ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରାବଣ ମାସରେ ହେଉନି ବର୍ଷା; ରାଜ୍ୟରେ ରେକର୍ଡ ହେଲା ୩୦ ପ୍ରତିଶତ କମ୍ ବର୍ଷା

ଶ୍ରାବଣ ମାସରେ ହେଉନି ବର୍ଷା; ରାଜ୍ୟରେ ରେକର୍ଡ ହେଲା ୩୦ ପ୍ରତିଶତ କମ୍ ବର୍ଷା

ନିଅଣ୍ଟିଆ ବର୍ଷା ସାଙ୍ଗକୁ ଦିନରେ ଖରା ଗୁଳୁଗୁଳି ଅଣାୟତ କଲାଣି ଓଡ଼ିଶାବାସୀଙ୍କୁ । କମିବାରେ ଲାଗିଛି ବର୍ଷାର ପରିମାଣ। ଜୁନ ୧ ଠାରୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୩୦ ପ୍ରତିଶତ କମ୍ ରହିଛି।

ଶ୍ରାବଣ ମାସରେ ହେଉନି ବର୍ଷା; ରାଜ୍ୟରେ ରେକର୍ଡ ହେଲା ୩୦ ପ୍ରତିଶତ କମ୍ ବର୍ଷା
ରାଜ୍ୟରେ ରେକର୍ଡ ହେଲା ୩୦ ପ୍ରତିଶତ କମ୍ ବର୍ଷା
  • News18 Odia
  • Last Updated: August 11, 2021, 4:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଶ୍ରାବଣ ମାସରେ କଲବଲ କରୁଛି ଖରା ଗୁଳୁଗୁଳି। ଦୁର୍ବଳ ମୌସୁମୀ ଯୋଗୁଁ ନା ହେଉଛି ବର୍ଷା ନା ମିଳୁଛି ଶାନ୍ତି। ଚାଷୀମାନେ ବି ହତାଶ ହୋଇପଡ଼ିଛନ୍ତି । ନିଆଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବଭାବିକ ଠାରୁ ହୋଇଛି ୩୦ ପ୍ରତିଶତ କମ ବର୍ଷା । ୨୨ ଜିଲ୍ଲାରେ ସ୍ବଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ବର୍ଷାକୁ ନେଇ ବଢୁଛି ଚିନ୍ତା। ଭଦ୍ରକ, ବଲାଙ୍ଗୀର, ଗଜପତି, ଯାଜପୁରରେ ଚଳିତ ବର୍ଷ ସବୁଠାରୁ କମ ବର୍ଷା ହୋଇଛି ବୋଲି ସୂଚନା ମିଳିଛି ।

ନିଅଣ୍ଟିଆ ବର୍ଷା ସାଙ୍ଗକୁ ଦିନରେ ଖରା ଗୁଳୁଗୁଳି ଅଣାୟତ କଲାଣି। କମିବାରେ ଲାଗିଛି ବର୍ଷାର ପରିମାଣ। ଜୁନ ୧ ଠାରୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୩୦ ପ୍ରତିଶତ କମ୍ ରହିଛି। ବର୍ତ୍ତମାନ ସୁଦ୍ଧା ୬୯୮ ମି.ମି. ବର୍ଷା ହେବା କଥା ହେଲେ ଏଥର ବର୍ଷା ହୋଇଛି ମାତ୍ର ୪୯୪ ମି.ମି.।

୨୨ଟି ଜିଲ୍ଲାରେ ସ୍ବଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଭଦ୍ରକ, ବଲାଙ୍ଗୀର, ଗଜପତି ଓ ଯାଜପୁରରେ ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଛି। ଯାଜପୁରରେ ୫୫ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୧ ପ୍ରତିଶତ, ଗଜପତିରେ ୪୫ ପ୍ରତିଶତ ଓ ବଲାଙ୍ଗୀରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି। ଝାରସୁଗୁଡ଼ା, କେନ୍ଦୁଝର ଓ ନବରଙ୍ଗପୁରରେ ବି ନିଆଣ୍ଟିଆ ବର୍ଷା ଚିନ୍ତା ବଢ଼ାଉଛି ।

