ରାଜ୍ୟ ସରକାରଙ୍କ ସଫଳତାର ଗୁଣଗାନ କଲେ ରାଜ୍ୟପାଳ; ବଖାଣିଲେ ସରକାରଙ୍କ ସଫଳ କାର୍ଯ୍ୟ

ଅଧିବେଶନ ଆରମ୍ଭରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖି ସରକାରଙ୍କ ସଫଳତାକୁ ବଖାଣିଥିଲେ। ଆଉ ସରକାରଙ୍କ ସବୁ ସଫଳ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ସଫଳତାର ଗୁଣଗାନ କଲେ ରାଜ୍ୟପାଳ

ରାଜ୍ୟ ସରକାରଙ୍କ ସଫଳତାର ଗୁଣଗାନ କଲେ ରାଜ୍ୟପାଳ

  • Share this:
News18 Odia Digital

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖି ସରକାରଙ୍କ ସଫଳତାକୁ ବଖାଣିଥିଲେ। ୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାରକୁ ଏହି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଡିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ରାଜ୍ୟପାଳ ଆହୁରି କହିଥିଲେ ଯେ ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଓ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି। ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି, ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ଋଣରେ ପରିଣତ ହୋଇପାରିଛି। ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବର୍ତ୍ତମାନ ମାତ୍ର ୨ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି।

୨୦୧୪-୧୫ ମସିହା ପରଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ଵଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି। ହିତାଧିକାରୀମାନଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି। ୭ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ୪ ମାସ ଓ ୬ ମାସ ଅବଧି ମଧ୍ୟରେ ନିଜ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ପ୍ରୋତ୍ସାହନ ବାବଦରେ ୧,୨୮୩ କୋଟି ଟଙ୍କା ସଂପୃକ୍ତ ହିତାଧ୍ୟାକାରୀ ପରିବାରକୁ ପ୍ରଦାନ କରାଯାଇଛି। ପୁନଶ୍ଚ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୨ ଲକ୍ଷ ୨୫ ହଜାର ଯୋଗ୍ୟ ପରିବାର ଚିହ୍ନଟ କରାଯାଇଛି। ସହାରାଞ୍ଚଳରେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଜୀବନରେ ସବୁଦିନ ପାଇଁ ଖୁସି ଆଣିଦେବା ନିମନ୍ତେ ମୋ ସରକାରଙ୍କ ଯୁଗାନ୍ତକାରୀ ‘ଜାଗା ମିଶନ’ ଏକ ଆଦର୍ଶ ଜନନୀତି। ସହରୀ ଚଳଣିର ଅପରିହାର୍ଯ୍ୟ ଅଙ୍ଗ ଭାବେ ଅନୌପଚାରିକ ବସତି ଓ ବସ୍ତିବାସିନ୍ଦାଙ୍କୁ ଏହି ନୀତି ସ୍ୱୀକୃତି ପ୍ରଦାନ ପୂର୍ବକ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଥାଏ। ଏହି ସାମଗ୍ରିକ ଉପକ୍ରମ ‘ଏସିଆ ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ ପୁରସ୍କାର-୨୦୨୧’ର ବିଜେତା ହୋଇଛି। ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନୀ’ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବସ୍ତି ଉନ୍ନତିକରଣ ଓ ଅଣ ତାଲିକାକରଣ ଉପକ୍ରମ ମାଧ୍ୟମରେ ୧ ଲକ୍ଷ ୭୦ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଓ ରାଜ୍ୟର ୮ଟି ସହର ବସ୍ତିଶୂନ୍ୟ ସହରର ମାନ୍ୟତା ପାଇପାରିଛି।

ସେହିପରି ରାଜ୍ୟପାଳ କହିଛନ୍ତି ଯେ ମୋ ସରକାର କରୋନା ମହାମାରୀ ଯୋଗୁଁ ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଗ୍ୟ ସନ୍ତାନସନ୍ତତି ଓ ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି । ୧୮,୮୨୭ ଜଣ ବାଳକବାଳିକା ଏହି ଯୋଜନାର ସୁବିଧା ପାଇଛନ୍ତି।

ସମ୍ପୂର୍ଣ୍ଣ ପାଇପ୍ ପାନୀୟ ଜଳ ସଂଯୋଗୀକରଣରେ ଓଡ଼ିଶାର ସହରାଞ୍ଚଳ ପଥ ପ୍ରଦର୍ଶକ। ରାଜ୍ୟର ୬୩ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରାଯାଇଛି। ସମଗ୍ର ଦେଶରେ ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିବାରେ ଭୁବନେଶ୍ବର ମହାନଗର ନିଗମ ପ୍ରଥମ ଓ କଟକ ମହାନଗର ନିଗମ ଦ୍ଵିତୀୟ ହୋଇପାରିଛି।

