News18 Odia Digital
ଭୁବନେଶ୍ୱର : ୨୦୨୦ ନଭେମ୍ୱରରୁ ୨୦୨୧ ଜୁନ ମଧ୍ଯରେ ଦେଶର ବିଭିନ୍ନ ଜଙ୍ଗଲରେ ୫୨ ହଜାର ଥର ନିଆଁ ଲାଗିଛି । ଏନେଇ ରାଜ୍ଯ ସଭାରେ ସାଂସଦ ଶ୍ରୀ ଭାଇକୋଙ୍କ ପ୍ରଶ୍ନରରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ଉତ୍ତର ରଖିଛନ୍ତି । ଏହି ତଥ୍ଯକୁ ଆଧାର କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ରାଜ୍ଯ ସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ, ନଭେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୫୧,୯୬୮ ଥର ନିଆଁ ଲାଗିଛି। ସର୍ବଭାରତୀୟ ସ୍ତରରେ ଏହାକୁ ତୁଳନା କଲେ ଜଣା ପଡ଼ିବ ଯେ ଓଡ଼ିଶାରେ ଜଙ୍ଗଲମାନଙ୍କରେ ସବୁଠୁ ଅଧିକ ଥର ନିଆଁ ଲାଗିଛି। ନଭେମ୍ବର ୨୦୧୯ ରୁ ଜୁନ୨୦୨୦ ମଧ୍ୟରେ ବିଭିନ୍ନ ଜଙ୍ଗଲରେ ୧୦,୬୦୨ ଥର ନିଆଁ ଲାଗିଥିଲା । ସେହିପରି ନଭେମ୍ବର ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ରାଜ୍ୟରେ ୧୯,୧୫୯ଥର ଜଙ୍ଗଲରେ ନିଆଁ ଲାଗିଛି।
"ଗତଥର ଶିମିଳିପାଳରେ ଦୀର୍ଘଦିନ ଧରି ନିଆଁ ନ ଲିଭିବା ଫଳରେ ବିଧାୟକମାନେ ସେଠାକୁ ଯାଇଥିଲେ। ଜଙ୍ଗଲ ବିଭାଗର ଅପାରଗତା ନିଆଁ ଲାଗିବାର କାରଣ ବୋଲି ଜଣା ପଡ଼ିଥିଲା । ଜଙ୍ଗଲକୁ ସଂରକ୍ଷିତ ରଖିବା ପାଇଁ ଆବଶ୍ୟକ କର୍ମଚାରୀ ନାହାଁନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସହ ବନ ବିଭାଗର ସମ୍ପର୍କ ଭଲ ନାହିଁ ।ଜଙ୍ଗଲ ବିଭାଗ ଠିକରେ ଦାଇତ୍ଵ ନ ନେଉଥିବା ରୁ ନିଆ ଲାଗୁଛି," କହିଛନ୍ତି ବିଜେପି ବିଧାୟକ ନାଉରି ନାଏକ ।
ବିଜେପି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ ଚାଲିଛି। କାଁ ଭାଁ ଯଦି କେଉଁଠି ଜଙ୍ଗଲ ନିଆଁ ଲାଗୁଛି ତାକୁ ଲିଭାଯାଉଛି। ଅନ୍ଯ ରାଜ୍ଯ ତୁଳନାରେ ଆମ ରାଜ୍ଯରେ ଜଙ୍ଗଲ ଅଧିକ ରହିଛି । ଜଙ୍ଗଲ ନିଆଁ ଜଙ୍ଗଲ ବିଭାଗ ଯୋଜନା କରୁଛି"।
ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କେନ୍ଦ ସରକାର ଫରେଷ୍ଟ ଫାୟାର ପ୍ରିଭେନସନ ଆଣ୍ଡ ମ୍ୟାନେଜମେଣ୍ଟ ସ୍କିମରେ ରାଜ୍ୟମାନଙ୍କୁ ଟଙ୍କା ଦେଇଥାନ୍ତି। ଏହି ସ୍କିମରେ ୨୦୧୮-୧୯ରେ ୪୩୫ କୋଟି, ୨୦୧୯-୨୦ରେ ୪୬୩.୬୪ କୋଟି ଓ ୨୦୨୦-୨୧ ବର୍ଷରେ ୪୫୫.୧୮ କୋଟି ଟଙ୍କା ଓଡ଼ିଶାକୁ ମିଳିଛି।
ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗକୁ ନେଇ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ନିଜର ମତ ରଖିଛନ୍ତି । ସେ କହିଛନ୍ତି "ବର୍ଷା ହେଲେ ପତ୍ର ଝଡ଼ା ହୋଇ ପତ୍ର ସବୁ ମାଟିରେ ମିଶି ଯାଏ । କିନ୍ତୁ ଏ ବର୍ଷ ବର୍ଷା ନ ହେବା ଯୋଗୁଁ ସେସବୁ ମାଟିରେ ପଡ଼ି ରହି ନିଆଁ ଲାଗିବାର କାରଣ ପାଲଟିଛି । ସ୍ଥାନୀୟ ଲୋକମାନଙ୍କ ସହ ସହଯୋଗ କରି ଜଙ୍ଗଲ ବିଭାଗ ଆଗାମୀ ଦିନରେ ଅଧିକ ସଫଳତାର ସହ ଜଙ୍ଗଲ ନିଆଁକୁ ଆୟତ୍ତ କରିବେ ବୋଲି ଆଶା କରାଯାଉଛି,"।
ଓଡ଼ିଶା ସରକାରଙ୍କ ଇକୋନମିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ଜଙ୍ଗଲ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ୨୦୧୭ ଅନୁସାରେ ରାଜ୍ଯରେ ୨୭୪ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି । ୨୦୧୯-୨୦ ବର୍ଷରେ ଜଙ୍ଗଲ ଅଭିବୄଦ୍ଧିକୁ ଦେଖିଲେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୯.୬ ପ୍ରତିଶତ, ମୟୂରଭଞ୍ଜରେ ୭.୩ ପ୍ରତିଶତ, ସୁନ୍ଦରଗଡ଼ରେ ୭.୨ ପ୍ରତିଶତ, ସମ୍ବଲପୁରରେ ୬.୬ପ୍ରତିଶତ, ରାୟଗଡାରେ ୫.୮ ପ୍ରତିଶତ, ମାଲକାନଗିରିରେ ୫.୮ ପ୍ରତିଶତ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।