲେ,’’ କହିଛନ୍ତି ସତ୍ୟବ୍ରତ ଦାସ ।

ଏସ.ସି.ବି. ମେଡିକାଲ କଲେଜ ଓ ହସପିଟାଲ୍


ଏହି ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ହସପିଟାଲକୁ ଆସୁଥିବା ଅଧିକାଂଶ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କର ସମାନ ଅଭିଯୋଗ ରହିଛି । କେବଳ କଟକ ବଡ଼ ମେଡ଼ିକାଲରେ ଏହି ସମସ୍ୟା ଦେଖା ଦେଉନାହିଁ; ଏହା ଏକ ରାଜ୍ୟବ୍ୟାପୀ ସମସ୍ୟା । ଔଷଧ ଦୋକାନୀମାନେ ମଧ୍ୟ ଅନେକ ସମୟରେ ଡାକ୍ତରଙ୍କ ହାତଲେଖା ପଢ଼ିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିବା ସ୍ବୀକାର କରିଛନ୍ତି ।

‘‘କିଛି କିଛି ଡାକ୍ତରଙ୍କ ଅକ୍ଷର ପଢିବାରେ ସମସ୍ୟା ହୁଏ। କହିବାକୁ ଗଲେ ଶହେଟିରୁ ପ୍ରାୟ ଦଶ ପ୍ରତିଶତ କେସରେ ଏମିତି ହୁଏ । ମୁଁ ଯେହେତୁ ଜଣେ ଫାର୍ମାସିଷ୍ଟ, ତେଣୁ ଅଭିଜ୍ଞତା ଥିବାରୁ ଠାର ଦେଖି ଜାଣି ପରେ। କିନ୍ତୁ ସନ୍ଦେହ ହେଲେ ପ୍ରେସକ୍ରିପସନକୁ ଫେରାଇ ଦିଏ। କିନ୍ତୁ ଔଷଧ ପାଇଁ ଆସିଥିବା ଲୋକ ଯଦି ଡାକ୍ତରଙ୍କ ଭେଟ ପାଇଲା ଭଲ କଥା, ନ ହେଲେ ଆଉ କୌଣସି ଦୋକାନରୁ ଯାହା ମିଳିଲା ଔଷଧ କିଣି ନେଉଛନ୍ତି,’’ କହିଛନ୍ତି ମଙ୍ଗଳାବାଗରେ ଏକ ଔଷଧ ଦୋକାନ କରିଥିବା ପ୍ରଦୀପ ନାୟକ ।

ହାଇ କୋର୍ଟରେ ଦାୟର ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀ କହିଛନ୍ତି, ‘‘ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧର ନାମ ଲେଖୁଥିବାରୁ ଅନେକ ସମୟରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ଔଷଧ ଦୋକାନୀମାନେ ତାକୁ ସଠିକ ଭାବରେ ପଢ଼ି ପାରୁନାହାନ୍ତି। ଏପରିକି ଅନେକ ସମୟରେ ଡାକ୍ତରମାନଙ୍କ ଦ୍ଵାରା କଦର୍ଯ୍ୟ ଅକ୍ଷରରେ ଲେଖାଯାଇଥିବା ମେଡିକାଲ ରିପୋର୍ଟକୁ ପଢ଼ିବା ପାଇଁ ପୋଲିସ, ଆଇନଜୀବୀ ଓ ବିଚାରପତିମାନେ ମଧ୍ୟ ବିଭିନ୍ନ ମାମଲାର ଶୁଣାଣି ବେଳେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ଓଡ଼ିଶାରେ ଡାକ୍ତର ଓ ରୋଗୀଙ୍କ ଅନୁପାତ ବହୁତ କମ ରହିଛି। ଡାକ୍ତରମାନେ ଅନେକ ସମୟରେ ଅତିରିକ୍ତ ଚାପରେ ରହୁଛନ୍ତି । ସେଥି ପାଇଁ ଚିକିତ୍ସାରେ ଅବହେଳା ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏଭଳି ସମୟରେ ଡାକ୍ତରମାନେ ନିଜ ପେଶା ଓ କାର୍ଯ୍ୟଶୈଳୀକୁ ନେଇ ଅଧିକ ଯତ୍ନବାନ ହେବା ଆବଶ୍ୟକ ।’’

ଇଂରାଜୀ କ୍ୟାପିଟାଲ ଅକ୍ଷରରେ ଔଷଧଗୁଡ଼ିକର ନାଁ ଲେଖିବାକୁ ନେଇ ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ ୨୦୧୬ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ଏକ ସରକୁଲାର ଜାରି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନିଜ ନିଜ ମତ ରଖିଛନ୍ତି ଉଭୟ ଡାକ୍ତର ଓ ଆଇନଜୀବୀମାନେ ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

‘‘ଅନେକ ଡାକ୍ତର ଅଛନ୍ତି ଯେଉଁମାନଙ୍କ ହସ୍ତାକ୍ଷରକୁ ପଢିବା ସମ୍ଭବ ହୁଏ ନାହିଁ । ଔଷଧ ଦୋକାନୀମାନେ କେବଳ ଠାର ଜାଣି ରୋଗୀକୁ ଔଷଧ ଦେଇଥାନ୍ତି। ସେଥି ପାଇଁ ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ ଏକ ଗାଇଡ଼ଲାଇନ ବି ଜାରି କରିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟବସ୍ଥା ନ ଥିବାରୁ ତାକୁ କେହି ମାନୁ ନାହାଁନ୍ତି,’’ କହିଛନ୍ତି ଭାରତୀୟ ଚିକିତ୍ସକ ସଙ୍ଘର ଓଡିଶା ଶାଖାର ପୂର୍ବତନ ସଭାପତି ଡାକ୍ତର ଅନଙ୍ଗ ଦ୍ୱିବେଦୀ।



ହାଇ କୋର୍ଟର ଆଇନଜୀବୀ ସତ୍ୟବ୍ରତ ମହାନ୍ତି କହିଛନ୍ତି, ‘‘ନିଶ୍ଚିତ ଭାବେ ଡାକ୍ତରଙ୍କ ହାତ ଲେଖା ପାଇଁ ମାମଲା ପରିଚାଳନା ସମୟରେ ଅନେକ ଥର ଅସୁବିଧା ହୁଏ । ଏମିତି ତ ଅନେକ ଥର ହୋଇଛି ଯେ ଡାକ୍ତରଙ୍କ ହାତ ଲେଖା ପଢ଼ି ନ ହେବାରୁ କୋର୍ଟ ରାୟ ଦେବା ବଦଳରେ ଆଉ ଗୋଟିଏ ତାରିଖ ଦେଇ ଦିଅନ୍ତି। ତେଣୁ ଡାକ୍ତରମାନଙ୍କ କଦର୍ଯ୍ୟ ହସ୍ତାକ୍ଷର ଯୋଗୁଁ ଅନେକ ସମୟରେ ଲୋକେ ସଠିକ ସମୟରେ ନ୍ୟାୟ ପାଇବା ଅଧିକାରରୁ ବଞ୍ଚିତ ହେଉଛନ୍ତି ।’’
Published by: Anand Shankar Thankur Das
First published: August 13, 2020, 11:03 PM IST
corona virus btn
corona virus btn
Loading