୨୦୨୨ରେ ରାଜ୍ୟର ସମସ୍ତ ୧୧୪ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ଜଳ ସଂଯୋଗ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ସିଧାସଳଖ ଟ୍ୟାପ୍‌ରୁ ନିରାପଦ ପାଣି ପିଇବାର ସୁବିଧା ଯୋଗାଇ ଦେବା ପାଇଁ ମୋ ସରକାରଙ୍କ ମିଶନ ‘ସୁଜଳ’ ପୁରୀ ସହରାଞ୍ଚଳର ଶତ ପ୍ରତିଶତ ମିଟରିଂ ସହିତ ସମସ୍ତ ପରିବାରକୁ ୨୪ ଘଣ୍ଟିଆ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରିବା ସହିତ ଆଇ.ଏସ୍.୧୦,୫୦୦ ମାନକ ଗୁଣବତ୍ତାକୁ ବଜାୟ ରଖାଯାଇଛି ବୋଲି କହିଛନ୍ତି ରାଜ୍ୟପାଳ।

ଏହାଦ୍ଵାରା ଅନ୍ତର୍ଜାତୀୟ ନଗରୀ ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଓ ଟୋକିଓରେ ଉପଲବ୍ଧ ଥିବା ସୁବିଧା ଭଳି ପୁରୀ ଭାରତର ଏକମାତ୍ର ସହର ଭାବେ ଏହି ସୁବିଧା ଯୋଗାଇ ଦେବାର ଗୌରବ ହାସଲ କରିଛି।

ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତରି କରଣ ସମ୍ପର୍କରେ ରାଜ୍ୟପାଳ କହିଛନ୍ତି, "ମୋ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ।’’

ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟପାଳ କହିଛନ୍ତି ଯେ ୨୦୨୧ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିଲା ସାମ୍ପ୍ରଦାୟିକ ଉତ୍ତେଜନା, ବିଭିନ୍ନ ଶ୍ରମିକ ଓ ସେବା ସଙ୍ଗଠନର ଆନ୍ଦୋଳନ ଓ ଛାତ୍ର ବିଶୃଙ୍ଖଳା ଇତ୍ୟାଦିକୁ ଆପୋଷ ଆଲୋଚନା ଓ ପୋଲିସର ସତର୍କତାମୂଳକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇଥିଲା। ଜନଜାତି, ଦଳିତ, ମହିଳା, କୃଷକ, ଦୁର୍ବଳ ଶ୍ରେଣୀ, ବରିଷ୍ଠ ନାଗରିକ ଓ ସଂଖ୍ୟାଲଘୁ ଲୋକଙ୍କ ଦ୍ଵାରା ବିଭିନ୍ନ ପ୍ରସଙ୍ଗ ନେଇ କରାଯାଉଥିବା ପ୍ରତିବାଦ, ଧର୍ମଘଟ ଓ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ନିରପେକ୍ଷ ବିଚାର ଓ ସହାନୁଭୂତି ପ୍ରଦର୍ଶନ କରାଯାଇଥିଲା।

ବିଗତ ପାଞ୍ଚ ବର୍ଷ ଭିତରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ମୋ ସରକାର ଓ ସୁରକ୍ଷା ବାହିନୀଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ ରୁ ୧୦ରେ ପହଞ୍ଚିଛି। ପୋଲିସ ପଦକ୍ଷେପ ଯୋଗୁଁ ପାଖାପାଖୁ ୫୮ ଜଣ ମାଓବାଦୀ ପ୍ରଭାବହୀନ ହୋଇଛନ୍ତି, ୧୯୪ ଜଣଙ୍କୁ ଗିରଫ କରାଯାଇଛି ଓ ସେହି ସମୟରେ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି। ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରିର ‘ସ୍ଵାଭିମାନ ଅଞ୍ଚଳ’ର ସଂପୂର୍ଣ୍ଣ ପରିବର୍ତ୍ତିତ ବାତାବରଣ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଶମନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଣାମ ବୋଲି କହିଛନ୍ତି ରାଜ୍ୟପାଳ।

