ମଙ୍କିପକ୍ସକୁ ନେଇ ବଢୁଛି ଚିନ୍ତା
- News18 Odia
- Last Updated :
- Odisha (Orissa), India
News 18 Odia Digital
କେରଳ ପରେ ଦିଲ୍ଲୀକୁ ବ୍ୟାପିଲା ମଙ୍କି ପକ୍ସ। ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଚିକିତ୍ସାଧୀନ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି। ତେବେ ସଂକ୍ରମିତ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ୩ ଜଣ ଯାକ ସଂକ୍ରମିତ କେରଳର ହୋଇଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା। ତେବେ ପ୍ରଥମ ଥର ପାଇଁ ଟ୍ରାଭେଲ ହିଷ୍ଟ୍ରି ନଥାଇ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟହୋଇଥିବାରୁ ଚିନ୍ତା ବଢ଼ିଛି।
ସେପଟେ ମଙ୍କିପକ୍ସଙ୍କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ ଘଣ୍ଟି । ୭୫ଟି ଦେଶରେ ୧୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ, ବସନ୍ତ ଜାତୀୟ ରୋଗ ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କଲା ଡବ୍ଲୁଏଚ୍ଓ । ବିଦେଶ ଯାତ୍ରୀଙ୍କ ମାଧ୍ୟମରେ ଏହି ସଂକ୍ରମଣ କମ୍ ଦେଖାଯାଉଥିଲେ ମଧ୍ୟ ଏହା ବିଶ୍ୱର ଅଧିକାଂଶ ସ୍ଥାନରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି । ମାସକ ତଳେ ୪୭ଟି ଦେଶରେ ପ୍ରାୟ ୩ ହଜାରଟି ମାମଲା ଥିବା ବେଳେ, ମାସେ ଭିତରେ ଏହା ୭୫ଟି ଦେଶକୁ ମାଡ଼ିଗଲାଣି । ସାରାବିଶ୍ୱରେ ଏବେ ସୁଦ୍ଧା ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ପ୍ରଭାବିତ ରାଜ୍ୟ ତଥା ଦେଶରୁ ଆସୁଥିବା ପ୍ରବାସୀମାନଙ୍କ ଉପରେ ନଜର ରଖିବା ପାଇଁ ସମସ୍ତ ସିଡିଏମଓ, ସରକାରୀ ମେଡିକାଲ କଲେଜର ଡିନ-କମ-ପ୍ରିନ୍ସିପାଲ, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସନ୍ଦିଗ୍ଧ ମାମଲାର ନମୁନାକୁ ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ପଠାଇବା ପାଇଁ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।