ଓଡ଼ିଶାରେ ଏ ବର୍ଷ କମ୍ ବର୍ଷା ରେକର୍ଡ


ବର୍ତ୍ତମାନ ମନସୁନ ଟ୍ରପ ଲାଇନ ପଞ୍ଜାବରୁ ଅରୁଣାଚଳ ପ୍ରଦେଶ ଦେଇ ଗତି କରିଛି। ଉତ୍ତର ମୁଁହା ଯୋଗୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି, "ମନସୁନ ଟ୍ରପ ଲାଇନ ଯେତେବେଳେ ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ଯାଏ ସେତେବେଳେ ମୌସୁମୀ ସକ୍ରିୟ ରୁହେ ଓ ବର୍ଷା କରାଏ। ଏବେ ମନସୁନ ଟ୍ରପ ଉତ୍ତର ମୁଁହା ଏଣୁ ବର୍ଷା ହେଉନାହିଁ ।’’

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମୋସୁମୀ ବାୟୁ ଦୁର୍ବଳ ସାଙ୍ଗକୁ ଓଡ଼ିଶା ଉପକୂଳରେ କୌଣସି ସିଷ୍ଟମ ନାହିଁ ଯାହା ବର୍ଷା କରାଇବ। ମୌସୁମୀ ସମୟରେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଥାଏ ଓ ମୌସୁମୀ ବାୟୁ ସକ୍ରିୟ ରୁହେ। ହେଲେ ବର୍ଷା ନହେବା ଯୋଗୁଁ ସୂର୍ଯ୍ୟ କିରଣ ପୃଥିବି ଉପରେ ସିଧାସଳଖ ପଡୁଛି। ଫଳରେ ତାପମାତ୍ରା ଅଧିକ ନ ରହିଲେ ବି ଖରାର ତେଜ ଅଧିକ ରହୁଛି ଓ ଏହା ସାଙ୍ଗକୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି।

ଆସନ୍ତା ୧୫ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। କିନ୍ତୁ ରାଜ୍ୟରେ ଏହାର ପ୍ରଭାବ ଏତେ ମାତ୍ରାରେ ରହିବ ନାହିଁ। ଯାହା ଫଳରେ ନିଆଣ୍ଟିଆ ବର୍ଷା ସମସ୍ୟା ଲାଗି ରହିବ। ଦିନରେ ଖରା ଗୁଳୁଗୁଳି ଅଣାୟତ କରିବ।

"ଓଡିଶା ଉପକୂଳରେ ବର୍ତ୍ତମାନ କୌଣସି ସପୋର୍ଟ ସିଷ୍ଟମ ନାହିଁ ବର୍ଷା ହେବା ପାଇଁ। ଫଳରେ ଦିନରେ ଖରା ହେଉଛି, ଯେଉଁ କିଛି ଜଳୀୟବାଷ୍ପ ବାଷ୍ପୀଭୂତ ହେଉଛି ଅପରାହ୍ନରେ ହାଲୁକା ବର୍ଷା କରୁଛି। ଯାହା ସଫିସେଣ୍ଟ ହେଉନି। ଅଗଷ୍ଟ ମାସରେ ବର୍ଷା ଭଲ ହେବ ନାହିଁ। ନିଆଣ୍ଟିଆ ବର୍ଷା ଲାଗି ରହିବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।

ବର୍ତ୍ତମାନ ନର୍ଥ-ସାଉଥ ଟ୍ରପ ଲାଇନ ଓଡ଼ିଶା ଉପର ଦେଇ ଗତି କରିଛି ଯାହା ପ୍ରଭାବରେ ଆସନ୍ତା କାଲି କାଳ ବୈଶାଖୀ ବର୍ଷା ଅଧିକ ରହିବ। ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
Published by: Lipina Das
First published: August 11, 2021, 4:18 PM IST