ଅଧିକ ପୋଲିସ ବ୍ୟବସ୍ଥାକୁ ରାଜ୍ୟପାଳ ଗୁରୁତ୍ବ ଦେଇ କହିଛନ୍ତି ଯୋ ମୋ ସରକାର ରାଜ୍ୟ ଆରକ୍ଷୀ ସେବାର ମାନବସମ୍ବଳ ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ଆରକ୍ଷୀ ବାହିନୀର କ୍ଷମତା ବୃଦ୍ଧି ନିମନ୍ତେ ୪୨୦୫ ସଂଖ୍ୟକ ବିଭିନ୍ନ ପଦବୀ ସୃଷ୍ଟି କରାଯାଇଛି ଓଡ଼ିଶା ପୋଲିସ ସେବା କ୍ୟାଡରରେ ୬୮ ଜଣଙ୍କୁ ଉପଆରକ୍ଷୀ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି ଓ ବିଭିନ୍ନ ବ୍ୟାଙ୍କର ୬୦୨୭ଟି ପଦବୀ ସିଧାସଳଖ ପୂରଣ କରାଯାଇଛି। ସେହିପରି ଉକ୍ତ ସମୟ ମଧ୍ୟରେ ୨୯ଟି ଥାନା, ୫ଟି ଫାଣ୍ଡି ଓ ଗୋଟିଏ ଟାଉନ୍ ଫାଣ୍ଡି ଖୋଲାଯାଇଛି।

ରାଜ୍ୟପାଳଙ୍କ ଅଭିଭାଷଣରେ ଦୁର୍ନୀତି ଖୋରଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ହୋଇଥିବା କହିଥିଲେ। ମୋ ସରକାର ଆରମ୍ଭ କରିଥିବା ‘ମୋ ସରକାର’ ଆଭିମୁଖ୍ୟ ଓଡ଼ିଶାରେ ଜନସେବା ପ୍ରଦାନ ରୂପରେଖରେ ପରିଦୃଶ୍ୟ ପରିବର୍ତ୍ତନ ଆଣିଛି। ପ୍ରଯୁକ୍ତି ପ୍ରୟୋଗ ଦ୍ଵାରା ୫ ‘ଟି’ ମାଧ୍ୟମରେ ଏକ ଦୃଢ଼ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଅନୁସୃତ ହେବା ଦ୍ଵାରା ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି। ମୋ ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ ନିରନ୍ତର ‘ଶୂନ୍ ସହନଶୀଳତା’ ନୀତି ଯୋଗୁଁ ୨୦୨୧ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୬୭ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସ୍ଵରୂପ ଅଦ୍ୟାବଧୂ ୧୫୧ ଜଣ ଅନୈତିକ, ଅପାରଗ ଓ ଅସାଧୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି।

୨୦୨୧-୨୨ ବର୍ଷ ଅଧିକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ। ଚଳିତ ଆର୍ଥିକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି। ସେହିଭଳି ଏହି ଅବଧି ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଛି।

ସାଧାରଣ ଜନତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ତଥା ଅବକାରୀ ପ୍ରଶାସନକୁ ଅଧ୍ୟକ ସକ୍ରିୟ କରିବା ନିମନ୍ତେ ଅବକାରୀ କ୍ୟାଡରର ପୁନର୍ବିନ୍ୟାସ କରାଯାଇ ଏହାକୁ ୧୯୦୬ରୁ ୨୨୧୦କୁ ବୃଦ୍ଧି କରାଯାଇଛି। ଏଥି ସହିତ ଭୁବନେଶ୍ୱର ଓ ରାଉରକେଲାରେ ୨ଟି ନୂଆ ଅବକାରୀ ଜିଲ୍ଲା ସୃଷ୍ଟି କରାଯାଇଛି । ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ୫୫୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩,୬୫୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି।

ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ‘ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି। ରାଜ୍ୟର ସୁଯୋଗ୍ୟ ସନ୍ତାନମାନଙ୍କର ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମ ଭାବରେ ଘୋଷଣା ନିମନ୍ତେ ଗଠିତ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାରୁ ଏହା ଚୟନ କରାଯିବ। ବିଶିଷ୍ଟ ଲେଖକ ମନୋଜ ଦାସ ଓ ଐତିହାସିକ ମନ୍ମଥ ନାଥ ଦାସଙ୍କ ବାଲେଶ୍ୱର ଜିଲ୍ଲାର ଶଂଖାରୀ ଗ୍ରାମସ୍ଥିତ ଗୃହକୁ ‘ମନ୍ମଥ–ମନୋଜ ସ୍ମାରକ’ ପୀଠରେ ପରିଣତ କରିବାକୁ ଘୋଷଣା କରିଛନ୍ତି ସରକାର।

ଗୃହର ଦିବଂଗତ ନେତା ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଆଗତ ହେଲା ଶୋକ ପ୍ରସ୍ତାବ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଲେ ଶୋକ ପ୍ରସ୍ତାବ। ପୂର୍ବତନ ମୁଖ୍ୟ ମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ଓ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ। ସେପଟେ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
Published by:Lipina Das
First published: