ଦକ୍ଷତା ବିକାଶ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା; ମିଳିଛି ୫୧ଟି ପଦକ

ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷ ପ୍ରତିଯୋଗୀ। ଇଣ୍ଡିଆ ସ୍କିଲରେ ଓଡିଶା ୫୧ଟି ପଦକ ହାସଲ କରିଛି।

ଇଣ୍ଡିଆ ସ୍କିଲରେ ଓଡିଶା ୫୧ଟି ପଦକ ହାସଲ କରିଛି (ପ୍ରତୀକାତ୍ମକ ଛବି)

ଇଣ୍ଡିଆ ସ୍କିଲରେ ଓଡିଶା ୫୧ଟି ପଦକ ହାସଲ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷ ପ୍ରତିଯୋଗୀ। ଭୁବନେଶ୍ୱର ରେଳ ଷ୍ଟେସନଠାରେ ପହଞ୍ଚିବା ପରେ ଦକ୍ଷତା ବିକାଶ ପ୍ରାଧୀକରଣ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନିକଟରେ ଦିଲ୍ଲୀରେ ସମାପ୍ତ ହୋଇଥିବା 'ଇଣ୍ଡିଆ ସ୍କିଲ୍‌' ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ ୨୦୨୨ ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ଵର୍ଣ୍ଣ ପଦକ ସହିତ ୧୮ଟି ରୌପ୍ୟ ୯ଟି କାଂସ୍ୟ ଏବଂ ୧୪ ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ସହିତ ସର୍ବମୋଟ ୫୧ଟି ପଦକ ହାସଲ କରିଛି। ଏହି ବିଜେତା ମାନେ ଆସନ୍ତା ଅକ୍ଟୋବରରେ ଚିନର ସାଂଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସ୍ପର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର, କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିଛି । ଓଡ଼ିଶାରୁ ୭୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ଗ୍ରହଣ କରିଥିଲେ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମତା ମନ୍ତ୍ରଣାଳୟ ଦ୍ବାରା ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ରେଣୁପ୍ରଭା ନାଏକ କହିଛନ୍ତି," "ଭାରତ ବର୍ଷରେ ଓଡିଶା ସର୍ବୋଚ୍ଚ ସ୍ଥାନ ଦଖଲ କରିଛି। ଓଡିଶା ଇତିହାସରେ ଏହା ପ୍ରଥମ ଥର ହୋଇଛି। ଆଗକୁ ବହୁତ ଚ୍ୟାଲେଞ୍ଜ ରହିଛି। ଆମର ପିଲାମାନେ ନୂଆ ନୂଆ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ପ୍ରଥମଥର ପାଇଁ ରୋବଟିକ୍ସରେ ଭାଗ ନେଇଛନ୍ତି। ସାଇବର ସିକ୍ୟୁରିଟିରେ ଵି ଓଡ଼ିଶା ଭାଗ ନେଇଛି। ଆମ ପିଲା ଜାତୀୟ ସ୍ତରରେ ସ୍ବର୍ଣ ପାଇଛନ୍ତି। ବିଶ୍ବ ସ୍ତରରେ ମାନ ଅଭିବୃଦ୍ଧି କରିବା ପାଇଁ ସ୍ଵତନ୍ତ୍ର ତାଲିମ ଦିଆଯିବା ନେଇ ବହୁତ ଚେଷ୍ଟା କରିବୁ"।

ସ୍ବର୍ଣ ପଦକ ବିଜେତା ସୁବ୍ରତ ପଟେଲ କହିଛନ୍ତି, "ମୁଁ ଓଡିଶା ତରଫରୁ ରେଷ୍ଟୁରାଣ୍ଟ ସର୍ଭିସ୍ ନେଇ ଦକ୍ଷତା ପ୍ରଦର୍ଶନ କରିଥିଲି। ଓଡ଼ିଶା ପାଇଁ ଗୋଲ୍ଡ଼ ମେଡାଲ ନେଇ ଆସିଛି। ୨୦୨୨ ସାଙ୍ଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବି। ମୁଁ ଏବେ ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢୁଛି। ଏହି ସଫଳତା ପାଇଁ ମୋତେ ଚାରିବର୍ଷ ଲାଗିଗଲା। ୨୦୧୮ରୁ ମୁଁ ଉଦ୍ୟମ କରି ଆସୁଛି। ଓଡିଶା ସରକାର, ଦକ୍ଷତା ବିକାଶ ପ୍ରାଧୀକରଣ, ମୋ ବାପା ,ମାଙ୍କ ପାଇଁ ଏହାକୁ ମୁଁ ହାସଲ କରିପାରିଛି।"
Published by:Soumya Das
First published: